ରାଜ୍ୟସ୍ତରୀୟ କୃଷକ ଅଧିକାର ଯାତ୍ରା ଉଦ୍‌ଯାପିତ, କୃଷି ଆଇନ ବାତିଲ ଯାଏ ଆନ୍ଦୋଳନ

ଭୁବନେଶ୍ବର: ୧୨ ମାର୍ଚ୍ଚରୁ ୨୩ ମାର୍ଚ୍ଚ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ କୃଷକ ଅଧିକାର ଯାତ୍ରାକୁ ଆଜି ଲୋୟର୍ ପିଏମ୍‌ଜିରେ କୃଷକ ଅଧିକାର ସମାବେଶ ସଂଗଠିତ କରି ଉଦ୍‌ଯାପିତ କରିଛି। ଏହା ସହିତ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ୨୬ ମାର୍ଚ୍ଚ ଭାରତ ବନ୍ଦ ଡାକରାକୁ ଓଡ଼ିଶାରେ ସଫଳ କରିବା ପାଇଁ ଏହି ସମାବେଶରେ ଆହ୍ବାନ ଦିଆଯାଇଛି।

ସହିଦ୍ ଭଗତ ସିଂହ, ସୁଖ୍‌ଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସରେ ଅଲ୍‌ ଇଣ୍ଡିଆ କିଷାନ୍ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଅନୁଷ୍ଠିତ କୃଷକ ସମାବେଶରେ ଚାଷୀ ନେତାମାନେ କହିଛନ୍ତି, ସରକାର କୃଷକ ସର୍ବନାଶକାରୀ ତଥା ଜନବିରୋଧୀ ୩ କୃଷି ଆଇନକୁ ରବ୍ଦ ନ କରିବା ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ କରାଯିବ। ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଥିବା କୃଷକ ଅଧିକାର ଯାତ୍ରାରେ ମଧ୍ୟ ଆଇନକୁ ଉଚ୍ଛେଦ କରିବା ପାଇଁ ଅକୁଣ୍ଠ ସମର୍ଥନ ମିଳିଥିଲା। ଏହା ବ୍ୟତୀତ ସମାବେଶରେ କଣ୍ଟ୍ରାକ୍ଟ ଫାର୍ମି ନାମରେ ଜମି ହଡ଼ପ, କୃଷି ବିପଣନ ଆଇନ ନାମରେ ସରକାରୀ ମଣ୍ଡି ବ୍ୟବସ୍ଥାକୁ ଅଚଳ କରି ବେସରକାରୀ ମଣ୍ଡି ବ୍ୟବସ୍ଥା ପ୍ରଚଳନକୁ ଉଚ୍ଛେଦ, ସ୍ବାମୀନାଥନ୍ କମିଟିର ସୁପାରିସ୍ କ୍ରମେ କୃଷିଜାତ ମୂଲ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ସମାବେଶରେ ଦାବି କରାଯାଇଥିଲା।

ଏହି କୃଷକ ସମାବେଶରେ ଏମ୍‌ ସୁନିଲମ୍, ସାମ୍ବାଦିକ ରବି ଦାସ, ଏନ୍‌ଏପିଏମ୍‌ର ଆବାହକ ପ୍ରଫୁଲ୍ଲ ସାମନ୍ତରା, ଏଆଇକେଏସ୍‌ର ରାଜ୍ୟ ସଂପାଦକ କ୍ଷୀରୋଦ କୁମାର ସିଂହଦେଓ, ଓଡ଼ିଶା କୃଷକ ସଭାର ରାଜ୍ୟ ସଂପାଦକ ସୁରେଶ ପାଣିଗ୍ରାହୀ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଅଶୋକ ପ୍ରଧାନ, ଏଆଇକେଏମ୍‌ର ରାଜ୍ୟ ସଂପାଦକ ଅଶୋକ ପ୍ରଧାନ, ଏଆଇକେଏମ୍‌ଏସ୍‌ର ରାଜ୍ୟ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆବାହକ ଶ୍ରୀକାନ୍ତ ମହାନ୍ତି, ସଂପାଦକ ରଘୁନାଥ ଦାସ, ଜ୍ୟୋତି ରଂଜନ ମହାପାତ୍ର, ଏଆଇକେକେଏସ୍‌ର ରାଜ୍ୟ ସଂପାଦକ ଶଙ୍କର ସାହୁ, ମାଲକାନଗିରି ଆଦିବାସୀ ସଂଘର ବିଜୟ ଉପାଧ୍ୟାୟ, ଇନ୍‌ସାଫ୍‌ର ଆବାହକ ନରେନ୍ଦ୍ର ମହାନ୍ତି, ପ୍ରତାପ ନାୟକ, ବାସୁଦେବ ଦାସ, ଶଶିଭୂଷଣ ସ୍ବାଇଁ, ଜମେଶ୍ବର ସାମନ୍ତରାୟ, ରମେଶ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, କିଷାନ ପଟ୍ଟନାୟକ, ଟୁନା ମଲ୍ଲିକ, ଉଦ୍ଧବ ଜେନା, କଲ୍ୟାଣ ଆନନ୍ଦ, ଦେବ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର