ତାରକା ପରିବାର କଳି: ପରସ୍ପର ଉପରେ ଦୋଷ ଲଦି କିଏ କ’ଣ କହିଲେ

ଭୁବନେଶ୍ବର: ଅଭିନେତା ବାବୁସାନ୍‌ ମହାନ୍ତି, ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ତାରକା ପରିବାର କଳି ଆଜି ବି ଦିନତମାମ ଚର୍ଚ୍ଚାରେ ରହିଥିଲା। ଗଣମାଧ୍ୟମରେ ଉଭୟ ପରିବାରର ସଦସ୍ୟ ନିଜ ପକ୍ଷ ରଖିଥିଲେ। ଆସନ୍ତୁ ଜାଣିବା କିଏ କ’ଣ କହିଥିଲେ? 

ପ୍ରକୃତି ମୋତେ ବ୍ଲାକମେଲ୍‌ କରିନାହାନ୍ତି : ବାବୁସାନ୍

ବାବୁସାନଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସେଥିରେ ସେ ତାଙ୍କ ପରିବାରଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପ୍ରକୃତି ମୋ ଭଲ ସାଙ୍ଗ। ନା ସେ ମୋତେ ବ୍ଲାକ୍‌‌ମେଲ୍‌ କରିଛନ୍ତି ନା ମୋତେ ହଇରାଣ କରିଛନ୍ତି ନା କେବେ ମୋଠାରୁ ଟଙ୍କା ନେଇଛନ୍ତି। ସେ ମୋତେ ସବୁବେଳେ ସହଯୋଗ କରିଛନ୍ତି। ମୋତେ ଭୁବନେଶ୍ବର ଯିବାକୁ ଇଚ୍ଛା ଥିଲା। ହେଲେ ମୋ ପ୍ରଯୋଜକ ମୋତେ ଯିବାକୁ ମନା କରିଛନ୍ତି। ମୁଁ ଯାଇ ପାରିନଥିବାରୁ ଦୁଃଖିତ। ଚେନ୍ନାଇ ଆସିକି ମୋତେ ବହୁତ ଖୁସି ଲାଗିଲା। ଆମ ଓଡ଼ିଆ ସମାଜର ‌ଭାଇ‌, ଭଉଣୀ ଏବଂ ବରିଷ୍ଠମାନଙ୍କ ଏତେ ବଡ଼ ଆୟୋଜନ ଏବଂ ସ୍ବାଗତ ଦେଖି ବହୁତ ଖୁସି ଲାଗିଲା।

ସ୍ବାମୀକୁ ଶିକୁଳି ପକାଇ ରଖ : ପ୍ରକୃତି

ଅନ୍ୟ ଏକ ଭିଡିଓରେ ତୃପ୍ତିଙ୍କ ଅଭିଯୋଗର ଜବାବ ରଖିଛନ୍ତି ପ୍ରକୃତି। ସେ କହିଛନ୍ତି, କେହି କାହା ଘର ଭାଙ୍ଗନ୍ତି ନାହିଁ। ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି। ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି। ତେବେ ବେକରେ ଗୋଟେ ଶିକୁଳି ପକାଇ ତାଙ୍କୁ ଘରେ ରଖିଦିଅ। ବାହାରକୁ କାଇଁ ଛାଡ଼ୁଛ ବୋଲି ତୃପ୍ତିଙ୍କୁ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ମୋ ପ୍ରତି ଯାହା ହେଲା ତାହା ଠିକ୍‌ ନୁହେଁ। କୌଣସି ଝିଅ ସହ ଏଭଳି ହେବା ଲଜ୍ଜାଜନକ। ମୁଁ ସାହାଯ୍ୟ ମାଗୁଥିଲି, କିନ୍ତୁ ଲୋକ ସେଲ୍‌ଫି ଉଠାଉଥିଲେ। ଆମେ କିଭଳି ସମାଜରେ ରହୁଛେ, ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ଜଣେ ଝିଅକୁ ରାସ୍ତାରେ ଟଣାଓଟରା କରି ଅପମାନିତ କରି କ’ଣ ଲାଭ ମିଳିଲା? ମୁଁ କେବେ ଭାଙ୍ଗି ପଡ଼ିବିନି, ଆଗକୁ ବଢ଼ି ଚାଲିବି। ଏକୁଟିଆ ଝିଅ ସମସ୍ତଙ୍କ ସହ ଲଢ଼ିକି ଆସିଛି। ସର୍ବସାଧାରଣରେ ମୋତେ ଯେଭଳି ଆକ୍ରମଣ କରାଗଲା, ସେନେଇ ମୁଁ ଆଇନର ଦ୍ୱାରସ୍ଥ ହୋଇଛି।

ମୁହଁ ଖୋଲିଲେ କୃଷ୍ଣପ୍ରିୟା‌

ଅପରପକ୍ଷେ, ପ୍ରକୃତିକଙ୍କ ମା’ କୃଷ୍ଣପ୍ରିୟା ମିଶ୍ର ଏହି ଘଟଣାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଯଦି ଏଭଳି କିଛି ହୋଇଥିଲା, ଆଇନର ଆଶ୍ରୟ କାହିଁକି ନେଇ ନଥିଲ? କାହିଁକି ଗୁଣ୍ଡାଗର୍ଦ୍ଦି ଆଡ଼କୁ ଗଲ। ଯଦି ତମେ ତମ ପୁଅ ପାଇଁ ଚିନ୍ତା କରିପାରୁଛ…। କହୁଛନ୍ତି ତା’ର ଛୋଟ ଛୁଆ ଅଛି…। ଠିକ୍‌ ଅଛି ମୁଁ ତମକୁ ସମର୍ଥନ କରୁଛି। କିନ୍ତୁ ଗତକାଲି ଯାହା ଘଟିଲା…। ଏଭଳି ଘଟଣା ଘଟାଇବା ପୂର୍ବରୁ ମୋତେ ଜଣାଇଥିଲେ କି? ଫୋନ୍‌ କରି କହିଥିଲେ କି? ମୋ ଝିଅ ସହ ଯାହା ଘଟିଛି, ତାହା ସୁପରିକଳ୍ପିତ। ଯୋଜନାବଦ୍ଧ ଭାବେ ଗୁଣ୍ଡା ଧରି ପ୍ରକୃତିକୁ ଆକ୍ରମଣ କରାଯାଇଛି। କାରଣ ସେମାନଙ୍କ ସେ ମାନସିକତା ନାହିଁ ଯେ ଘଟଣାକୁ ସମାଧାନ ଆଡ଼କୁ ନେବା। ଗତକାଲି ଯାହା ଘଟିଗଲା, ତାହା ହେବାର ନଥିଲା। ଏଭଳି କରି ସେମାନେ ଅଭଦ୍ରାମିର ପରିଚୟ ଦେଇଛନ୍ତି। ଏହା ଅପରାଧଠାରୁ କିଛି କମ୍‌ ନୁହେଁ। ସେ ପୂର୍ବରୁ ଥରେ ମୋ ଘରକୁ ଆସି କଥା ହୋଇଥିଲେ। ସେମାନେ ଯେଭଳି ଅଭଦ୍ରାମି ଭା‌ବେ କଥା ହୋଇଥିଲେ, ତାକୁ ସହିଥିଲି। ସବୁ ସୀମା ଟପିଯିବା ପରେ ମୁଁ ତାଙ୍କ ପୁଅକୁ ସମ୍ଭାଳିକାକୁ ବୁଝାଇଥିଲି।

ବାବୁ ଘରକୁ ଫେରିଆ: ଅପରାଜିତା

ଏକ ଭିଡିଓରେ ଅପରାଜିତା କହିଛନ୍ତି ଯେ କୋଭିଡ୍‌ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନଙ୍କ ସର୍ବନାଶ ହୋଇଛି। ବାବୁସାନ୍‌ ଶୀଘ୍ର ତାଙ୍କ ଘରକୁ ଫେରି ଆସନ୍ତୁ ଓ ରାଜ୍ୟବାସୀ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅପରାଜିତା କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି।

ଅପରାଜିତା କହିଛନ୍ତି ଯେ ବାବୁସାନ୍‌ ବହୁତ ସ୍ନେହୀ, ବହୁତ ଗେହ୍ଲା। ସେ ବହୁତ ଭଲ ପାଇବା ଚାହେ। ତା’ର ମୋ ସହ ସବୁବେଳେ କଳି ଝଗଡ଼ା, ଗେଲ ଆଦର ଚାଲିଥାଏ। ସେ ତା’ ବାପା, ମା’, ସ୍ତ୍ରୀ ଓ ପିଲାକୁ ବହୁତ ଭଲ ପାଏ। ତାକୁ ବି ସମସ୍ତେ ଭଲ ପାଆନ୍ତି। କାମ ତା’ ପାଇଁ ଜୀବନ। କାମ ଭିତରେ ସେ ବୁଡ଼ି ରହେ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ନେଇ ତା’ର ଅନେକ ସ୍ୱପ୍ନ ଅଛି। ହେଲେ ଦୁଇ ବର୍ଷ ଭିତରେ କୋଭିଡ୍ ସମୟରେ କେଉଁ ସଙ୍ଗତରେ ପଡ଼ିଲା? ତା’ ସହ କ’ଣ ହେଲା, ମୁଁ କିଛି ବି ଜାଣିପାରିଲିନି। ତା’ର ଚରିତ୍ର, କଥାବାର୍ତ୍ତା ଶୈଳୀ ପୂରା ବଦଳିଗଲା। କେତେବେଳେ ଘରକୁ ଆସେ ତ କେତେବେଳେ ଆସେନି। ଯେତେ ବୁଝେଇଲେ ବି ବୁଝିଲା ନାହିଁ। ସେ ନିଜକୁ ବୁଝି ପାରିଲାନି। କେଉଁଟା ଠିକ୍ କେଉଁଟା ଭୁଲ୍ ବୁଝିପାରିଲାନି। ଯେଉଁମାନଙ୍କୁ ସେ ଏତେ ଭଲ ପାଏ ସେମାନଙ୍କ କଥା ତା’ର ପସନ୍ଦ ହେଲାନି। ଖରାପ ସଙ୍ଗତ ପାଇଁ ଆଜି ତା’ର ସର୍ବନାଶ ହୋଇଛି।

ପ୍ରକୃତ ବନ୍ଧୁ ନୁହନ୍ତି ପ୍ରକୃତି

ଉକ୍ତ ଭିଡିଓରେ ଅପରାଜିତା ଆହୁରି କହିଛନ୍ତି ଯେ ପ୍ରକୃତି, ବାବୁସାନ୍‌ଙ୍କ ପ୍ରକୃତ ବନ୍ଧୁ ନୁହନ୍ତି। ଉଭୟ ପରସ୍ପରର ଭଲ ବନ୍ଧୁ ବୋଲି କହୁଛନ୍ତି। କିନ୍ତୁ ପ୍ରକୃତ ବନ୍ଧୁର ସଂଜ୍ଞା କ’ଣ, ପ୍ରକୃତି ଜାଣିନାହାନ୍ତି। ବନ୍ଧୁର ସଂଜ୍ଞା ବୁଝାଇ ଅପରାଜିତା କହିଛନ୍ତି ଯେ ଯିଏ ଶାରୀରିକ, ମାନସିକ, ଆର୍ଥିକ ଏବଂ ପାରିବାରିକ ଆଦି ସବୁ କ୍ଷେତ୍ରରେ ସାହାଯ୍ୟ କରେ ଓ କେବେ ବି ବନ୍ଧୁର କ୍ଷତି ହେବାକୁ ଦିଏ ନାହିଁ; ସେ ହିଁ ପ୍ରକୃତ ବନ୍ଧୁ। କିନ୍ତୁ ବନ୍ଧୁ ଦ୍ୱାରା ଯଦି କ୍ଷତି ହେଉଛି, ସେ କି’ ବନ୍ଧୁ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର