ଘୋଷଣାରେ ରହିଗଲା ‘ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା’

ଭୁବନେଶ୍ବର: ୨୦୨୧ ଡିସେମ୍ବର ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ଭୁବନେଶ୍ବର ଓ କଟକରେ ବଢ଼ୁଥିବା ଅପରାଧକୁ ନଜରରେ ରଖି ସ୍ବତନ୍ତ୍ର ‘ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା’ କାର୍ଯ୍ୟକାରୀ ହେବ। ଜଣେ ଡିସିପିଙ୍କ ନେତୃତ୍ବରେ ୫୯ ଜଣ କର୍ମଚାରୀଙ୍କୁ ନେଇ ଏହି ଶାଖା‌ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ତୁରନ୍ତ ଜଣେ ଡିସିପିଙ୍କୁ ଏହି ଶାଖାର ମୁଖ୍ୟ ଭାବେ ନିଯୁକ୍ତି ଦିଆଗଲା। କିନ୍ତୁ ଏତିକିରେ ହିଁ ଅଟକିଗଲା ‘ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା’ ଗଠନ ପ୍ରକ୍ରିୟା। ଆହୁରି ଏକ ଅଭାବନୀୟ ଘଟଣା ହେଲା ଯେ ଏହି ପ୍ରସ୍ତାବିତ ଶାଖାର ପ୍ରଥମ ଡିସିପି ୩୦ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ନେତୃତ୍ବରେ ଗୋଟିଏ ବି ଅପରାଧିକ ମାମଲାର ତଦନ୍ତ ହୋଇପାରିଲାନି।

ଏହା ଏବେ ପୁଲିସ୍‌ ମହଲରେ ବେଶ୍‌ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କମିସନରେଟ୍ ପୁଲିସ ପାଇଁ ୩ଟି ନୂଆ ଥାନା ଖୋଲିବା ସହିତ ଏହି ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖାର ଘୋଷଣା କରାଯାଇଥିଲା। ଜଣେ ଡିସିପିଙ୍କ ନେତୃତ୍ବରେ ଏହି ସ୍ବତନ୍ତ୍ର ଶାଖା କାର୍ଯ୍ୟକାରୀ କରିବାକୁ ଥିବା ବେଳେ ଜଣେ ଅତିରିକ୍ତ ଡିସିପିଙ୍କ ସମେତ ୩ଜଣ ଏସିପି, ୯ ଇନ୍ସପେକ୍ଟର, ୧୨ଜଣ ଏସ୍‌ଆଇ, ୩ଜଣ ଲେଖାଁଏ ଏଏସ୍‌ଆଇ ଓ କନେଷ୍ଟବଳ(ଯୋଗାଯୋଗ) ଓ ୨୭ଜଣ କନେଷ୍ଟବଳଙ୍କୁ ନେଇ କାର୍ଯ୍ୟକାରୀ କରିବ। ଏହି ସ୍ବତନ୍ତ୍ର ଶାଖା ଦ୍ବୈତନଗରୀରେ ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ତଥା ନିଶାଦ୍ରବ୍ୟ ସଂପର୍କିତ ବିଭିନ୍ନ ଅପରାଧ ସଂପର୍କରେ ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା।

ପ୍ରଥମ କ୍ରାଇମ୍ ଡିସିପି ଆଜି ଅବସର ନେବେ
ଗୋଟିଏ ବି ମାମଲାର ତଦନ୍ତ ହୋଇନି
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ

ଡିସେମ୍ବର ୨୯ରେ ଏହି ଅପରାଧ ଶାଖାର ମୁଖ୍ୟ ଭାବେ ଅର୍ଥାତ୍ ପ୍ରଥମ ଡିସିପି- କ୍ରାଇମ୍ ଭାବେ ମାୟାଧର ସେଠୀଙ୍କୁ ଦାୟିତ୍ବ ଦିଆଗଲା। କିନ୍ତୁ ଏହି ଶାଖାରେ ଆଉ କୌଣସି ଅଧିକାରୀ ଓ କର୍ମଚାରୀଙ୍କୁ ଏ ଯାଏ ନିଯୁକ୍ତି ଦିଆଯାଇନାହିଁ। ଖୋଦ୍‌ ମୁଖ୍ୟମନ୍ତ୍ରୀ ଗୋଟିଏ ଘୋଷଣା କଲା ପରେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରାଇବାକୁ ଗୃହ ଓ ପୁଲିସ ବିଭାଗ ତତ୍ପରତା ପ୍ରକାଶ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟର ସବୁଠାରୁ ଦକ୍ଷ ପୁଲିସ ବୋଲି ଡିଣ୍ଡିମ ପିଟୁଥିବା କମିସନରେଟ୍ ପୁଲିସର ଏପରି ଦୁର୍ବଳ ସ୍ଥିତି ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଶ୍ରୀ ସେଠୀଙ୍କ ଆସନ୍ତାକାଲି ଅବସର ନେଉଥିଲା ବେଳେ ଏହି ନୂଆ ଶାଖା କେବେ ଖୋଲିବ, ତାହାର ଉତ୍ତର କାହା ପାଖରେ ନାହିଁ।

ତେବେ ଏଥିପାଇଁ କର୍ମଚାରୀ ଅଭାବ ଏକ ମୂଳ ସମସ୍ୟା ବୋଲି କୁହାଯାଉଛି। ଅପରପକ୍ଷରେ ନିକଟରେ ରାଜ୍ୟ ସମେତ କମିସନରେଟ୍ ପୁଲିସ ଅଞ୍ଚଳରେ ଉଭୟ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ନିର୍ବାଚନୀ ହିଂସା ଓ ନିଶା କାରବାରକୁ ରୋକିବାରେ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଥା’ନ୍ତା। ମାତ୍ର ଏହି କ୍ଷେତ୍ରରେ କମିସନରେଟ୍ ପୁଲିସ ପଛରେ ପଡ଼ିଲା ଏବଂ ଅପରାଧ ଦମନ କରି ଦ୍ବୈତନଗରୀ ବାସିନ୍ଦାଙ୍କ ବିଶ୍ବାସ ଜିଣିବାରେ ଏକ ସୁଯୋଗ ହାତଛଡ଼ା କଲା।

କେବଳ ଏତିକି ନୁହେଁ, ଚଳିତ ବର୍ଷ ସବୁଠାରୁ ଘଟଣା ବହୁଳ ରହିଥିବା ଏପ୍ରିଲ୍ ମାସରେ ସଂଗଠିତ ଅପରାଧଠୁ ଆରମ୍ଭ କରି ଠକ ଡାକ୍ତର ରମେଶ ଭଳି ବଡ଼ ବଡ଼ ଠକେଇ ମାମଲାରେ ସଫଳତା ପାଇଥା’ନ୍ତା। ମାତ୍ର ଏଯାବତ୍ କାର୍ଯ୍ୟକାରୀ ହୋଇପାରିନଥିବାରୁ ଏଟିଏମ୍ ଲୁଟ୍ କ୍ଷେତ୍ରରେ ପ୍ରାୟ ୨୦ଲକ୍ଷ ଜବତ ନ ହେବା ଘଟଣା ଏବଂ ବାରମ୍ବାର ସୁନା ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ତଦନ୍ତ କରି ଥାନାଗୁଡ଼ିକର କାର୍ଯ୍ୟଭାର ଲାଘବ କରିଥା’ନ୍ତା। ମାତ୍ର ଏହା ସମ୍ଭବ ହେଉନଥିବାରୁ ଏବେ ବି କମିସନରେଟ୍ ପୁଲିସରେ ୭ହଜାରରୁ ଅଧିକ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ ହୋଇପାରିନାହିଁ।

ସମ୍ବନ୍ଧିତ ଖବର