କୃଷି-କୃଷକ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବ୍ୟବସ୍ଥାର ବିକଳ ଚିତ୍ର: ରାଜ୍ୟରେ କେବଳ ୧.୯% ଶୀତଳ ଭଣ୍ଡାର ରହିଛି

ଭୁବନେଶ୍ବର: ରାଜ୍ୟରେ ସମୁଦାୟ ଆବଶ୍ୟକତାର କେବଳ ୧.୯ ପ୍ରତିଶତ ଶୀତଳ ଭଣ୍ଡାର ରହିଛି। ଦେଶରେ ୧୭ ପ୍ରତିଶତରୁ କମ୍‌ ଶୀତଳଭଣ୍ଡାର ରହିଛି। ତେଣୁ ରାଜ୍ୟକୁ ଅଧିକ ଶୀତଳ ଭଣ୍ଡାର ଏବଂ ଅଭାବୀ ବିକ୍ରି ରୋକିବା ପାଇଁ ଗୋଦାମର ଆବଶ୍ୟକତା ରହିଛି। ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ କୃଷି ଓଡ଼ିଶା ପ୍ରଦର୍ଶନୀର ତୃତୀୟ ଦିନର କାର୍ଯ୍ୟକ୍ରମର ସଂଧ୍ୟାରେ ରାଜ୍ୟରେ କୃଷି ବ୍ୟବସ୍ଥାର ଏମିତି ବିକଳ ଚିତ୍ର ଉପସ୍ଥାପନ କରିଛନ୍ତି ଆର୍‌ବିଆଇର ଆଞ୍ଚଳିକ ନିର୍ଦେଶକ ଏଚ୍‌ଏନ୍‌ ପଣ୍ଡା।

କୃଷି ପ୍ରଦର୍ଶନୀର ପ୍ରଥମ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ରାଜ୍ୟରେ କୃଷି ଅଭିବୃଦ୍ଧି, ସ୍ବତନ୍ତ୍ର କୃଷି ବଜେଟ, ମିଲଟ ମିସନ ପ୍ରଶଂସା, ମତ୍ସ୍ୟ, ନଡ଼ିଆ, ଛତୁ ସମେତ ବିଭିନ୍ନ ଉତ୍ପାଦନରେ ଅଗ୍ରଣୀ ଥିବା ସୂଚନା ଦିଆଯାଇଥିଲା। ଏପରିକି ଧାନ ଛାଡ଼ି ପରିବା ଚାଷ ଆପଣାଇବା ପାଇଁ ଆହ୍ବାନ କରାଯାଇଥିଲା। ମାତ୍ର ଶୀତଳ ଭଣ୍ଡାର ଓ ଗୋଦାନ ନ ଥିଲେ ଏହା କିଭଳି ସଫଳ ହେବ, ଏହାକୁ ନେଇ ପ୍ରଶ୍ନବାଚୀ ରହିଛି। କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା କହିଲେ ଯେ ରାଜ୍ୟରେ କୃଷି ଅଭିବୃଦ୍ଧି ହାର ସ୍ଥିର ନୁହେଁ। ପ୍ରକୃତିକ ବିପର୍ଯ୍ୟୟ ଏହାର ଏକ କାରଣ। ଏଠାରେ ଦୃଢ କୃଷି ଭିତ୍ତିଭୂମିର ଆବଶ୍ୟକତା ରହିଛି। କୃଷି ଋଣ ଉପରେ ଆର୍‌ବିଆଇ ଦୃଷ୍ଟି ରଖିଛି। ୧୮ ପ୍ରତିଶତକୁ କୃଷି ଋଣ ପାଇଁ ବାଧ୍ୟତାମୂଳକ କରାଯାଇଛି। କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ ୮ ପ୍ରତିଶତ ଋଣ ବାଧ୍ୟତାମୂଳକ କରାଯାଇଛି। ମାଲକାନଗିରି ଭଳି ୬ ଜିଲ୍ଲାରେ ଅଧିକ ଋଣ ନେବା ପାଇଁ କୁହାଯାଇଛି। ୨୦୧୯ ମସିହାରୁ ରାଜ୍ୟରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ନିର୍ଦେଶ ରହିଛି। ଏହି ଅବସରରେ ମିଲଟ ମିସନକୁ ନେଇ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ, କୃଷି କୃଷକ ସଶକ୍ତୀକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥି ଅନ୍ତର୍ଗତରେ କ୍ଷୁଦ୍ର ଶସ୍ୟକୁ ଅନ୍ତର୍ଜାତୀୟ ବଜାରରେ ମାନବୃଦ୍ଧି କରାଯିବାର ଲକ୍ଷ୍ୟ ରହିଛି। ଏଥିରେ ବିଧାୟକ ସୁଶାନ୍ତ ରାଉତ ମଞ୍ଚାସୀନ ଥିଲେ। ହେମନ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସକାଳେ କୁକୁଡ଼ା ପାଳନ ଏକ କ୍ରମବର୍ଧିଷ୍ଣୁ ଉଦ୍ୟୋଗ, ଉଦ୍ୟୋଗୀଙ୍କ ଦୃଷ୍ଟିରେ ବ୍ୟବସାୟିକ ଗୋପାଳନ, କୃଷି ଉତ୍ପାଦନ ବୃଦ୍ଧିରେ ସମନ୍ବିତ ଚାଷର ଭୂମିକା ନେଇ ଆଲୋଚନା ହୋଇଥିଲା। ଏଥିରେ ଆପିକଲ ଅଧ୍ୟକ୍ଷ ପ୍ରଭାଦିତ୍ୟ ମିଶ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କମିସନର ଆର୍‌. ରଘୁପ୍ରସାଦ, ପ୍ରାଣୀ ପାଳନ ବିଭାଗ କମିସନର ରତ୍ନାକର ରାଉତ, କୁକୁଡ଼ା ବିକାଶ ଉପନିର୍ଦେଶକ ଦିଗମ୍ବର ନାୟକ, ଓଭିଓ ଫାର୍ମ ନିର୍ଦେଶକ ସମରେନ୍ଦ୍ର ମିଶ୍ର, କୃଷି ଉତ୍ପାଦନ କମିସନର ଆରକେ ଶର୍ମା, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ମୃତ୍ତିକା ସଂରକ୍ଷଣ ବିଭାଗ ନିର୍ଦେଶକ ହେମନ୍ତ ପଣ୍ଡା, ଓୟୁଏଟିର ମୁଖ୍ୟ କ୍ଷେତ୍ର ବିଜ୍ଞାନୀ ପ୍ରଫେସର ଆଲୋକ ପାତ୍ର, ଓସୋପକାର ସହକାରୀ କୃଷି ଅଧିକାରୀ ଡ.ପରେଶ ପଣ୍ଡା, ଆପିକଲର ପୂର୍ବତନ ପରିଚାଳନା ନିର୍ଦେଶକ ଏକେ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର