ଜାଗା ପାଇଁ ଲଟକିଛି ଷ୍ଟେଟ୍‌ ଅଫ ଦି ଆର୍ଟ ପରୀକ୍ଷାଗାର, ଚନ୍ଦକା ଅଞ୍ଚଳରେ ନିର୍ମାଣ ଯୋଜନା

ଭୁବନେଶ୍ବର: ରାଜଧାନୀରେ ଏକ ଅତ୍ୟାଧୁନିକ ଷ୍ଟେଟ୍‌ ଅଫ୍ ଦି ଆର୍ଟ ପରୀକ୍ଷାଗାର ନିର୍ମାଣ କରିବା ଲାଗି ପ୍ରାୟ ୫ବର୍ଷ ତଳେ ନିଷ୍ପତ୍ତି ନେଇଥିଲା ସ୍ବାସ୍ଥ୍ୟ ବିଭାଗ। ହେଲେ ଆଜି ପର୍ଯ୍ୟନ୍ତ ଏଥିରେ ଇଟା ଖଣ୍ଡେ ବି ଯୋଡ଼ି ହୋଇପାରିଲା ନାହିଁ। ପ୍ରଥମେ ୟୁନିଟ୍‌-୪ସ୍ଥିତ ଗୋଷ୍ଠୀ ସ୍ବ‌ାସ୍ଥ୍ୟ କେନ୍ଦ୍ର, ପରବର୍ତୀ ସମୟରେ କ୍ୟାପିଟାଲ ହସ୍ପିଟାଲରେ ଏହାକୁ ନିର୍ମାଣ କରିବା ଲାଗି ଯୋଜନା ହୋଇଥିଲା। ହେଲେ ସରକାରୀ ଆନ୍ତରିକତାର ଅଭାବ ଯୋଗୁଁ ଏହା କେବଳ ଯୋଜନାରେ ହିଁ ସୀମିତ ରହିଛି। ଏବେ କେଉଁଠାରେ ଏହାକୁ ନିର୍ମାଣ କରାଯିବ ସେ ନେଇ କିଛି ନିଷ୍ପତ୍ତି ନେଇପାରୁନି ବିଭାଗ।

ରାଜ୍ୟରେ ଏବେ କୌଣସି ଷ୍ଟେଟ୍‌ ଅଫ୍ ଦି ଆର୍ଟ ପରୀକ୍ଷାଗାର ନାହିଁ। ପରୀକ୍ଷାଗାର ନିର୍ମାଣ ପଛରେ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା, ଆରଏମ୍‌ଆରସି ଉପରୁ ଚାପ କମାଇବା। ରାଜ୍ୟରେ ଯେକୌଣସି ଜଟିଳ ରୋଗର ପରୀକ୍ଷା ପାଇଁ ଆରଏମ୍‌ଆରସି ଭୁବନେଶ୍ବର ଉପରେ ନିର୍ଭର କରିବାକୁ ପଡ଼ୁଛି। ତେଣୁ ରାଜ୍ୟ ସରକାର ନିଜସ୍ବ ଏକ ଅତ୍ୟାଧୁନିକ ପରୀକ୍ଷାଗାର ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ। ଯାହାକି ଏକ ରେଫରାଲ ପରୀକ୍ଷାଗାର ଭାବେ କାର୍ଯ୍ୟ କରିଥା’ନ୍ତା। ଜିଲ୍ଲାସ୍ତରରେ କୌଣସି ପରୀକ୍ଷାର ଆବଶ୍ୟକତା ପଡ଼ିଲେ ସେଠାରୁ ନମୁନା ଏଠାକୁ ଆସି ପରୀକ୍ଷା ହୋଇଥା’ନ୍ତା। ପରୀକ୍ଷାଗାରରେ ଜାପାନିଜ୍‌ ଏନସେଫାଲାଇଟିସ୍‌, ଚିକିନ୍‌ଗୁନିଆ, ସ୍ବାଇନ୍ ଫ୍ଳୁ ଭଳି ଅନ୍ୟ ରୋଗର ଚିହ୍ନଟ ହେବାରେ ଏହାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଥିଲା। ଏପରିକି ଚଳିତ କରୋନା ମହାମାରୀ ସମୟରେ ଏହି ପରୀକ୍ଷାଗାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତା। ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାଗାରରେ ଭାଇରୋଲୋଜି, ପାଥୋଲୋଜି, ବାଇଓକେମିଷ୍ଟ୍ରି ଭଳି ପରୀକ୍ଷାର ସୁବିଧା ଯେପରି ମିଳିପାରିବ, ସେଥିପାଇଁ ନିଷ୍ପତ୍ତି ହୋଇଥିଲା। ପରବର୍ତୀ ସମୟରେ ଏହାର ଅନ୍ୟ ଶାଖାଗୁଡ଼ିକର ମଧ୍ୟ ବୃଦ୍ଧି କରିବାର ଯୋଜନା ରହିଥିଲା। ପରୀକ୍ଷାଗାରର ପ୍ଲାନ୍ ପ୍ରସ୍ତୁତ ହୋଇସାରିଛି, ହେଲେ ଏହାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ଆଗେଇ ପାରିନାହିଁ।

ପ୍ରାଥମିକ ପର୍ଯ୍ୟାୟରେ ୟୁନିଟ୍‌-୪ ସିଏଚ୍‌ସିରେ ଏହାକୁ ନିର୍ମାଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଜନା କରାଯାଇଥିଲା। ମାତ୍ର ୭/୮ ମହଲା ବିଶିଷ୍ଟ ଏକ ବିଲ୍ଡିଂ ପାଇଁ ସେଠାରେ ଜାଗାର ଅଭାବ ଯୋଗୁଁ ଏହି ନିଷ୍ପତ୍ତି କାଟ୍‌ ଖାଇଥିଲା। ପରବର୍ତୀ ସମୟରେ ଆରଏମ୍‌ଆରସିର ଜଣେ ଅଧିକାରୀ ସମେତ ସ୍ବାସ୍ଥ୍ୟ ବିଭାଗର ୩ଜଣିଆ ଏକ ଟିମ୍ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବା ସହ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ, ତାହାର ରିପୋର୍ଟ ପ୍ରଦାନ କରାଯାଇଥିଲା। ଫଳରେ ପରୀକ୍ଷାଗାର ନିର୍ମାଣ ଆଗେଇବା ନେଇ ଆଶା ସଞ୍ଚାର ହୋଇଥିଲା। ହେଲେ ଏହି ରିପୋର୍ଟ ଉପରେ କ’ଣ ପଦକ୍ଷେପ ନିଆଗଲା, ତାହା ଏବେ ବି ରହସ୍ୟଘେରରେ ରହିଛି। ଏପରିକି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଏହି ଅତ୍ୟାଧୁନିକ ପରୀକ୍ଷାଗାରକୁ ନିର୍ମାଣ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଅମଙ୍ଗ ହେଉଥିବା ସୂଚନା ମିଳିଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟତଃ ଜାଗା ପାଇଁ ପରୀକ୍ଷାଗାର ନିର୍ମାଣରେ ବିଳମ୍ବ ହୋଇଛି। ପରୀକ୍ଷାଗାରର ପ୍ଲାନ୍ ଅନୁସାରେ ୟୁନିଟ୍‌-୪ ସିଏଚ୍‌ସିରେ ଏହାର ନିର୍ମାଣ ସମ୍ଭବ ନୁହେଁ। ତେଣୁ ଚନ୍ଦକା ଅଞ୍ଚଳରେ ଏହି ପରୀକ୍ଷାଗାରକୁ ନିର୍ମାଣ କରିବା ଲାଗି ଏବେ ଯୋଜନା କରାଯାଉଛି। ତେଣୁ ଜାଗା ଯୋଗାଇଦେବା ଲାଗି ସାଧାରଣ ପ୍ରଶାସନ ବିଭାଗକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି। ମାତ୍ର ଏ ପର୍ଯ୍ୟନ୍ତ କିଛି ଠୋସ୍‌ ନିଷ୍ପତ୍ତି ନିଆଯାଇ ନଥିବା ସୂଚନା ମିଳିଛି। ତେଣୁ ଜାଗା ଚିହ୍ନଟ ଓ ନିର୍ମାଣ କାର୍ଯ୍ୟ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର