ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଉଦ୍‌ଘାଟିତ

ଭୁବନେଶ୍ବର: ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ୟୁନିଟ୍‌-୩ ସ୍ଥିତ ଏକାମ୍ର ହାଟରେ ଏକ ସ୍ବତନ୍ତ୍ର ହସ୍ତତନ୍ତ ମେଳା-୨୦୨୨ ଉଦ୍‌ଘାଟିତ ହୋଇଯାଇଛି। ଏହି ମେଳାରେ ଦେୟମୁକ୍ତ ୩୩ଟି ଷ୍ଟଲ୍‌ରେ ବୁଣାକାରମାନେ ସେମାନଙ୍କର ତିଆରି ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରୁଛନ୍ତି। ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ବୟନମଣ୍ଡଳର ସମବାୟ ସମିତି ଓ ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଯୋଗ ଦେଇଛନ୍ତି। ଏହି ସ୍ବତନ୍ତ୍ର ମେଳା ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ଗ୍ରାହକମାନଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି।

ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍‌ଘାଟନ କରି କହିଥିଲେ ଯେ, ହସ୍ତତନ୍ତ ସାମଗ୍ରୀ ଆମ ଦେଶ ସହିତ ସାରା ପୃଥିବୀର ବିଭିନ୍ନ ଦେଶରେ ଆଦୃତି ଲାଭ କରିଛି। ହସ୍ତତନ୍ତ ଉତ୍ପାଦଗୁଡ଼ିକର ଅଧିକରୁ ଅଧିକ ପ୍ରସାର ପାଇଁ ଏଭଳି ମେଳାର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ଭାବେ ମହିଳା, ଶିଶୁ ବିକାଶ ଓ ମିସନ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇ କହିଛନ୍ତି, ଏହିଭଳି ସ୍ବତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ ଦ୍ବାରା ରାଜ୍ୟରେ ହସ୍ତତନ୍ତର ପ୍ରଚାର ଓ ପ୍ରସାର ହୋଇପାରିବ। ହସ୍ତତନ୍ତ, ବୟନ ଓ ହସ୍ତିଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା, ଓଡ଼ିଶା ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ଉତ୍କଳିକା ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର