ଭୁବନେଶ୍ବର: ଲିଗାମେଣ୍ଟ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାକୁ ଏକ ବିଶେଷ ସଫଳତା ମିଳିଛି। ଖ୍ୟାତନାମା ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପୋର୍ଟସ ମେଡିସିନ ବିଶେଷଜ୍ଞ ଡା. ସାର୍ଥକ ପଟ୍ଟନାୟକ ସଫଳତାର ସହିତ ରାଜ୍ୟର ପ୍ରଥମ ସିନ୍ଥେଟିକ୍ ଗ୍ରାଫ୍ଟଭିତ୍ତିକ ଲିଗାମେଣ୍ଟ ପୁନର୍ଗଠନ ଅସ୍ତ୍ରୋପଚାର କରିଛନ୍ତି। କ୍ରୀଡ଼ା ଆଘାତ ପରିଚାଳନା କ୍ଷେତ୍ରରେ ଏହା କେବଳ ନୂଆ ଅଧ୍ୟାୟ ଯୋଡ଼ିନାହିଁ ବରଂ ରାଜ୍ୟକୁ ଅନ୍ତର୍ଜାତୀୟସ୍ତରର ଅସ୍ତ୍ରୋପଚାର ପ୍ରଯୁକ୍ତି ଆଣିପାରିଛି। ଏହି ପଦ୍ଧତି ଅସ୍ତ୍ରୋପଚାରରେ ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିବା ସହିତ ଆରାମ ଅନୁଭବ କରିଥାଏ। ଉଭୟ କ୍ରୀଡ଼ାବିତ୍ ଏବଂ ଅଣକ୍ରୀଡ଼ାବିତ୍‌ଙ୍କୁ ଏହା ଦୀର୍ଘମିଆଦୀ ଲାଭ ପ୍ରଦାନ କରିଥାଏ। 

Advertisment

ସଡ଼କ ଦୁର୍ଘଟଣାରେ ଆହତ ଜଣେ ୨୭ ବର୍ଷୀୟା ମହିଳା ଦେଢ଼ବର୍ଷ ଧରି ଗୁରୁତର ଆଣ୍ଠୁ ସମସ୍ୟା ଦେଇ ଗତି କରୁଥିଲେ। ତାଙ୍କର ଓଜନ ୧୦୦ କିଗ୍ରା ରହିଥିଲା। ତାଙ୍କର ୩ଟି ଅସ୍ତ୍ରୋପଚାର କରାଯାଇଥିଲେ ମଧ୍ୟ ଆଣ୍ଠୁ ଠିକ୍‌ ହୋଇପାରି ନଥିଲା। ପାରମ୍ପରିକ ଚିକିତ୍ସା ଦ୍ବାରା ମହିଳା ଚଲାବୁଲା କରିବାରେ ସକ୍ଷମ ହୋଇ ପାରୁନଥିଲେ। ସ୍ପୋର୍ଟସ ସାଇନ୍ସ ଇଣ୍ଡିଆର ପ୍ରତିଷ୍ଠାତା ଡା. ପଟ୍ଟନାୟକ ବ୍ରିଟେନର ସିରୋସ୍‌ ଦ୍ବାରା ବିକଶିତ ଜୁଏଲ ଏସିଏଲ ସିନ୍ଥେଟିକ୍ ଗ୍ରାଫ୍‌ ପ୍ରୟୋଗ ପାଇଁ ନିଷ୍ପତ୍ତି ନେଇଥିଲେ। ଅସ୍ତ୍ରୋପଚାର ମାତ୍ର ଏକ ଘଣ୍ଟା ମଧ୍ୟରେ ଶେଷ ହୋଇଥିଲା। ଉଚ୍ଚ ମାନର ପଲିଷ୍ଟରରୁ ଜୁଏଲ ଏସିଏଲ୍‌ ପ୍ରସ୍ତୁତ ହୋଇଥାଏ। ଏହି ସଫଳତା ପରିପ୍ରେକ୍ଷୀରେ ଡା. ପଟ୍ଟନାୟକ କହିଛନ୍ତି ଯେ ଆମର ଲକ୍ଷ୍ୟ ଥିଲା ରୋଗୀଙ୍କୁ ଶୀଘ୍ର ସୁସ୍ଥ କରି ତାଙ୍କୁ ଚଲାବୁଲା ସକ୍ଷମ କରିବା। ଏଥିସହିତ ରୋଗୀ ଯେଭଳି ଅଧିକ କଷ୍ଟ ଅନୁଭବ ନକରି ସୁସ୍ଥ ହେବେ ତାହା ମଧ୍ୟ ଲକ୍ଷ୍ୟ ଥିଲା। ଜୁଏଲ ଏସିଏଲ ଦ୍ବାରା କମ୍‌ ଯନ୍ତ୍ରଣାରେ ଅଧିକ ସୁଫଳ ମିଳିଛି। ଏହା ହେଉଛି ଏସିଏଲ ପୁନର୍ଗଠନର ଭବିଷ୍ୟତ। ଏହି ଲିଗାମେଣ୍ଟ ପୁନର୍ଗଠନ ଅସ୍ତ୍ରୋପଚାର ଫଳରେ ଭୁବନେଶ୍ବର ବିଶ୍ବର ଅତ୍ୟାଧୁନିକ ସିନ୍ଥେଟିକ ରୋପଣ ପ୍ରଯୁକ୍ତି କେନ୍ଦ୍ରରେ ପରିଣତ ହୋଇଛି।