କଟକ: ଗଣିତରେ ସ୍ନାତକୋତ୍ତର କରିଥିଲେ। କିନ୍ତୁ ଜାତୀୟ, ଅନ୍ତର୍ଜାତୀୟସ୍ତରରେ ଜଣେ ଅନନ୍ୟ କଳାକାର ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ଭୁବନେଶ୍ବରର ଗୌତମ ନଗରରେ ରହୁଥିବା ୭୬ବର୍ଷ ବୟସ୍କ ରମାପଦ ନନ୍ଦ ନିଜର କଣ୍ଠସ୍ବର, ସଂଳାପ, ଭିନ୍ନ ତଥା ବାସ୍ତବ ପ୍ରସଙ୍ଗକୁ ନାଟକୀୟ ରୂପ ଦେଇ ଜୀବନ୍ତ କରିବାର କୌଶଳରେ ଏକଦା ଆକାଶବାଣୀର ଶ୍ରୋତାମହଲରେ ଲୋକପ୍ରିୟତାର ଶିଖର ଛୁଇଁ ଥିଲେ। ୧୯୭୪ରେ ଆକାଶବାଣୀ କଟକ ବିବିଧ ଭାରତୀର ଘୋଷକ ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ପ୍ରଯୋଜକ, ସହକାରୀ ନିର୍ଦ୍ଦେଶକ ଏବଂ ଶେଷରେ କେନ୍ଦ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ୨୦୦୬ରେ ଅବସର ଗ୍ରହଣ କରିଥିଲେ। ପାଖାପାଖି ୩୦ଟି ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ପାଇଥିବା ରମାପଦ କିନ୍ତୁ ଏଯାଏ ରାଜ୍ୟ ସରକାରଙ୍କ କୌଣସି ପୁରସ୍କାର ପାଇଁ ମନୋନୀତ ହୋଇ ପାରି ନାହାନ୍ତି।
ରମାପଦ କଟକ, ସମ୍ବଲପୁର, ରାଉରକେଲା, ଭବାନୀପାଟଣା ଓ ଜୟପୁରରେ କାର୍ଯ୍ୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଯୁବବାଣୀ ବିଭାଗରେ ନିଜର ଆକର୍ଷଣୀୟ କଣ୍ଠସ୍ବର ଓ ସ୍ବତନ୍ତ୍ର ଉପସ୍ଥାପନା ଶୈଳୀ ଯୋଗୁଁ ସେ ଆରମ୍ଭରୁ ହିଁ ଲୋକପ୍ରିୟତା ଅର୍ଜନ କରି ପାରିଥିଲେ। ଏକାଧାରରେ ଜଣେ ଅଭିନେତା, ନାଟ୍ୟକାର, ଲେଖକ, ନିର୍ଦ୍ଦେଶକ, ଉପସ୍ଥାପକ ଭାବେ ଦକ୍ଷତା ପ୍ରତିପାଦନ କରି ବିଭିନ୍ନ ସିରିଏଲ୍, ଡକ୍ୟୁମେଣ୍ଟାରି, ନାଟକ, ସଂଗୀତ ରୂପକ ମାଧ୍ୟମରେ ସବୁବର୍ଗର ଶ୍ରୋତାଙ୍କ ମନୋରଂଜନ କରିପାରିଥିଲେ। ବଣ୍ଡା ଓ ମାଙ୍କଡ଼ିଆ ଜନଜାତିଙ୍କ ଜୀବନ ଶୈଳୀକୁ ନେଇ ‘ବଣ ମଲ୍ଲିକା, କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ‘ସୁକନ୍ୟା, ପ୍ରକୃତ ଓ ପରିବେଶକୁ ନେଇ ‘ପାପୁନି ଓ ଫୁଲ, ଯୁବବର୍ଗଙ୍କ ପାଇଁ ‘କୃଷ୍ଣଚୂଡ଼ା, ଯୌଥ ପରିବାର ଆଧାରିତ ‘ଶୃଣ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ର, ‘ମର୍ତ୍ତ୍ୟ ବୈକୁଣ୍ଠ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜର ସ୍ବତନ୍ତ୍ରତାର ପ୍ରମାଣ ଦେଇପାରିଥିଲେ। ତାଙ୍କର ୨୧ ଏପିସୋଡ୍ ବିଶିଷ୍ଟ ନିସର୍ଗ ସଂପଦ, ୧୩ ଏପିସୋଡ୍ ବିଶିଷ୍ଟ ମୀନା, ୧୦୪ ଏପିସୋଡ୍ ବିଶିଷ୍ଟ ତିନକା ତିନକା ସୁଖ, ୫ ଏପିସୋଡ୍ର ଆସ ପାଠ ପଢ଼ିବା ଧାରାବାହିକ ଶ୍ରୋତାମହଲରେ ବେଶ୍ ଆଦୃତ ହୋଇଥିଲା। ସତୀ, କ୍ଲାନ୍ତ ନିରଂଜନା, ଜରଦଗବ, ଅସ୍ତ ସୂର୍ଯ୍ୟର ଲୁହ, ସେଇ କଳାପଥର, ଅସ୍ତରାଗ, ଅନ୍ୟ ଏକ ଦଧୀଚି ଭଳି ତାଙ୍କର କାଳଜୟୀ ନାଟକ ଆକାଶବାଣୀ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି। ୧୯୮୧ରୁ ୨୦୦୪ ମଧ୍ୟରେ ସେ ୫ଟି ଅନ୍ତର୍ଜାତୀୟ ଓ ୨୪ଟି ଜାତୀୟସ୍ତରର ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ।
ଆକାଶବାଣୀ ଭବାନୀପାଟଣାରୁ ପ୍ରସାରିତ ରମାପଦଙ୍କ ସିରିଏଲ୍ ‘ମୋକେ ବଞ୍ଚବାକେ ଦିଓ ଓ ‘ସୁକନ୍ୟା ଏତେ ପ୍ରଭାବଶାଳୀ ହୋଇଥିଲା ଯେ ସେମାନଙ୍କ ପିତାମାତା ଆକାଶବାଣୀ ସହଯୋଗରେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେବା ପାଇଁ ବିଦ୍ୟାଳୟକୁ ପଠାଇବେ ବୋଲି ଜଣାଇଥିଲେ। ରମାପଦଙ୍କ ଦ୍ବାରା ପ୍ରଯୋଜିତ ପିଲାଙ୍କ ସଂଗୀତ ରୂପକ ପାପୁନି ଓ ଫୁଲ ଭାରତକୁ ପ୍ରଥମଥର ପାଇଁ ୧୯୮୮ରେ ଏସିଆନ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିଅନ୍ ଆୱାର୍ଡ ଭଳି ଆନ୍ତର୍ଜାତିକ ସମ୍ମାନ ଆଣିଦେଇଥିଲା। କିନ୍ତୁ ଏହି ଅନନ୍ୟ ଶିଳ୍ପୀ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯିବା ବିଡ଼ମ୍ବନାର ବିଷୟ।
କିନ୍ତୁ ଏଥିପାଇଁ ଅବଶ୍ୟ ରମାପଦଙ୍କର କୌଣସି ଦୁଃଖ ନାହିଁ। ତାଙ୍କ ଭାଷାରେ ନୂତନ ଜଗତ, ନୂଆ ପରିଚୟ, ନୂଆ ଅନୁଭୂତି, ନୂଆ ଅଭିବ୍ୟକ୍ତି ହେଉଛି ତାଙ୍କର ନିରନ୍ତର ପରିଚୟ। ପୁରାତନ ଉପରେ ନୂତନର ଅଭ୍ୟୁଦୟର ସଂକଳ୍ପକୁ ଆଧାର କରି ସେ ଆଗେଇଛନ୍ତି। କୌଣସି ଅର୍ଥ, ଯଶ, ପ୍ରତିଷ୍ଠାକୁ ସେ କେବେ ଅପେକ୍ଷା କରିନାହାନ୍ତି। ଭବିଷ୍ୟତ ପାଇଁ ବି ଚିନ୍ତା କରିନି। ସମୟର ନିର୍ଦ୍ଦେଶକୁ କେବଳ ଅପେକ୍ଷା କରିଥାଏ ବୋଲି ସେ କହନ୍ତି। ସ୍ବପ୍ନ ଦେଖିବାକୁ ଭଲ ପାଉଥିବା କିନ୍ତୁ ବାସ୍ତବତାକୁ ସ୍ବାଗତ କରୁଥିବା ରମାପଦ ଏ ବୟସରେ ବି ସକ୍ରିୟ ଆଉ ଚଳଚଞ୍ଚଳ। ପଛକୁ ନ ଚାହିଁ, ଆଗକୁ ଦେଖି ନିଜକୁ ପ୍ରସାରିତ କରି ବଞ୍ଚିବାର କଳା ଶିଖିଥିବା ଏହି ଅନନ୍ୟ କଳାକାରଙ୍କ ମତରେ ‘ଚରୈବତି.... ହେଉଛି ତାଙ୍କ ଧର୍ମ।