ଉଦ୍ଦେଶ୍ୟଠୁ ଦୂରେଇ ଯାଉଛି ରାଜ୍ୟ ଗ୍ରନ୍ଥାଗାର! ୪ ବର୍ଷ ହେଲା ନୂଆ କାର୍ଡ ମିଳୁନି, ଖୋଲା ରହିବା ଅବଧି ହ୍ରାସ ପାଇଛି

ଭୁବନେଶ୍ବର: ଦିନେ ଚାକିରି ଆଶାୟୀଙ୍କ ପ୍ରସ୍ତୁତିଶାଳା ଥିଲା ରାଜ୍ୟ ଗ୍ରନ୍ଥାଗାର। ପାଠପଢ଼ା ପରେ ବା ପାଠପଢ଼ା ଭିତରେ ଯୁବକ ଯୁବତୀମାନେ ଏଠାକୁ ଆସି ନିଜକୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ଏହି ଗ୍ରନ୍ଥାଗାରରେ ଗଚ୍ଛିତ ବିଭିନ୍ନ ଉପାଦେୟ ପୁସ୍ତକ ଓ ସୁସ୍ଥ ପଢ଼ା ପରିବେଶ ଯୁବକ ଯୁବତୀମାନଙ୍କୁ ନୂତନ ଜ୍ଞାନ ଆହରଣ କରିବା ପାଇଁ ସୁଯୋଗ ଦେଉଥିଲା। ଅତୀତରେ ଏଠାରୁ ପ୍ରସ୍ତୁତ ହୋଇ ହଜାରହଜାର ସଂଖ୍ୟାରେ ଯୁବକ ଯୁବତୀ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ମାତ୍ର ଗତ କିଛି ବର୍ଷ ହେଲା ରାଜ୍ୟ ଗ୍ରନ୍ଥାଗାର ତା’ର ମୂଳ ଉଦ୍ଦେଶ୍ୟରୁ ଦୂରେଇ ଯାଉଥିବା ଅଭିଯୋଗ ହେଉଛି। ନୂଆ ବହି ନାହିଁ, ନୂଆ କାର୍ଡ ମିଳୁନି, ପଢ଼ିବା ସମୟ ହ୍ରାସ କରାଯାଇଥିବା ଭଳି ବହୁ ସମସ୍ୟା ପାଇଁ ଯୁବକ ଯୁବତୀମାନେ ରାଜ୍ୟ ଗ୍ରନ୍ଥାଗାରରୁ ଉପକୃତ ହୋଇପାରୁନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି।

ରାଜଧାନୀରେ ଏଭଳି ଏକ ବୃହତ୍ତମ ପାଠାଗାରର ପରିକଳ୍ପନା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ। ୧୯୫୯ ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ୧୯୬୭ ମସିହାରେ ଏହାକୁ ‘ଗାନ୍ଧୀଭବନ’ ନାମରେ ନାମିତ କରାଯାଇଥିଲା। ପରେ ପୁଣି ୧୮୯୭ ମସିହାରେ ଏହାକୁ ହରେକୃଷ୍ଣ ମହତାବଙ୍କ ନାମରେ ନାମିତ କରାଗଲା। ପ୍ରଥମରୁ ଏହାର ଲକ୍ଷ୍ୟ ଥିଲା ପାଠପଢ଼ା ପରେ ଯୁବକ ଯୁବତୀମାନେ କିଭଳି ବିଭିନ୍ନ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସୁଯୋଗ ଦେବା। ତେଣୁ ସେହି ଅନୁସାରେ ହଜାର ହଜାର ସଂଖ୍ୟାରେ ବହି ଏଠାରେ ସାଇତା ହୋଇଥିଲା। ବଡ଼ କଥା ହେଉଛି, ବହି ପଢ଼ିବା ସୁଯୋଗ ସହିତ ବିଭିନ୍ନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କୁ ଗୋଟିଏ ସ୍ଥାନରେ ମିଶିବା ମଉକା ମିଳୁଥିଲା। ଫଳରେ ଚାକିରି ପାଇଁ ଯୁବକ ଯୁବତୀମାନଙ୍କ ଭିତରେ ବିଭିନ୍ନ ସୂଚନା ଆଦାନପ୍ରଦାନ ହୋଇପାରୁଥିଲା। କିରାଣୀ ପରୀକ୍ଷାରୁ ଆରମ୍ଭ କରି ଇଂଜିନିୟରିଂ, ମେଡିକାଲ୍‌, ପ୍ରଶାସନିକ ସେବାରେ ଚାକିରି କରିବାକୁ ଆଶାୟୀମାନେ ଏଠାକୁ ପଢ଼ିବାକୁ ଆସୁଥିଲେ। ସେତେବଳେ ସକାଳ ୮ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ଗ୍ରନ୍ଥାଗାର ଖୋଲା ରହୁଥିଲା। ତେଣୁ କଲେଜ ପରେ ପିଲାମାନେ ରାତିରେ ଆସି ଏଠାରେ ପଢ଼ି ପାରୁଥିଲେ। ସେହିଭଳି କୌଣସି କର୍ମଜୀବୀ ମଧ୍ୟ ଦିନବେଳା କାମରୁ ଛୁଟି ହେବା ପରେ ସନ୍ଧ୍ୟାରେ ଏଠାକୁ ଆସି ପଢ଼ି ପାରୁଥିଲେ। ନିୟମାନୁସାରେ ଏଠାରେ ପଢ଼ିବାକୁ ହେଲେ ପିଲାମାନଙ୍କୁ ଏକ କାର୍ଡ କରିବାକୁ ପଡ଼ୁଥିଲା। କାର୍ଡ ନବୀକରଣ ହେଉଥିଲା। ବର୍ଷକୁ ବର୍ଷ ନୂଆ କାର୍ଡ ମଧ୍ୟ ଯୋଗାଇ ଦିଆଯାଉଥିଲା।

ସଂସ୍କୃତି ବିଭାଗର ନିୟମ ଅନୁସାରେ ପ୍ରତି ୨ ବର୍ଷରେ ଥରେ ୬ ଶହ ପିଲାଙ୍କ ପାଇଁ ଲାଇବ୍ରେରି କାର୍ଡ ନବୀକରଣ କରାଯିବା କଥା। କିନ୍ତୁ ଏଠାରେ ୨୦୧୭ ମସିହାରେ ଶେଷଥର ପାଇଁ କାର୍ଡ ନବୀକରଣ ଓ ପଞ୍ଜୀକରଣ କରାଯାଇଥିଲା। ଏହା ଭିତରେ ଚାରି ବର୍ଷ ବିତିଗଲାଣି ଆଉ ନୂଆ କାର୍ଡ ଯୋଗାଇ ଦିଆଯାଇନାହିଁ। ଶହଶହ ସଂଖ୍ୟାରେ ନୂଆ ପିଲା କାର୍ଡ ପାଇଁ ଅପେକ୍ଷା କରି ବସିଛନ୍ତି। କିନ୍ତୁ ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଉନାହିଁ। ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜନୈକ ଛାତ୍ର ବୀରେନ୍ଦ୍ର ପ୍ରଧାନଙ୍କ କହିବା କଥା, ୩ ବର୍ଷ ହେବ ସେ ଏଠାକୁ ପଢ଼ିବା ପାଇଁ ଆସୁଛନ୍ତି। ପ୍ରତି ଦିନ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଛନ୍ତି। କିନ୍ତୁ ପରିତାପର କଥା, ଏହି ତିନି ବର୍ଷ ଭିତରେ ସେ ଏଠାକୁ ଖଣ୍ଡିଏ ବି ନୂଆ ବହି ଆସିଥିବା ଦେଖିନାହାନ୍ତି। ଏବେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହୁ ନୂଆନୂଆ ବହି ପ୍ରକାଶ ପାଉଛି। ମାତ୍ର ଗ୍ରନ୍ଥାଗାର କର୍ତ୍ତୃପକ୍ଷ କିଛି କିଣୁନାହାନ୍ତି। ଫଳରେ ବହୁ ପିଲା ନିଜ ନିଜ ଖର୍ଚ୍ଚରେ ବହି କିଣି ଏଠାକୁ ପଢ଼ିବାକୁ ଆସୁଛନ୍ତି।

ସେହିଭଳି ନୂଆ‌ କାର୍ଡ ମିଳୁ ନଥିବାରୁ ବହୁ ପିଲା ବାହା‌ରେ ବସି ପଢ଼ୁଛନ୍ତି। ଏହାଛଡ଼ା ଏବେ ଗ୍ରନ୍ଥାଗାର ଖୋଲା ରହିବା ଅବଧିକୁ ହ୍ରାସ କରାଯାଇଛି। ସକାଳ ୧୦ଟାରୁ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି। ତେଣୁ କର୍ମଜୀବୀମାନେ ଆଉ ରାତିରେ ଆସି ଏଠି ପଢ଼ିବା ସୁଗୋଗ ପାଉନାହାନ୍ତି। ଯେଉଁମାନେ ଅସ୍ଥାୟୀଭାବେ ଗୁଜୁରାଣ ମେଣ୍ଟାଇବାକୁ ବେସରକାରୀ ସଂସ୍ଥାରେ ଚାକିରି କରି ପୁଣି ଭଲ ଚାକିରି ପାଇଁ ପ୍ରସ୍ତୁତ ହେବାକୁ ଉଦ୍ୟମ କରୁଛନ୍ତି, ସେମାନେ ଏହି ଗ୍ରନ୍ଥାଗାରରୁ ଆଉ ଉପକୃତ ହେବା ରାସ୍ତା ନାହିଁ। ଏହା ହିଁ ବଡ଼ ପରିତାପର କଥା ବୋଲି ବହ‌ୁ ପିଲା ଅଭିଯୋଗ କରୁଛନ୍ତି। ଏନେଇ ଗ୍ରନ୍ଥାଗାରର ଜଣେ ପଦାଧିକାରୀଙ୍କ କହିବା କଥା, ନୂଆନୂଆ ବହି କିଣିବାକୁ ପୂର୍ବରୁ ବହୁଥର ଯୋଜନା ହୋଇଛି, କିନ୍ତୁ କାର୍ଯ୍ୟକାରୀ କରାଯାଉନାହିଁ। କରୋନା ପାଇଁ ମଧ୍ୟ ନୂଆ କାର୍ଡ କରାଯାଇନାହିଁ। ତେବେ ଗ୍ରନ୍ଥାଗାର ଖୋଲା ରହିବା ଅବଧି ବୃଦ୍ଧି କରିବାକୁ କୌଣସି ଯୋଜନା ନାହିଁ। ଏନେଇ ବିଭିନ୍ନ ମହଲରୁ ଚାପ ସୃଷ୍ଟି କରାଗଲେ, କିଛି ହୋଇପାରେ ବୋଲି ସେ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ।

ସମ୍ବନ୍ଧିତ ଖବର