ଇତିହାସର ଅଭାବବୋଧ ବଡ଼ ସମସ୍ୟା

ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ଭୁବନେଶ୍ବର: ଭାରତବର୍ଷ ଓ ଓଡ଼ିଶାରେ ଏମିତି ଅନେକ ଐତିହ୍ୟ ସ୍ଥଳ, ସ୍ମୃତିପୀଠ ଓ ସଂଗ୍ରାମୀଙ୍କ ଗାଥା ବହନ କରୁଥିବା ସ୍ଥାନ ଅଛି, ଯାହା ଯୁବପିଢ଼ିଙ୍କ ପାଇଁ କେବଳ ସେଲ୍‌ଫି-ପଏଣ୍ଟ ପାଲଟିଛି। ଯୁବକ/ଯୁବତୀମାନେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ପାଖରେ ଛିଡ଼ା ହୋଇ ଫଟୋ ଉଠାଉଛନ୍ତି, ହେଲେ ସେମାନେ ସେ ବ୍ୟକ୍ତିବିଶେଷଙ୍କ ବିଷୟରେ ଜାଣିବା ପାଇଁ ତିଳେମାତ୍ର ଇଚ୍ଛା ପ୍ରକାଶ କରୁନାହାନ୍ତି। ଏହି ଇତିହାସବୋଧର ଅଭାବ ଆଗାମୀ ସମାଜ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିବ। କନିକା ଗାନ୍ଧୀ, ମହାନ୍‌ ବିପ୍ଳବୀ, କନିକା ପ୍ରଜା‌‌ମେଳି ଆନ୍ଦୋଳନର ପ୍ରମୁଖ ବିନ୍ଧାଣୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ବିଶିଷ୍ଟ କଥାକାର ଗୌରହରି ଦାସ ଏହା କହିଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ କହିଲେ, ବର୍ତ୍ତମାନର ପିଢ଼ି ସଂଗ୍ରାମୀ ଚକ୍ରଧର ଓ ତାଙ୍କର ପ୍ରଜାମେଳି ଆନ୍ଦୋଳନ ସଂପର୍କରେ ଜାଣିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉଚିତ।

ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଲେନିନ୍‌ ମହାନ୍ତି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ବିଧାୟକ ପ୍ରଫୁଲ୍ଲ ସାମଲ କହିଲେ, ଚକ୍ରଧରଙ୍କ ଭଳି ଜଣେ ଜନ‌ନେତାଙ୍କ ଜୟନ୍ତୀ ପାଳନ କରୁଥିବାରୁ ଲୋକସମ୍ପର୍କ ବିଭାଗକୁ ଧନ୍ୟବାଦ। ଏହି ଅବସରରେ ବିଭାଗ ପକ୍ଷରୁ ପ୍ରକାଶ ପାଉଥିବା ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ରେ ଚକ୍ରଧର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ସଂଖ୍ୟା ଛାପିବା ପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ବିଧାୟକ ବିଷ୍ଣୁ ସେଠୀ କହିଲେ, କନିକାର ଲକ୍ଷଲକ୍ଷ ଲୋକଙ୍କ ହୃଦୟର ଭାଷା ଥିଲେ ସ୍ବର୍ଗତ ବେହେରା। ବିଧାୟକ ସଂଜୀବ ମଲ୍ଲିକ କହିଲେ, ସ୍ବର୍ଗତ ବେହେରାଙ୍କ ଜୀବନୀକୁ ଅନୁଧ୍ୟାନ କଲେ ଜଣାଯା‌ଏ ଯେ ଜୀବନରେ ଯେତେ ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ଭାଙ୍ଗି ନ ପଡ଼ି ସଂଘର୍ଷ କରିବା ଉଚିତ।

ବିଧାୟକ ବ୍ୟୋମକେଶ ରାୟ କହିଲେ, ପ୍ରଜାମେଳି, ଗଣଆନ୍ଦୋଳନର ପ୍ରମୁଖ ଯୋଦ୍ଧା ଥିଲେ ବିପ୍ଲବୀ ସ୍ବର୍ଗତ ବେହେରା। ସୂଚନା ଅଧିକାରୀ ପ୍ରମିଳା ମାଝି ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ ଦାସ, ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ବିଭାଗର ବୈଷୟିକ ନ‌ିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସ୍କୁଲ ଛାତ୍ରୀ ଓ ଶିକ୍ଷୟତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୂଚନାଯୋଗ୍ୟ, ସକାଳେ ଲୋକସଂପର୍କ ବିଭାଗ ଓ ବିପ୍ଳବୀ ଚକ୍ରଧର ସ୍ମୃତି ସଂସଦ ପକ୍ଷରୁ ରାଜଭବନ ଛକଠାରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର