ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ ଉଦ୍‌ଘାଟିତ

ଭୁବନେଶ୍ବର: ଦ୍ବିତୀୟ ରାଜ୍ୟସ୍ତରୀୟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ସମାରୋହ ବୁଧବାର ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଉଦ୍‌ଘାଟିତ ହୋଇଯାଇଛି। ହିନ୍ଦୁସ୍ଥାନୀ ସଂଗୀତ ସଭା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗିତାରେ ଆୟୋଜିତ ଏହି ୨ ଦିନିଆ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାକୁ ବିଶିଷ୍ଟ ଗବେଷକ ସ୍ଵର୍ଗତ ପଣ୍ଡିତ ଡ. ଦାମୋଦର ହୋତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ସର୍ବେଶ୍ବର ଶତପଥୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପୂର୍ବତନ ସ୍ବତନ୍ତ୍ର ଶାସନ ସଚିବ ପ୍ରଦୀପ କୁମାର ବିଶ୍ବାଳ ଓ ସମ୍ମାନିତ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ଡ. ରଘୁନାଥ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମାରୋହର ପ୍ରଥମ ଦିନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶାସ୍ତ୍ରୀୟ ସଂଗୀତ ଗାୟକ ତଥା ବାଦକମାନେ ସଙ୍ଗୀତ ପରିବେଷଣ କରିଥିଲେ। ଗୁରୁ କରୁଣାକର ନାୟକ, ଗୁରୁ କୃଷ୍ଣଚନ୍ଦ୍ର ଦାଶ, ଗୁରୁ ଅମିତ କୁମାର ରଥ, ଯୁବ କଣ୍ଠଶିଳ୍ପୀ ନର୍ମଦା ରାଉତରାୟ, କାକଳି ଦାଶ ଏବଂ ଏସ. ଚକ୍ର ପ୍ରମୁଖ ଖେୟାଲ ଗାୟନ ପରିବେଷଣ କରିଥିଲେ। ଗୁରୁ ପ୍ରଦ୍ୟୁମ୍ନ କିଶୋର ଦେବ ଏକକ ତବଲା ବାଦନ କରିଥିବା ବେଳେ ଗୁରୁ ବିଶ୍ବମୋହନ ମିଶ୍ର ଗିଟାର ବାଦନ କରିଥିଲେ। ଗୁରୁ ସତ୍ୟବାନ ସେଠୀ ସୀତାର ବାଦନରେ ରାଗ ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଗୁରୁ ସୁଶାନ୍ତ କୁମାର ଜେନା, ତବଲାରେ ଗୁରୁ ଚିତ୍ତରଞ୍ଜନ ମହାପାତ୍ର, ଗୁରୁ କୁଞ୍ଜବିହାରୀ ନାୟକ ଥିବା ବେଳେ ହାରମୋନିୟମରେ ଶଶିକାନ୍ତ ସାହଯୋଗ କରିଥିଲେ। ବୈଦୁର୍ଯ୍ୟନାଥ କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର