‘କାଲିର ଅତୀତ’ରେ ସାତଭାୟାର କାହାଣୀ: ନୀଳମାଧବ

ଓସ୍କାର ଦୌଡ଼ରେ ସାମିଲ ହୋଇଛି ଓଡ଼ିଆ ସିନେମା ‘କାଲିର ଅତୀତ’। ନୀଳମାଧବ ପଣ୍ଡାଙ୍କ ନିର୍ଦେଶିତ ଏହି ସିନେମା ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦେଶକ ପରି ବିଭାଗରେ ସାଧାରଣ ବର୍ଗରେ ପ୍ରବେଶ କରିଛି। ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ରପତ୍ତନ ବୃଦ୍ଧି ଯୋଗୁଁ ଲୋକେ କିଭଳି ପ୍ରଭାବିତ ହେଉଛନ୍ତି, ତାହାକୁ ନେଇ ସିନେମାର କାହାଣୀ ପର୍ଯ୍ୟବସିତ। ଦୀର୍ଘ ୧୪ବର୍ଷ ଧରି କେନ୍ଦ୍ରାପଡ଼ାର ସାତଭାୟା ଉପରେ କାମ କରିବା ପରେ ‘କାଲିର ଅତୀତ’ ନିର୍ମାଣ ହୋଇଥିବା ନିର୍ଦ୍ଦେଶକ ଶ୍ରୀ ପଣ୍ଡା ‘ସମ୍ବାଦ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି।
ସାକ୍ଷାତକାର-କେଶବ ପାଣି

ସିନେମା ‘କାଲିର ଅତୀତ’ କାହାଣୀ ସମ୍ପର୍କରେ କ’ଣ କହିବେ?
ବର୍ତମାନ ସମୟରେ ଜଳବାୟୁ ପରିବର୍ତନ ଯୋଗୁଁ ବାତ୍ୟା, ବନ୍ୟା ବଢ଼ୁଛି। ଏଥିରୁ ଜଣାପଡ଼ୁଛି ଯେ ଦିନ ଆସିବ, ଦୁନିଆ ଜଳମୟ ହୋଇଯିବ। ସେହି ଦର୍ଶନଶାସ୍ତ୍ରକୁ ଆଧାର କରି ସିନେମାର କାହାଣୀ ହୋଇଛି। ‘କାଲିର ଅତୀତ’ ମାନବ ଜଗତର ଭବିଷ୍ୟତ କଥା କହୁଛି। କେନ୍ଦ୍ରାପଡ଼ାର ସାତଭାୟା ଉପରେ ସିନେମା ପର୍ଯ୍ୟବସିତ ହୋଇଛି। ୨୦୦୬ରେ ସୁଟିଂ ସମୟରେ ଏଠାରେ ୩ଟି ଗାଁ ଥିଲା। ତେବେ ଆଜି ଏଠାରେ ମଣିଷର ଚିହ୍ନବର୍ଣ୍ଣ ନାହିଁ। ସମୁଦ୍ରର ଜଳପତ୍ତନ ବୃଦ୍ଧି ଯୋଗୁଁ ଏଭଳି ସମସ୍ୟା ହେଉଛି। ଜଣେ ଲୋକ ଘରକୁ ଫେରିଲା ବେଳକୁ ତାହାର ଘରଦ୍ବାର କିଛି ନାହିଁ। ଆଉ ତା’ପରେ ସେ ପାଣି ଭିତରେ ନିଜର ନୂଆ ଦୁନିଆ ଦେଖୁଛି। ଯାହାକୁ ନେଇ କାହାଣୀ ଗତିଶୀଳ।
ଓସ୍କାର ଦୌଡ଼ରେ ବାଜି ମାରିବା ନେଇ କେତେ ଆଶାବାଦୀ ଅଛନ୍ତି?
ବାଜି ମାରିବ କି ନ ମାରିବ, ତାହା ପରର କଥା। ତେବେ ସଫଳତା ମିଳିବ ବୋଲି ଆଶା ଅଛି। କାହିଁକି ନା ଫିଲ୍ମ ଜଳବାୟୁ ପରିବର୍ତନ ଉପରେ ପର୍ଯ୍ୟବସିତ। ବହୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଭାଗ ନେବା ଲାଗି ଇତି ମଧ୍ୟରେ ଅଫର୍‌ ଆସିଲାଣି। ତେଣୁ ଓସ୍କାର ଦୌଡ଼ରେ ସଫଳତା ଆଣିଦେବ।
ବଲିଉଡର ନାମକରା କଳାକାରଙ୍କୁ ନ ନେଇ ଓଡ଼ିଆ ପୁଅ ପୀତବାସଙ୍କୁ ନେବା ପଛର କାରଣ?
ଆଗରୁ ଅନେକ ସିନେମାରେ ବଲିଉଡ୍‌ର ଆଗଧାଡ଼ି ଅଭିନେତା, ଅଭିନେତ୍ରୀଙ୍କୁ ନେଇଛି। ସିନେମାର ଚରିତ୍ର ସହ କଳାକାର ଖାପ ନ ଖାଇଲେ ମୁଁ ସୁଟିଂ କରେନି। ‘ଆଇ ଆମ୍‌ କଲାମ’ରେ ବି ପୀତବାସଙ୍କୁ ନେଇ କାମ କରିଥିଲି। ତାଙ୍କ ନିକଟରେ ଭରପୁର ଦକ୍ଷତା ରହିଛି।
ସୁଟିଂ ସମୟର କିଛି ଅନୁଭୂତି ପାଠକଙ୍କ ସାମ୍ନାରେ ରଖିବେ?
୨୦୦୬ରେ ସିନେମାର ସୁଟିଂ ଆରମ୍ଭ ହୋଇଥିଲା। ଏଥିପାଇଁ ସାତଭାୟାରେ ବହୁତ ସମୟ ବିତାଇବାକୁ ପଡ଼ିଛି। ଜଳବାୟୁ ସମସ୍ୟା‌ ଉପରେ ୧୨/୧୩ ବର୍ଷ କାମ କରିବା ପରେ ସୁଟିଂ ପାଇଁ ୩୦ରୁ ୪୦ ଦିନ ଲାଗିଥିଲା। କୁମ୍ଭୀର ଥିବା ଦୁଇଟି ନଈକୁ ପାରି ହୋଇ ଯିବାକୁ ପଡ଼ିଥିଲା। ୧୨ କିମି ଜଙ୍ଗଲ ଭିତରେ ଚାଲି ଚାଲି ଯାଇଥିଲୁ। ସାଙ୍ଗରେ ଖାଇବା ନେଇ ଯିବା ସହ ଜଙ୍ଗଲ ଭିତରେ ରହିଥିଲୁ। ଏହା ମୋର ପ୍ରଥମ ଫିଲ୍ମ ଯେଉଁଥିରେ ସ୍କ୍ରିପ୍ଟ ଲେଖାଯାଇ ନ ଥିଲା। ବରଂ ଚରିତ୍ର, ସମୟ ଓ ପରିସ୍ଥିତି ସହ ସ୍କ୍ରିପ୍ଟ ଆଗକୁ ବଢ଼ିଚାଲିଥିଲା।

ସମ୍ବନ୍ଧିତ ଖବର