ପ୍ରତିମୂର୍ତି ରକ୍ଷଣାବେକ୍ଷଣ କରିବ ସଂସ୍କୃତି ବିଭାଗ: ରାଜଧାନୀରେ ଅଛି ୭୧ ପ୍ରତିମୂର୍ତ୍ତି

ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ ପ୍ରତି ନଜର ଦେବାକୁ ଦାବି

ସସ୍ମିତା ସାହୁ
ଭୁବନେଶ୍ବର: ବରପୁତ୍ରମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ଅବଦାନ ନେଇ ପର ପିଢ଼ିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିମୂର୍ତି ସ୍ଥାପନ କରାଯାଏ। ପ୍ରେରଣାର ଉତ୍ସ ଭଳି ସହରର ପ୍ରତି ପ୍ରମୁଖ ଛକରେ ବରପୁତ୍ରମାନଙ୍କ ଏହି ପ୍ରତିମୂର୍ତି ଜନସାଧାରଣଙ୍କୁ ନିଜ ଜାତି ଓ ଦେଶ ପାଇଁ କିଛି କରିବାର ବାର୍ତା ଦିଅନ୍ତି। ରାଜଧାନୀର ପ୍ରମୁଖ ଛକରେ ମହାପୁରୁଷମାନଙ୍କ ପ୍ରତିମୂର୍ତି ସ୍ଥାପନ କରି ସରକାର ସେମାନଙ୍କୁ ସମ୍ମାନ ଜଣାଇବା ସ୍ବାଗତଯୋଗ୍ୟ। କିନ୍ତୁ ପ୍ରତିମୂର୍ତିର ଉପଯୁକ୍ତ ରକ୍ଷଣାବେକ୍ଷଣ କରା ନ ଯାଇ ପୂଜ୍ୟପୂଜା ପ୍ରତି ଅସମ୍ମାନ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ଏହାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିଲା ପରେ ଏବେ ସରକାରଙ୍କ ଚେତା ପଶିଛି। ରାଜଧାନୀରେ ଥିବା ସମସ୍ତ ପ୍ରତିମୂର୍ତ୍ତିକୁ ସଂସ୍କୃତି ବିଭାଗ ରକ୍ଷଣାବେକ୍ଷଣ କରିବାକୁ ନିଷ୍ପତ୍ତି ହୋଇଛି। ବିଭିନ୍ନ ମହଲରେ ଏହି ପଦକ୍ଷେପକୁ ସ୍ବାଗତ କରାଯାଇଛି।

ରାଜଧାନୀରେ ଅବହେଳିତ ହୋଇ କେଉଁଠି ଗଛ ଆଢ଼ୁଆଳରେ ତ’ ଆଉ କେଉଁଠି ଅପରିଷ୍କାର ବାତାବରଣରେ ପ୍ରତିମୂର୍ତି ପଡ଼ି ରହୁଛି। ଏନେଇ ଅନେକ ସମୟରେ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ବି କିଛି ସୁଫଳ ମିଳି ନ ଥିଲା। କିଛି ଘରୋଇ ସଂସ୍ଥା ଏହିସବୁ ପ୍ରତିମୂର୍ତି ସଫା କରି ସେମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ମାଲ୍ୟାର୍ପଣ କରୁଥିବା‌ ବେଳେ ସରକାର ବେଳେବେଳେ ଏମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ବି ଭୁଲିଯାଆନ୍ତି। ସରକାରଙ୍କ ପ୍ରତିଟି ବିଭାଗ ଏହିପାଇଁ ଉତ୍ତରଦାୟୀ ହୋଇଥିବା ବେଳେ ସାମଗ୍ରିକ ଉତ୍ତରଦାୟିତ୍ବ କାହାର ଦାୟିତ୍ବ ନୁହେଁ ନ୍ୟାୟରେ ବର୍ଷତମାମ ଏହି ପ୍ରତିମୂର୍ତି ସବୁ ଦୟନୀୟ ଅବସ୍ଥାରେ ପଡ଼ିରୁହନ୍ତି। ଏହାର ରକ୍ଷଣାବେକ୍ଷଣା ଠିକ୍‌ ଭାବେ କରିବା ପାଇଁ ରାଜ୍ୟ ସରକାର ଅନେକ ସମୟରେ ନିଷ୍ପତ୍ତି ନେଇଥିବା ବେଳେ ବିଧିବଦ୍ଧ ଭା‌ବେ କୌଣସି ବିଭାଗକୁ ଏହାର ଦାୟିତ୍ବ ଦିଆଯାଇ ନ ଥିଲା।

ଏବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଏ ନେଇ ଦାୟିତ୍ବ ନ୍ୟସ୍ତ କରାଯାଇଛି ବୋଲି ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ ଦାସ କହିଛନ୍ତି। ବିଭାଗ ସବୁ ପ୍ରତିମୂର୍ତିର ରକ୍ଷଣାବେକ୍ଷଣା କରିବା ସହ ବରପୁତ୍ରମାନଙ୍କର ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ପୁଷ୍ପମାଲ୍ୟ ଅର୍ପଣ କରିବ। ବିଧାନସଭା ପରିସରରେ ଥିବା ସମସ୍ତ ପ୍ରତିମୂର୍ତି ବି ଏହାର ଅନ୍ତର୍ଭୁକ୍ତ ହେବ। ଏବେ ସଂସ୍କୃତି ବିଭାଗ ବ୍ୟବସ୍ଥିତ ଢଙ୍ଗରେ ପୂଜ୍ୟପୂଜା ଆୟୋଜନ କରିବ ବୋଲି ଶ୍ରୀ ଦାସ କହିଛନ୍ତି। ରାଜଧାନୀରେ ଏବେ ମୋଟ୍‌ ୭୧ଟି ପ୍ରତିମୂର୍ତି ରହିଛି। ୧୯୯୬ରେ ରସୁଲଗଡ଼ ଛକଠାରେ ସ୍ଥିତ ନେତାଜୀ ସୁଭା‌ଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତି ସ୍ଥାପିତ ହୋଇଥିଲା। ଏହାପରେ ୨୦୦୦ରୁ ୨୦୨୦ ମସିହା ମଧ୍ୟରେ ବିଭିନ୍ନ ସମୟରେ ସହରରେ ୭୦ଟି ପ୍ରତିମୂର୍ତି ପ୍ରତିଷ୍ଠା ହୋଇଛି। ସେଥିମଧ୍ୟରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସର୍ବାଧିକ ୫ଟି ପ୍ରତିମୂର୍ତି ରହିଛି। ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାରେ ଅବଦାନ ରଖିଥିବା ପ୍ରଥିତଯଶା ବରପୁତ୍ର, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ସଙ୍ଗୀତଜ୍ଞ, ନୃତ୍ୟଶିଳ୍ପୀ, ବିପ୍ଳବୀ ଓ ନାଟ୍ୟକାରମାନଙ୍କ ପ୍ରତିମୂର୍ତି ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ରହିଛି।

ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିବା ସ୍ଥାନରେ ଆଉ ଏକ ବିଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି। ବହୁ ପ୍ରତିମୂର୍ତ୍ତିର ପାରିପାର୍ଶ୍ବିକ ସ୍ଥାନ ଏତେ ଅପରିଷ୍କାର ହୋଇ ପଡ଼ି ରହୁଛି ଯେ ସେଠାରେ କୌଣସି ପ୍ରତିମୂର୍ତି ଅଛି ବୋଲି ଜାଣିବା ବି କଷ୍ଟ ହୋଇଯାଉଛି। ପିଏମ୍‌ଜି ଛକ ପାଖରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତି ଏହାର ଜ୍ବଳନ୍ତ ଉଦାହରଣ। ପ୍ରତିମୂର୍ତି ଚାରିକଡ଼ ଜଙ୍ଗଲ ସଦୃଶ୍ୟ ହୋଇଯାଇଥିବାରୁ ରାସ୍ତ‌ାରେ ଯାଉଥିବା ବ୍ୟକ୍ତିଟିଏ ପ୍ରତିମୂର୍ତି ଦେଖିବା ସମ୍ଭବ ହେଉନି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ ସହରର ଅନେକ ଜାଗାରେ ଏହି ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହା ବରପୁତ୍ରମାନଙ୍କ ଅପମାନ ବୋଲି ଅନେକ ସମୟରେ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଥିବାର ନଜିର ବି ରହିଛି। ଏଣୁ ରକ୍ଷଣାବେକ୍ଷଣ କଲା ସମୟରେ ସଂସ୍କୃତି ବିଭାଗ ପ୍ରତିମୂର୍ତିଗୁଡ଼ିକର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି। ଏହା ସହରର ସୌନ୍ଦର୍ଯ୍ୟ ବଢ଼ାଇବା ସହ ମହାପୁରୁଷମାନଙ୍କ ଅବଦାନକୁ ଲୋକଙ୍କ ମନରେ ଉଜ୍ଜୀବିତ କରାଇପାରିବ।

ସମ୍ବନ୍ଧିତ ଖବର