ଭୁବନେଶ୍ବର: ଅଭିନେତା ବାବୁସାନ୍ ମହାନ୍ତି, ପତ୍ନୀ ତୃପ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ସୃଷ୍ଟି ହୋଇଥିବା ତାରକା ପରିବାର କଳି ଆଜି ବି ଦିନତମାମ ଚର୍ଚ୍ଚାରେ ରହିଥିଲା। ଏହି ଘଟଣାରେ ଖାରବେଳନଗର ପୁଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରକୃତିଙ୍କ ମା’ କୃଷ୍ଣପ୍ରିୟାଙ୍କ ଅଭିଯୋଗକୁ ଭିତ୍ତି କରି ତୃପ୍ତି ଓ ତାଙ୍କ ବାପା ଲଳିତ ଶତପଥୀଙ୍କ ବିରୋଧରେ ଦଫା ୩୪୧, ୨୯୪, ୩୨୩, ୫୦୬, ୩୪ରେ (ନଂ ୨୧୭)ରେ ଏକ ମାମଲା ରୁଜୁ କରିଛି। ସେହିପରି ତୃପ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ବାବୁସାନ୍ଙ୍କ ବିରୋଧରେ ଦଫା ୪୯୮(ଏ) ଓ ପ୍ରକୃତିଙ୍କ ବିରୋଧରେ ଦଫା ୫୦୬ରେ (ନଂ ୨୧୯)ରେ ଆଉ ଏକ ମାମଲା ରୁଜୁ କରିଛି। ପୁଲିସ୍ ଆଜି ଦୁଇ ପରିବାରର ୭ଜଣଙ୍କ ବୟାନ ରେକର୍ଡ କରିଛି।
ଅପରାଜିତା, ମନ୍ମଥଙ୍କ ସହ ୭ଜଣଙ୍କ ବୟାନ ରେକର୍ଡ
ହାଜର ହେବା ପାଇଁ ବାବୁସାନ ଓ ପ୍ରକୃତିଙ୍କୁ ନୋଟିସ୍
୨ ମାମଲା ରୁଜୁ, ସିସିଟିଭି ଫୁଟେଜ୍ ଯାଞ୍ଚ
ପ୍ରଥମେ ପୁଲିସ୍ ତୃପ୍ତି, ଅପରାଜିତା ମହାନ୍ତି, ସଂଗୀତା ପ୍ରହରାଜ, ଅଶୋକ ପ୍ରହରାଜ ଏବଂ ଲଳିତ ଶତପଥୀ ଓ ପରେ ମନ୍ମଥ ଶତପଥୀ, ତାଙ୍କ ପତ୍ନୀ କୃଷ୍ଣପ୍ରିୟାଙ୍କ ବୟାନ ରେକର୍ଡ କରିଥିଲା। ତେବେ ପ୍ରକୃତି ଓ ବାବୁସାନ୍ ଚେନ୍ନାଇ ଯାଇଥିବାରୁ ସେମାନେ ଫେରିବା ପରେ ତୁରନ୍ତ ଥାନାରେ ହାଜର ହେବା ପାଇଁ ପୁଲିସ ନୋଟିସ୍ ଜାରି କରିଛି। ଏ ସଂପର୍କରେ ଉଭୟ ପରିବାରକୁ ଜଣାଇବା ସହ ଉଭୟଙ୍କୁ ଫୋନ୍ କରି ଜଣାଇ ଦିଆଯାଇଛି। ଏହାବ୍ୟତୀତ ପୁଲିସ ସତ୍ୟନଗରସ୍ଥିତ ଘଟଣାସ୍ଥଳରେ ଛାନ୍ଭିନ୍ କରିଛି। ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଏ ସଂପର୍କରେ ପଚରାଉଚରା କରି ଦୁଇଜଣଙ୍କ ବୟାନ ରେକର୍ଡ କରିଛି। ସେଠାରେ ଥିବା ଏକ ସିସିଟିଭି ଫୁଟେଜ୍କୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ୍ ସ୍ପଷ୍ଟ କରିଛି ଯେ ଗତକାଲିର ଘଟଣାରେ କେହି ଗୁଣ୍ଡାଶ୍ରେଣୀୟ ଲୋକ ସାମିଲ ନଥିଲେ। ବାବୁସାନ୍ ଓ ପ୍ରକୃତି ଗାଡ଼ି ଭିତରେ ଥିବା ବେଳେ ତୃପ୍ତି, ତାଙ୍କ ବାପା ଲଲିତ ଏବଂ କେୟାରଟେକର୍ ସେଠାରେ ଉପସ୍ଥିତ ଥିଲେ। ଯେଉଁମାନେ ସେଠାରେ ଫଟୋ, ସେଲ୍ଫି ବା ଭିଡିଓ ସୁଟ୍ କରୁଥିଲେ, ସେମାନେ ସାଧାରଣ ଲୋକ। ଅପରପକ୍ଷେ ସତ୍ୟନଗରର ଯେଉଁ ଗେଷ୍ଟହାଉସ୍ରେ ପ୍ରକୃତି ୩ଦିନ ପାଇଁ ରୁମ୍ ବୁକ୍ କରିଥିଲେ, ପୁଲିସ୍ ସେଠାରେ ମଧ୍ୟ ଛାନ୍ଭିନ୍ କରିଥିଲା। ଅପରପକ୍ଷେ ପୁଲିସ୍ର ତଦନ୍ତକୁ ଛାଡ଼ି ଆଜି ଅପରାଜିତା, ପ୍ରକୃତି, ବାବୁସାନ୍ ଓ କୃଷ୍ଣପ୍ରିୟା ଭିଡିଓ ଜାରି କରିବା ଚର୍ଚ୍ଚାର ବିଷୟ ପାଲଟିଛି।
ଅଭିଯୋଗ ଆସିଲେ ସମାଧାନ କରିବୁ: ମହିଳା କମିସନ
କମିସନକୁ ବହୁ ଗୁରୁତ୍ବପୂର୍ଣ୍ଣ ଲୋକଙ୍କ ମାମଲା ଆସେ। ଆମେ ଏହାକୁ ଅତି ଗୁରୁତ୍ବର ସହ ଏବଂ ଗୁପ୍ତ ଭାବେ ସମାଧାନ କରୁ। ଅନେକ ସମସ୍ୟା ସମାଧାନ ହୁଏ। ଏହା ଏକ ବ୍ୟକ୍ତିଗତ ଘରୋଇ ମାମଲା। ଯେପର୍ଯ୍ୟନ୍ତ ସେମାନେ ଅଭିଯୋଗ ନ କରିବେ, ଆମେ କୌଣସି ପଦକ୍ଷେପ ନେଇପାରିବୁ ନାହିଁ ବୋଲି ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ଆଜି କହିଛନ୍ତି। ଏ ପର୍ଯ୍ୟନ୍ତ ଆମକୁ କୌଣସି ଅଭିଯୋଗ ଆସି ନାହିଁ। ପରିବାର ଭିତରେ ଆପୋସ ସସାଧାନ ହେବା ଭଲ।