ରୁଦ୍ର ପ୍ରସାଦ ଜେନା
ଭୁବନେଶ୍ବର: ୨୦୨୫ ମସିହା ଓଡ଼ିଶାର ହୋଟେଲ ଶିଳ୍ପ ପାଇଁ ଉତ୍ସାହ ଭରିବ। ଜାନୁଆରି ମାସରେ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଛି। ୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଶତାଧିକ ଦେଶରୁ ପ୍ରବାସୀ ଭାରତୀୟମାନେ ଓଡ଼ିଶାକୁ ପ୍ରଥମ ଥର ନିମନ୍ତେ ଏକସଙ୍ଗରେ ଆସୁଛନ୍ତି। ବିଦେଶୀ ଅତିଥିଙ୍କ ମନରେ ଯେଭଳି ଓଡ଼ିଶାର କଳା ଓ ସଂସ୍କୃତିର ଛାପ ସବୁଦିନ ପାଇଁ ରହିବ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏଥିସହିତ ଜାନୁଆରି ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ ହେବ। ପ୍ରବାସୀ ଭାରତୀୟ ଦିବସ ଓ ନିବେଶକ ସମ୍ମିଳନୀ ସହିତ ଅନ୍ୟ ପର୍ଯ୍ୟଟକଙ୍କ ଆଗମନ କାରଣରୁ ଜାନୁଆରି ମାସରେ ଭୁବନେଶ୍ବରର ତାରକା ହୋଟେଲଗୁଡ଼ିକ ମଧ୍ୟରୁ ଅନେକ ହୋଟେଲରେ ୧୦୦ ପ୍ରତିଶତ ରୁମ୍ ବୁକ୍ ହୋଇ ସାରିଛି। ଅନ୍ୟ କେତେକ ତାରକା ହୋଟେଲରେ ୯୦ ପ୍ରତିଶତ ତ ଅନ୍ୟ କେତେକରେ ୮୦ ପ୍ରତିଶତରୁ ଅଧିକ ରୁମ୍ ବୁକ୍ ହୋଇସାରିଲାଣି।
ବୁକ୍ ହେଲାଣି ୮୦% ହୋଟେଲ୍ ରୁମ୍
ରାଜଧାନୀରେ ବ୍ୟବସାୟ ୬୦ କୋଟି ଟପିବ
ବର୍ଷର ପ୍ରଥମ ମାସର ବ୍ୟବସାୟ ଭଲ ରହୁଥିବାରୁ ସାରା ବର୍ଷ ରାଜ୍ୟର ହୋଟେଲ ଓ ରେସ୍ତୋରାଁ ଶିଳ୍ପ ପାଇଁ ମଧ୍ୟ ବ୍ୟବସାୟ ଭଲ ରହିବ ବୋଲି ଆଶାବ୍ୟକ୍ତ କରାଯାଇଛି। ବିଶେଷଜ୍ଞଙ୍କ କହିବାନୁଯାୟୀ, ପୂର୍ବରୁ ଅଧିକ ପର୍ଯ୍ୟଟକ ବିମାନ କିମ୍ବା ରେଳ ଯୋଗେ ଓଡ଼ିଶା ବୁଲିବାକୁ ଆସୁଥିବାବେଳେ ଏବେ ସଡ଼କ ଯୋଗେ ନିଜ ନିଜ ଗାଡ଼ିରେ ଅଧିକ ସଂଖ୍ୟାରେ ଆସୁଛନ୍ତି। ବିଶେଷକରି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ସମେତ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଯାତ୍ରୀମାନେ ସଡ଼କ ପଥରେ ଆସୁଛନ୍ତି। ସେମାନେ ଓଡ଼ିଶାରେ ପାଖାପାଖି ୬ରୁ ୭ ଦିନ କଟାଉଛନ୍ତି। ଏହା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପକୁ ବଳ ଯୋଗାଇଛି। ୨୦୨୫ ଜାନୁଆରି ପାଇଁ ବର୍ତ୍ତମାନ ସୁଦ୍ଧା ହୋଟେଲ ବୁକିଂ ଉତ୍ସାହଜନକ ରହିଛି ବୋଲି ସ୍ବସ୍ତି ଗ୍ରୁପ୍ର ଉପସଭାପତି ପ୍ରିୟନାଥ ବେହେରା ମତ ଦେଇଛନ୍ତି।
୨୦୨୫ ଜାନୁଆରିରେ ଭୁବନେଶ୍ବରର ତାରକା ହୋଟେଲଗୁଡ଼ିକ କେବଳ ରୁମ୍ ବାବଦରେ ପ୍ରାୟ ୧୫ କୋଟି ଟଙ୍କାର ବ୍ୟବସାୟ କରିବେ। ହୋଟେଲ ସହିତ ରେସ୍ତୋରାଁଗୁଡ଼ିକୁ ମିଶାଇ ଦେଲେ ଭୁବନେଶ୍ବରରେ ୨୦୨୫ର ପ୍ରଥମ ମାସରେ ୫୦ରୁ ୬୦ କୋଟି ଟଙ୍କାର ବେପାର ହେବ ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି। ରୁମ୍ଗୁଡ଼ିକର ହାରାହାରି ଦର ମଧ୍ୟ ୬ ହଜାରରୁ ୭ ହଜାର ଟଙ୍କା ମଧ୍ୟରେ ରହିବ ବୋଲି କ୍ରାଉନ୍ ହୋଟେଲର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ କହିଛନ୍ତି। ତାରକା ବର୍ଗର ହୋଟେଲଗୁଡ଼ିକରେ ଭୁବନେଶ୍ବରରେ ପାଖାପାଖି ୧୨୦୦ ରୁମ୍ ରହିଛି। ଅଣତାରକା ବର୍ଗର ହୋଟେଲ ରୁମ୍ ଗୁଡ଼ିକରେ ହାରାହାରି ରୁମ୍ ଦର ୩ ହଜାରରୁ ୪ ହଜାର ଟଙ୍କା ମଧ୍ୟରେ ରହିବ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି। ହୋଟେଲ ଆଣ୍ଡ୍ ରେସୋରାଁ ଆସୋସିଏସନ୍ ଅଫ୍ ଓଡ଼ିଶା (ହାରୋ)ର କାର୍ଯ୍ୟକାରୀ ସଭାପତି ଡ ଶ୍ରୀନିବାସ ସୁବୁଦ୍ଧି କୁହନ୍ତି, ଓଡ଼ିଶାରେ ୨୦୨୫ ଜାନୁଆରି ମାସରେ ପର୍ଯ୍ୟଟକ ଆଗମନ ସଂଖ୍ୟା ବିଗତବର୍ଷଗୁଡ଼ିକ ତୁଳନାରେ ଯଥେଷ୍ଟ ଭଲ ରହିବ। ବିଦେଶୀ ପର୍ଯ୍ୟଟକମାନେ ଯେଭଳି ଓଡ଼ିଶାର ଚିଲିକା, ଭିତରକନିକା ଭଳି ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ବୁଲି ବିଦେଶରେ ପ୍ରଚାର କରିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏଥିସହିତ ପ୍ରଦର୍ଶନୀ ପଡ଼ିଆରେ ଏକ ଖାଦ୍ୟ ମେଳା ଜାନୁଆରି ମାସରେ ଆୟୋଜନ କରାଯାଇଛି। ଏହି ଖାଦ୍ୟ ମେଳାରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଖାଦ୍ୟ ପରଷାଯିବ। ୨୦୨୫ରେ ରାଜଧାନୀ ଭୁବନେଶ୍ବର ସମେତ ଓଡ଼ିଶାରେ ହୋଟେଲ ବ୍ୟବସାୟ ଭଲ ରହିବ ବୋଲି ସେ ମତ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/tourist.jpg)