‘ନାଚବାଲି’ରେ ଲୋକକଳା ସଖୀନାଚର କାହାଣୀ, ଆଜି ରିଲିଜ୍‌ ହେବ

ଭୁବନେଶ୍ବର : ଓଡ଼ିଶାର ଲୋକପ୍ରିୟ ସଖୀନାଚକୁ ଆଧାର କରି ନିର୍ମିତ ହୋଇଛି ଫିଲ୍ମ ‘ନାଚବାଲି’। ଜଣାଶୁଣା ଓଡ଼ଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀଙ୍କ ଏସ୍‌ଜେ ପ୍ରଡକ୍ସନ ହାଉସ ବ୍ୟାନରରେ ଏହା ରିଲିଜ ହେବ। ଆସନ୍ତାକାଲି ବିଶ୍ବ ନୃତ୍ୟଦିବସ ଅବସରରେ ଏହାର ୱାର୍ଲଡ୍‌ ପ୍ରିମିୟର ସହ ରିଲିଜ କରାଯିବ। ଏହି ପିଲ୍ମଟି ୨୦ଟି ଭାଷାରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଫିଲ୍ମର କାହାଣୀ ଅନୁଯାୟୀ କୁଇନ ଓ ସୋମୁ ଦୁହେଁ ଗାଁ ଗାଁ ବୁଲି ନାଚ କରନ୍ତି। ଲୋକେ ତାଙ୍କୁ ନାଚବାଲି ବୋଲି ଡାକନ୍ତି। ଏହି ସଖୀନାଚ ଠିକ୍ ଠାକ ଚାଲିଥିବା ବେଳେ ସମୟାନୁସାରେ ଧୀରେ ଧୀରେ ଏହାର ଲୋକପ୍ରିୟତା କମିବାରେ ଲାଗିଲା। ଏମାନେ ଗାଁ ଗହଳିର ଲୋକ ହୋଇଥିବାରୁ ନାଚକୁ ନେଇ ଆଗକୁ ବଢ଼ିପାରିନଥିଲେ।

ଶେଷରେ କାମ ନପାଇ ସେମାନଙ୍କୁ ଭୋକ ଉପାସରେ ଦିନ ବିତାଇବା ପାଇଁ ପଡ଼େ। ଏପରି ଏକ ସମୟ ଆସେ ମୁଠାଏ ଖାଇବା ପାଇଁ ପରସ୍ପରକୁ ଆକ୍ରମଣ କରିବା ପାଇଁ ମଧ୍ୟ ପଛାଇନାହାନ୍ତି। ଏମିତି ଏକ ମର୍ମସ୍ପର୍ଶୀ କାହାଣୀକୁ ନେଇ ୨୯ ମିନିଟର ଫିଲ୍ମ ପ୍ରସ୍ତୁତ ହୋଇଛି। ଏହି ଚଳଚ୍ଚିତ୍ରରେ ଥିବା ଗୀତ ‘ନାଚବାଲି ପୁଣି ନାଇବ ନୂପୁର’ ଦର୍ଶକମାନଙ୍କ ହୃଦୟକୁ ଛୁଇଁବ ବୋଲି କହିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଶାଶ୍ବତ ଯୋଶୀ। ଚଳଚ୍ଚିତ୍ରରେ କୁଇନ୍‌ ଭୂମିକାରେ ଅଭିନୟ କରିଛନ୍ତି କିନ୍ନର ଆୟେଶା ବେହେରା। ବିଭୁଦତ୍ତ ଦାଶ ଏବଂ ସୁଧାଂଶୁ ଶତପଥୀ ଅଭିନୟ କରିଛନ୍ତି। ଫିଲ୍ମରେ ଥିବା ଗୀତକୁ ସ୍ମୃତିସ୍ବର ଗାଇଛନ୍ତି। ଗୀତରେ ସୁମିତ୍ ଦୀକ୍ଷିତ୍ ମ୍ୟୁଜିକ ଦେଇଥିବା ବେଳେ ନିହାର ପ୍ରିୟାଶିଷ ଗୀତକୁ ଲେଖିଛନ୍ତି। ଶାଶ୍ବତ ଯୋଶୀ ୟୁଟ୍ୟୁବ୍ ଚ୍ୟାନେଲରେ ୧ମାସ ପର୍ଯ୍ୟନ୍ତ ମାଗଣା ଦେଖିବା ପାଇଁ ଏହା ଉପଲବ୍ଧ ହେବ। ପରେ ଏହାକୁ ଏକ ନ୍ୟାସନାଲ ଓଟିଟି ପ୍ଲାଟଫର୍ମକୁ ବିକ୍ରି କରାଯିବ। ଏହି ଓଟିଟି ପ୍ଲାଟଫର୍ମରୁ ରୋଜଗାର ହୋଇଥିବା ଟଙ୍କାକୁ ସଖୀନାଚ ସହ ଜଡ଼ିତ ଗଞ୍ଜାମର କଳାକାର ମାନଙ୍କୁ ଦିଆଯିବ ବୋଲି ଶ୍ରୀ ଯୋଶୀ କହିଛନ୍ତି।

୨୦୨୫ରେ ଓଡ଼ିଶାର କଳା ଓ ପରମ୍ପରାକୁ ନେଇ ଏକ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଶାଶ୍ବତ ଏକ ଗବେଷଣା କରୁଥିବା ସମୟରେ ଏହି ଫିଲ୍ମଟିକୁ କରିବା ପାଇଁ ମନସ୍ଥ କରିଥିଲେ। ଦୀର୍ଘ ୧ବର୍ଷରୁ ଅଧିକ ସମୟ ଧରି ଗବେଷଣା କରିବା ପରେ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।

ସମ୍ବନ୍ଧିତ ଖବର