ମାଉସୀ-ପୁତୁରା ସମ୍ପର୍କରେ କଳଙ୍କ ଛିଟା ମାମଲା: ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲା ପୁତୁରା

ଚନ୍ଦ୍ରଶେଖରପୁର: ଶେଷରେ ପାରିବାରିକ ଆପୋସ ସମାଧାନ ହୋଇପାରିଲା ନାହିଁ। ପୁତୁରା ସହ ଥିବା ଅବ‌ୈଧ ସମ୍ପର୍କରେ ‌ପୂର୍ଣ୍ଣଚ୍ଛେଦ ପକାଇବାକୁ ରାଜି ହେଲା ନାହିଁ ସମ୍ପର୍କୀୟା ମାଉସୀ। ବାହା ହୋଇ ସାରିଥିଲେ ବି ପୁତୁରା ପୁଣି ତାଙ୍କ ପାଖକୁ ଆସୁ ଓ ରହୁ ବୋଲି ଜିଦ୍‌ ଧରିଥିଲା ମାଉସୀ। ପରିବାର ଲୋକେ ବହୁ ବୁଝାସୁଝା କରିବା ପରେ ବି ମାଉସୀ ନିଜ ଜିଦ୍‌ରେ ଅଟଳ ରହିଲେ। ତେଣୁ ଆ ପୋସ ସମାଧାନକୁ ଅପେକ୍ଷା କରିଥିବା ପୁଲିସ ଶେଷରେ ପୁତୁରାକୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ କଲା ଓ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ନୀଳଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ରହୁଥିବା ଦୁଷ୍ମନ୍ତଙ୍କ ଘରେ ୟୁନିଟ୍‌-୬ ଅଞ୍ଚଳସ୍ଥିତ ଏକ ବସ୍ତିର ଅବିବାହିତ ମହିଳା ଟ୍ବିଙ୍କିଲ୍‌(ଛଦ୍ମନାମ) ରହୁଥିଲେ। ଦୁଷ୍ମନ୍ତଙ୍କ ମା’ ଓ ଟ୍ବିଙ୍କିଲ୍‌ ସମ୍ପର୍କରେ ଭଉଣୀ ଥିଲେ। ଟ୍ବିଙ୍କିଲ୍‌ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ କମ୍ପାନିରେ କାମ କରୁଥିବାରୁ ସେଠାରେ ରହିଥିଲେ। ଟ୍ବିଙ୍କିଲ୍‌ଙ୍କ ବୟସ ୪୨ ଓ ଦୁଷ୍ମନ୍ତଙ୍କ ବୟସ ୨୮ ବର୍ଷ ଥିଲା। ମାତ୍ର ଏହା ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଟ୍ବିଙ୍କିଲ୍‌ଙ୍କ ଅଭିଯୋଗ ଅନୁସାରେ ଦୁଷ୍ମନ୍ତ ତାଙ୍କୁ ବିବାହ କରିବ ବୋଲି କଥା ଦେଇଥିଲା। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା। ଏମିତିକି ସେମାନେ ରାଜଧାନୀର ବିଭିନ୍ନ ହୋଟେଲରେ ରାତି କଟାଇଥିଲେ। କିନ୍ତୁ କରୋନା କଟକଣା ପାଇଁ ଉକ୍ତ କମ୍ପାନି ବନ୍ଦ ରହିବା ଯୋଗୁଁ ଟ୍ବିଙ୍କିଲ୍‌ ୟୁନିଟ୍‌-୬ ବସ୍ତିକୁ ଚାଲି ଯାଇଥିଲେ। ସେହି ସମୟରେ ଦୁଷ୍ମନ୍ତ ବିବାହ କରିଥିଲେ ଓ ଆଉ ଟ୍ବିଙ୍କିଲ୍‌ଙ୍କୁ ଧରାଛୁଆଁ ଦେଇନଥିଲେ। ତେଣୁ ଶେଷରେ ଟ୍ବିଙ୍କିଲ୍‌ ଗତକାଲି ଚନ୍ଦ୍ରଶେଖରପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ପରିବାର ଲୋକେ ଏକ ଆପୋସ ବୁଝାମଣା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ଆଜି ଦୁଷ୍ମନ୍ତଙ୍କୁ ପୁଲିସ ଜେଲ୍‌ ହାଜତକୁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର