ରାମଧୁନ୍‌ରେ ଗୁଞ୍ଜରିତ ହେଲା ରାଜ୍ୟ ସଂଗ୍ରହାଳୟ, ଏକା ସଙ୍ଗେ ୩୦ ଜିଲ୍ଲାରେ ମଞ୍ଚସ୍ଥ ହେଲା ‘ଗାନ୍ଧୀଙ୍କ ଓଡ଼ିଶା’

ନିର୍ଦ୍ଦେଶନା ଦେଲେ ୩୦ ନିର୍ଦ୍ଦେଶକ, ଅଭିନୟ କଲେ ୯୦୦ କଳାକାର, ଉଦ୍‌ଘାଟିତ ହେଲା ‘ଅଡିଓ ସିଷ୍ଟମ୍‌’

ଭୁବନେଶ୍ବର: ରଘୁପତି ରାଘବ ରାଜା ରାମ୍‌…, ବୈ‌ଷ୍ଣବ ଜନ ତୋ… ଆଦି ମହାତ୍ମାଙ୍କ ପ୍ରିୟ ଭବନରେ ଗୁଞ୍ଜରିତ ହେଉଥିଲା ରାଜ୍ୟ ସଂଗ୍ରହାଳୟ ପରିସର। ଆଉ ଏହି ସଂଗୀତ ଭିତରେ ନିମଗ୍ନ ହୋଇ ବାପୁଙ୍କୁ ମନେ ପକାଉଥିଲେ ଶ୍ରୋତା। ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପ୍ରଣାମ ବାପୁ’। ଏହି ଅବସରରେ ରାମଧୁନ୍‌ ସହ ସଂଗ୍ରହାଳୟର ‘ଅଡିଓ ସିଷ୍ଟମ୍‌’ ଉଦ୍‌ଘାଟିତ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଅଡିଓ ସିଷ୍ଟମର ଉଦ୍‌ଘାଟନ କରିଥିଲେ। ଏବେ ବର୍ଷ ତମାମ ରାଜ୍ୟ ସଂଗ୍ରହାଳୟର ପ୍ରତିଟି ଗ୍ୟାଲେରିରୁ ସୁମଧୁର ଧୀର ସଙ୍ଗୀତ ଗୁଞ୍ଜରିତ ହେବ। ଏହି ଅବସରରେ ବିଭାଗୀୟ ଶାସନ ସଚିବ ଶ୍ରୀ ସେଠୀଙ୍କ ଦ୍ବାରା ରଚିତ କବିତା ‘ଅହିଂସା’ ପାଠ କରାଯାଇଥିଲା। ଏଥିସହ ଆଜି ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସଂଗ୍ରହାଳୟ ପରିଦର୍ଶନରେ ଯାଇ ‘ପ୍ରଣାମ ବାପୁ’ କାର୍ଯ୍ୟକ୍ରମର ଅଂଶ ପାଲଟିଥିଲେ। ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଭୁବନେଶ୍ୱର: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଏକ ନିଆରା ପ୍ରୟାସ କରାଯାଇଛି। ଏକାଡେମି ପକ୍ଷରୁ ୩୦ଟି ଜିଲ୍ଲାରେ ପରିବେଷିତ ହୋଇଛି ନାଟକ ‘ଗାନ୍ଧୀଙ୍କ ଓଡ଼ିଶା’। ଗୋଟିଏ ସମୟରେ ୩୦ ଜିଲ୍ଲାର ମଞ୍ଚରେ ନାଟକଟି ମଞ୍ଚସ୍ଥ ହୋଇଥିଲା। ଶଙ୍କର ତ୍ରିପାଠୀଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନା ଦେଇଥିଲେ ୩୦ ଜଣ ଜଣାଶୁଣା ନାଟ୍ୟ ନିର୍ଦ୍ଦେଶକ। ପ୍ରାୟ ୯୦୦ କଳାକାର ଏଥିରେ ଭାଗ ନେଇଥିଲେ।

ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ମଞ୍ଚରେ ‘ଗାନ୍ଧୀଙ୍କ ଓଡ଼ିଶା’ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ନିର୍ଦ୍ଦେଶନା ଦେଇଥିଲେ ନବୀନ କୁମାର ପରିଡ଼ା। ଉଦ୍‌ଘାଟନୀ ସମାରୋହରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ଏକାଡେମିର ସଚିବ ପ୍ରବୋଧ ରଥ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଗାନ୍ଧୀ ବିଚାରର ସବୁବେଳେ ପ୍ରାସଙ୍ଗିକତା ରହିଛି। ତାଙ୍କ ନୀତି ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଏକାଡେମି ପକ୍ଷରୁ ‘ଗାନ୍ଧୀ ଓଡ଼ିଶା’ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏଥିରେ ୩୦ ଜିଲ୍ଲାରେ ‘ଗାନ୍ଧୀଙ୍କ ଓଡ଼ିଶା’ ନାଟକର ନାଟ୍ୟ ନିର୍ଦ୍ଦେଶକ ଓ ୯ ଶହ କଳାକାରଙ୍କ ନାମ ରହିଛି। ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଟିଏ ଦିନରେ ଗୋଟିଏ ନାଟକରେ ଏତେ ସଂଖ୍ୟକ କଳାକାରଙ୍କ ନିୟୋଜିତ ହୋଇଥିବା ହେଉଛି ରାଜ୍ୟରେ ପ୍ରଥମ। ଏହି ନାଟକକୁ ନେଇ ଗିନିଜ୍ ବୁକ୍ ରେକର୍ଡର ସମ୍ଭାବନା ରହିଛି। ଗାନ୍ଧୀଜୀ ବିଭିନ୍ନ ସମୟରେ ଓଡ଼ିଶା ଆସିଥିଲା ବେଳେ ଯେଉଁ ଯେଉଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ତାହାର ଏକ ନାଟକୀୟ ରୂପ ‌ଏଥିରେ ପ୍ରଦର୍ଶିତ କରାଯାଇଛି। ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀଜୀ ପ୍ରଥମ ଓଡ଼ିଶା ଗସ୍ତରେ ଆସିଥିଲେ। ୧୯୪୬ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଗାନ୍ଧୀଜୀ ଆଉ ୭ ଥର ଓଡ଼ିଶା ଗସ୍ତ କରିଥିଲେ। ଗାନ୍ଧୀଜୀ ୧୩ଟି ଜିଲ୍ଲା ଗସ୍ତ କରିଥିଲେ ସୁଦ୍ଧା ୩୦ଟି ଜିଲ୍ଲାରେ ତାଙ୍କ ଗସ୍ତର ବ୍ୟାପକତା ରହିଛି।

ବିଜେବି କଲେଜରେ ମହାତ୍ମା ଗାନ୍ଧୀଙ୍କ ଶତବାର୍ଷିକୀ ପାଳନ

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ଯୋଗୁଁ ସ୍ବାଧୀନତା ଆନ୍ଦୋଳନ ନେଇ ଓଡ଼ିଶାରେ ଅଧିକ ଉତ୍ସାହ ସହ ରାଜନୈତିକ ବାତାବରଣ ସୃଷ୍ଟି ହୋଇଥିଲା। ମହାତ୍ମା ଗାନ୍ଧୀଙ୍କ ଶତବାର୍ଷିକୀ ଦିବସ ଅବସରରେ ବିଜେବି ସ୍ବୟଂଶାସିତ କଲେଜର ରାଜନୀତି ବିଭାଗର ପ୍ରଥମ ବର୍ଷ ସ୍ନାତକ ବିଭାଗ ପକ୍ଷରୁ ଆୟୋଜିତ ୱେବିନାରରେ ଏହି ମତ ପ୍ରକାଶ ପାଇଛି।

ଏଥିରେ ପ୍ରତ୍ୟୁଷ ମେହେର, ବିପସା ଦାସ, ପ୍ରତ୍ୟାଶା ବୈରୀଗଞ୍ଜନ, ଶିବାଲିକା ପାଢୀ, ଅପୂର୍ବା କର, ଅଙ୍କିତା ଜେନା, ଦୀପଲି ଅପରାଜିତା, ଶେଖ ଓବେଦ, ଅମ୍ଲାନ ମିଶ୍ର, ମହେଶ୍ବର ସେଠୀ, ଆଶୁତୋଷ ରାଉତ, ରୁଦ୍ର ପ୍ରସାଦ ପ୍ରମୁଖ ବିଦ୍ୟାର୍ଥୀ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ କୁହାଯାଇଥିଲା, ଗାନ୍ଧୀଜୀ ମୋଟ ୮ ଥରରେ ୬୯ ଦିନ ପାଇଁ ଓଡ଼ିଶା ଆସିଛନ୍ତି। ତାଙ୍କ ଗସ୍ତ କାଳରେ ସେ ଗୋପବନ୍ଧୁ, ମଧୁବାବୁଙ୍କୁ ଭେଟିବା ସହିତ ଓଡ଼ିଶାର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ପ୍ରତ୍ୟେକ ସ୍ଥାନକୁ ଯାଇଛନ୍ତି। କାର୍ଯ୍ୟକ୍ରମ ଆୟୋଜନରେ ପ୍ରାଧ୍ୟାପକ ଅଭିରାମ ବିଶ୍ବାଳ, ସୁମନ ଦାସ, ଶୁଭଶ୍ରୀ ମିଶ୍ର, ସୁନନ୍ଦା ହୋତା ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର