ଜଣେ ଅସହାୟ ବାପାର କାହାଣୀ: ପୁଅ ହତ୍ୟାର ନ୍ୟାୟ ପାଇଁ ୧୭ ଦିନ ହେଲାଣି ଘୂରି ବୁଲୁଛନ୍ତି

ଦିନ ଗଡ଼ାଇ ଚାଲିଛି ପୁଲିସ, ଅଭିଯୋଗ ଆଧାରରେ କାହିଁକି ତଦନ୍ତ କରି ନ ଥିଲା ପୁଲିସ?

ଭୁବନେଶ୍ବର: ଏକମାତ୍ର ପୁଅ ନିଶା ଜାଲରେ ପଡ଼ି ବାଟବଣା ହୋଇ ଯାଇଥିଲା। ଭେଣ୍ଡିଆ ପୁଅକୁ ଦୁଇ ବର୍ଷ ହେଲା ବାପା ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ। ବିଶ୍ବାସ ଥିଲା ପୁଅ ଭଲ ହୋଇ ପୁଣି ମୁଖ୍ୟସ୍ରୋତକୁ ଫେରିବ, ରୋଜଗାର କରି ପରିବାର ଚଳାଇବ। କିନ୍ତୁ ପୁଅକୁ ପିଟିପିଟି ହତ୍ୟା କରାଗଲା। ଆଉ ୧୭ ଦିନ ହେଲା ପୁଅକୁ ନ୍ୟାୟ ଦେବା ପାଇଁ ରାଜଧାନୀର ରାଜରାସ୍ତାରେ ଘୂରି ବୁଲୁଛନ୍ତି ଅସହାୟ ବାପା। ଏ ହେଉଛି ଜଗତସିଂହପୁର ଅଲଣାହାଟ ଜୋତ ଅଞ୍ଚଳର ବାବାଜୀ ସେଠୀଙ୍କ କାହାଣୀ।

ଚଳିତମାସ ୫ ତାରିଖରେ ବାବାଜୀଙ୍କ ପୁଅ ତ୍ରିନାଥଙ୍କର ନିଶା ନିବାରଣ କେନ୍ଦ୍ରରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ପୁଅକୁ ହତ୍ୟା କରାଯାଇଥିବା ନେଇ ତ୍ରିନାଥ ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି। ଗତ ୬ ତାରିଖରେ ତ୍ରିନାଥ କରିଥିବା ଅଭିଯୋଗକୁ ପ୍ରଥମେ ପୁଲିସ ଗ୍ରହଣ କରି ନ ଥିଲା। ଗୋଟିଏ ଦିନ ପରେ ଅଭିଯୋଗ ରଖିଥିଲା। କିନ୍ତୁ ସେହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରି ନ ଥିଲା। ନା କର୍ତ୍ତୃପକ୍ଷଙ୍କୁ ଜେରା କରିଥିଲା ନା ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିଲା। ତ୍ରିନାଥ ଅନ୍ୟ କିଛି ଅନ୍ତେବାସୀଙ୍କ ସହ ଛାତରୁ ଡେଇଁ ପଳାଇବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କର୍ତ୍ତୃପକ୍ଷ କହିଥିବା ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଥିଲା। ସେମାନଙ୍କ କଥାକୁ ବିଶ୍ବାସ କରି ପୁଲିସ ତଦନ୍ତ ଆଗକୁ ବଢ଼ାଇ ନ ଥିଲା। ତ୍ରିନାଥ ଶରୀରରେ ଛାତରୁ ଡେଇଁବା ଭଳି ସେଭଳି କିଛି କ୍ଷତ ଚିହ୍ନ ନ ଥିଲା ବରଂ ପିଟି ପିଟି ହତ୍ୟା କରା ଯାଇଥାଇ ପାରେ ବୋଲି ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା। ପୁଲିସ ହାତରେ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଲାଗି ସାରିଛି। ଏହି ଲମ୍ବା ୧୭ ଦିନ ସମୟ ଭିତରେ ସନ୍ଦିଗ୍ଧମାନେ ଫେରାର ହୋଇ ଗଲେଣି। କିନ୍ତୁ ଏଯାଁଏ ପୁଲିସ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠାଇ ପାରି ନାହିଁ।

ବାବାଜୀ ରାଜଧାନୀରେ କେତେକ ସରକାରୀ ବାସଭବନରେ ଦିନ ମଜୁରିଆ ଭାବେ ମାଳି କାମ କରନ୍ତି। ଗତକାଲି ମଧ୍ୟ ସେ ସହିଦନଗର ଥାନାକୁ ଯାଇଥିଲେ। ଦିନତମାମ୍ ବସି ବସି ସନ୍ଧ୍ୟାରେ ଫେରିଥିଲେ ମଧ୍ୟ ଘଟଣା ସମ୍ପର୍କରେ ତାଙ୍କ ସହ କୌଣସି ପୁଲିସ ଅଧିକାରୀ ଆଲୋଚନା କରି ନ ଥିଲେ। ବାବାଜୀ ଜଣେ ଗରିବ, ଅସହାୟ ହୋଇଥିବାରୁ ତାଙ୍କ ପୁଅ ମୃତ୍ୟୁ ମାମଲା ଉପରୁ ରହସ୍ୟ ଉଠାଇବାକୁ ପୁଲିସ ବିଳମ୍ବ କରୁଛି କି? ନା ଅନ୍ୟ କୌଣସି ଚାପ ରହିଛି? ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଅନ୍ୟପକ୍ଷରେ ଯେତେ କଷ୍ଟ ହେଲେ ମଧ୍ୟ ପୁଅକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼ିବେ ବୋଲି କହିଛନ୍ତି ବାବାଜୀ।

ସମ୍ବନ୍ଧିତ ଖବର