ବାଲିଅନ୍ତା: ବାଙ୍କୁଆଳ ନିକଟସ୍ଥ କୁଆଖାଇ ନଦୀପଠାରେ ଏକାମ୍ର ବାଲିଯାତ୍ରା ମହୋତ୍ସବ ଆୟୋଜନ ନେଇ ଏବେ ମହୋତ୍ସବ ପଡ଼ିଆ ପରିସର ଚଳଚଞ୍ଚଳ ହୋଇପଡ଼ିଛି। ଚଳିତ ବର୍ଷ ଦ୍ବିତୀୟ ବାର୍ଷିକ ଏକାମ୍ର ବାଲିଯାତ୍ରା ମହୋତ୍ସବକୁ ଅଧିକ ବ୍ୟବସ୍ଥିତ ଓ  ଆକର୍ଷଣୀୟ ଢଙ୍ଗରେ ପାଳନ କରିବାକୁ କମିଟି ନିଷ୍ପତ୍ତି ନେଇଛି। ଟଙ୍କପାଣି ରୋଡ୍‌ଠାରୁ ଟଙ୍କପାଣି ବ୍ରିଜ୍‌ଏବଂ ମହୋତ୍ସବ ପଡ଼ିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯିବ। ପୂର୍ବବର୍ଷ ଅପେକ୍ଷା ଏବର୍ଷ ଅଧିକ ଜନସମାଗମଙ୍କୁ ଆଖି ଆଗରେ ରଖି ମହୋତ୍ସବ କମିଟି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଚାଲିଥିବା ପରିଚାଳନା କମିଟିର ସମ୍ପାଦକ କବିରାଜ ସ୍ୱାଇଁ କହିଛନ୍ତି। 

Advertisment

ଆସନ୍ତା ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଭୋର୍‌ସମୟରେ ୭ ସାଧବ ସାଧବାଣୀଙ୍କ ଦ୍ବାରା ବୋଇତ ବନ୍ଦାଣ‌ବିଧି ଅନୁଷ୍ଠିତ ହେବ। ସକାଳେ ଭକ୍ତି ସଙ୍ଗୀତ ଓ ଭଜନ ପରିବେଷଣ କରାଯିବ। ସନ୍ଧ୍ୟାରେ ପଙ୍କଜ ଜାଲ, ମାନସୀ ଓ ଗଗନ ବିହାରୀ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ୬ ତାରିଖ ସନ୍ଧ୍ୟାରେ ରୁକୁ ସୁନା ଗ୍ରୁପ, ୭ ତାରିଖରେ ସ୍ବୟଂ ପାଢ଼ୀ ଗ୍ରୁପ, ୮ ତାରିଖରେ ଅସୀମା ପଣ୍ଡା ଗ୍ରୁପ, ୯ ତାରିଖରେ ବଲିଉଡ଼ ସିଙ୍ଗର ପାମେଲା ଜୈନ ଗ୍ରୁପ, ୧୦ ତାରିଖରେ ମଣ୍ଟୁ ଛୁରିଆ, ୧୧ ତାରିଖରେ ଅନ୍ତରା ଚକ୍ରବର୍ତ୍ତୀ ଗ୍ରୁପ ଓ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓ ୧୨ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ସୁଜ୍ଞାନୀ ମହାପାତ୍ରଙ୍କ ଦ୍ବାରା  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ  ଅନ୍ୟତମ ଆକର୍ଷଣ ହେବ। ‌ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପୂର୍ବରୁ ସନ୍ଧ୍ୟା ୬ଟାରୁ ୭ଟା ଏକଘଣ୍ଟା ପର୍ଯ୍ୟନ୍ତ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଞ୍ଚରେ ଓଡ଼ିଶୀ, ଗୋଟିପୁଅ ଓ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯିବ। ଶାନ୍ତିଶୃଙ୍ଖଳା ନିୟନ୍ତ୍ରଣ ପାଇଁ ବଡ଼ଗଡ଼ ପୁଲିସ ସମେତ ୨୦୦ ଜଣ ସ୍ଥାନୀୟ ସ୍ବେଚ୍ଛାସେବୀ ଏବଂ  ୮୦ ଜଣ ସୁରକ୍ଷା କର୍ମୀ ମୁତୟନ କରାଯିବ। ମେଳାରେ ଠୁଙ୍କାପୁରୀଠାରୁ ଆରମ୍ଭ କରି ମଥୁରା କେକ୍, ଜଳଖିଆ ଦୋକାନ, ଫାଷ୍ଟଫୁଡ୍‌ଓ ଅନ୍ୟ ଚଟ୍‌ପଟି ଆଦି ଭଳିକି ଭଳି ଖାଦ୍ୟ ଷ୍ଟଲ୍‌ସାଙ୍ଗକୁ ବିଭିନ୍ନ ମନୋହରୀ ସାମଗ୍ରୀ ଦୋକାନ  ମିଶାଇ ମୋଟ୍‌୨୦୦ଟି ଷ୍ଟଲ୍‌ଖୋଲାଯିବା ନେଇ ଟେଣ୍ଟ୍‌ବନ୍ଧା ଚାଲିଛି। ସେହିପରି କୁଆଖାଇରେ ମନୋରଞ୍ଜନ ନେଇ ବୋଟିଂ, ପିଲାଙ୍କ ମନୋରଞ୍ଜନ ନେଇ ମୀନାବଜାର, ରାମଦୋଳି, ଚକ୍ରି, ଜମ୍ପିଂ ଆଦି ବ୍ୟବସ୍ଥା ରହିଛି। ମହୋତ୍ସବ ଉଦ୍‌ଯାପନୀ ପରେ କୁଆଖାଇ ସଫେଇ ଅନୁଷ୍ଠିତ ହେବ।