୪୦ ଜଣ ଫେରିପାଇଲେ ଚୋରି ମୋବାଇଲ୍‌

ଭୁବନେଶ୍ବର: ଲୁଟେରାଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ଜବତ ଚୋରି ମୋବାଇଲ୍‌କୁ ଫେରାଇବା ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଏଥିପାଇଁ ମୋବାଇଲ୍‌ ମାଲିକଙ୍କ ତଥ୍ୟ ସଂଗ୍ରହ କରାଯାଉଛି। ତେବେ ଆଜି ପ୍ରଥମ ପର୍ଯ୍ୟାୟରେ ୪୦ଜଣ ଲୋକଙ୍କୁ ସେମାନଙ୍କ ଚୋରି ମୋବାଇଲ୍‌ ଫେରାଇ ଦିଆଯାଇଛି। କିଛିଦିନ ତଳେ ସହିଦନଗର ଥାନା ପୁଲିସ ଏକ ତେଲେଙ୍ଗା ଲୁଟେରା ଗ୍ୟାଙ୍ଗ୍‌ ଠାରୁ ଏହି ମୋବାଇଲ୍‌ଗୁଡ଼ିକୁ ଜବତ କରିଥିଲା। ମାଲିକଙ୍କ ତଥ୍ୟ ସଂଗ୍ରହପରେ ଆଜି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡ଼ାକି ଫେରାଇ ଦିଆ ଯାଇଥିଲା। ଆହୁରି ୧୩୦ଜଣଙ୍କ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି ବୋଲି ଥାନା ପକ୍ଷରୁ କୁହାଯାଇଛି। ସେହିପରି କମିସନରେଟ୍‌ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ୫ଶହରୁ ଊର୍ଧ୍ବ ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇଥିବା ଡିସିପି ଉମାଶଙ୍କର ଦାସ କହିଛନ୍ତି। ଥାନାଗୁଡ଼ିକରେ ଆହୁରି ଅଧିକ ଜବତ୍ ମୋବାଇଲ୍‌ ରହିଛି। ସେଗୁଡ଼ିକୁ ମଧ୍ୟ ଖୁବ୍‌ଶୀଘ୍ର ଲୋକଙ୍କୁ ଫେରାଇ ଦିଆଯିବ। ଏହାଛଡ଼ା ଲୋକମାନେ ସେମାନଙ୍କ ଆଇଏମ୍‌ଆଇ ନମ୍ବର ଦାଖଲ କରି ମୋବାଇଲ୍‌ ନେଇପାରିବେ ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧିତ ଖବର