ବାଲିପାଟଣା: ଗଜପତି ମହାରାଜା ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ଶାସନ କାଳର ମୂକସାକ୍ଷୀ ହୋଇ ରହିଛି ଗାଁ ବାଗଲପୁର। ବାଲିପାଟଣା‌ ତୁରିନ୍ତିରା ପଞ୍ଚାୟତର ଏହି ଗାଁରେ ରହିଛି ସେସମୟର(ଦ୍ବାଦଶ ଶତାବ୍ଦୀ) କୀର୍ତ୍ତିରାଜି। ରାଣୀ ପାଟ ମହାଦେଇ ବାଘଲଦେବୀଙ୍କ ନାମାନୁସାରେ ଗାଁର ନାଁ ହୋଇଛି ବାଗଲପୁର। ସେହିଭଳି ରାଣୀଙ୍କ ପ୍ରିୟ ଏହି ଗାଁ ନିକଟରେ ରହିଛି ରାଣୀଙ୍କ ପୋଖରୀ ହଂସୁଆଣି ଓ ପୋଖରୀ କୂଳରେ ରହିଛି ହଂସବଲ୍ଲଭ ମୂର୍ତ୍ତି। ପରିତାପର ବିଷୟ, ଏସବୁ ଏବେ କେବଳ ଲୋକକଥା ହୋଇରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଐତିହ୍ୟସମ୍ପନ୍ନ ହଂସବଲ୍ଲଭ ପ୍ରତିମୂର୍ତ୍ତି ଅବକ୍ଷୟ ହେବାରେ ଲାଗିଛି।

Advertisment

ପୁରୁଣା ଭୁବନେଶ୍ବରର ପ୍ରସିଦ୍ଧ ଠାକୁର ଅନନ୍ତ ବାସୁଦେବଙ୍କ ପ୍ରତିମା ତିଆରି ହୋଇଥିବା ଶିଳାରେ ହଂସବଲ୍ଲଭ ମୂର୍ତ୍ତି ନିର୍ମାଣ ହୋଇଛି ବୋଲି ଲୋକକଥା ରହିଛି। କିନ୍ତୁ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ଥିବାରୁ ଏହି ବିରଳ ପଥରର ମୂର୍ତ୍ତି ବିଲୁପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଲୋକକଥା ଅନୁଯାୟୀ, ବାଗଲପୁରେ ଥିବା ହଂସୁଆଣି ପୋଖରୀକୁ ଦ୍ୱାଦଶ ଶତାବ୍ଦୀର ଗଜପତି ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ତୃତୀୟ ପତ୍ନୀ ରାଣୀ ପାଟ ମହାଦେଈ(ବାଘଲ ଦେବୀ)ଙ୍କ ସୁପାରିଶରେ ଖନନ କରାଯାଇଥିଲା। ପୋଖରୀ କୂଳରେ ରାଣୀ ହଂସବଲ୍ଲଭଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଇଥିଲେ। ରାଣୀ ବାଘଲ ଦେବୀ ହଂସବଲ୍ଳଭଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଇବା ସହ ଉକ୍ତ ପୋଖରୀର ନାମକରଣ କରିଥିଲେ ହଂସୁଆଣି। ସେହିଭଳି ପାଖ ଜନବସତିକୁ କୁହାଯାଉଛି ହଂସୁଆଣି ଗାଁ। ଲୋକକଥାରେ କେବଳ ଏତିକି ହିଁ ରହିଛି।

ହଂସବଲ୍ଲଭ ମୂର୍ତ୍ତିଟି କୌଣସି ମନ୍ଦିରରେ ପ୍ରତିଷ୍ଠା ହୋଇନଥିବାରୁ ଏବଂ ପୂଜା ପାଉ ନଥିବାରୁ ଏହା କୌଣସି ଦେବତାଙ୍କ ପ୍ରତିମୂର୍ତ୍ତି ନୁହେଁ। ତେବେ ଏହା କି ପ୍ରକାର ମୂର୍ତ୍ତି, ଏହାକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ। ତେବେ ପ୍ରାଚୀନ କାରୁକାର୍ଯ୍ୟଭରା ଏହି ମୂର୍ତ୍ତିଟି ନଷ୍ଟ ହେବାକୁ ବସିଥିବାରୁ ସଂସ୍କୃତିପ୍ରେମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଐତିହାସିକ ସ୍ଥାପତ୍ୟ ପ୍ରତି ରାଜ୍ୟ ସଂସ୍କୃତି ବିଭାଗର ଅବ‌ହେଳା ସଂସ୍କୃତିପ୍ରେମୀଙ୍କୁ ବ୍ୟଥିତ କରିଛି। ହଂସବଲ୍ଲଭ ପ୍ରତିମୂର୍ତ୍ତିରେ ଥିବା ପ୍ରାଚୀନ କଳାର ସଂରକ୍ଷଣ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ଏମିତିକି ଏବାବଦରେ ଅଧିକ ଗବେଷଣା ହେଲେ, ପୁରୁଣା ଭୁବନେଶ୍ବରର ଅନନ୍ତ ବାସୁଦେବଙ୍କ ମନ୍ଦିର ପ୍ରତିଷ୍ଠା ସମେତ ବାଗଲପୁର ସହ ରାଣୀ ପାଟ ମହାଦେଇଙ୍କ ସମ୍ପର୍କ ବାବଦରେ ବହୁ ତଥ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।