ହରିହର ପଣ୍ଡାଙ୍କ ‘ରଜାଘର କଥା’ ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ଜମିଦାରୀ ଗଡ଼ରେ ଥିବା ରାଜପ୍ରାସାଦର ଇତିହାସ ଓ ବର୍ତମାନର କାହାଣୀ ସମ୍ବଳିତ ‘ରଜାଘର କଥା’ ପୁସ୍ତକ ମଙ୍ଗଳବାର ଅପରାହ୍‌ଣରେ ଉନ୍ମୋଚିତ ହୋଇଯାଇଛି। ହରିହର ପଣ୍ଡାଙ୍କ ଲିଖିତ ଏ ପୁସ୍ତକ ପ୍ରକାଶ କରିଛି ପେନ୍‌ ଇନ୍‌ ବୁକ୍ସ। ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ ଓ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ। ହରପ୍ରସାଦ ଦାସ କହିଥିଲେ, ଆମର ଅଧିକାଂଶ ଇତିହାସ ୟୁରୋପୀୟ ଢାଞ୍ଚାରେ ଓ ୟୁରୋପୀୟମାନେ ଚାହୁଁଥିବା ପ୍ରକାରେ ଲେଖାଯାଇଛି। ତେଣୁ ଆମ ଇତିହାସର ପୁନର୍ଲିଖନ ସହ ସାଧାରଣ ଜନତାର ଇତିହାସ ବା ଲୋକ ଇତିହାସ ଲେଖାଯିବାର ଆବଶ୍ୟକତା ରହିଛି। ଓଡ଼ିଶା ପରିପ୍ରେକ୍ଷୀରେ ଆମ ଐତିହାସିକମାନେ ପ୍ରମାଣ ଓ ତଥ୍ୟ ପଛରେ ପଡ଼ି ଲୋକମୁଖର କଥାକୁ ଅଣଦେଖା କରିଛନ୍ତି ଏବଂ ଆଞ୍ଚଳିକ ଇତିହାସକୁ ଆଦୌ ଗୁରୁତ୍ବ ଦେଇନାହାନ୍ତି ବୋଲି ସେ କହିଥିଲେ।

ଗଡ଼ଜାତ ଇତିହାସ ଉପରେ ଗବେଷଣା କରୁଥିବା ଦାଶ ବେନହୁର କହିଲେ, ‘ରଜାଘର କଥା’ ଏକ ଦ୍ବାର ଖୋଲିଦେଲା। ସ୍ବାଧୀନତା ପୂର୍ବ ସମୟର ରଜାଘର ଦେଖିଥିବା ଓ ସେ କାହାଣୀ ଜାଣିଥିବା ବ୍ୟକ୍ତିମାନେ କ୍ରମଶଃ ଅପସରି ଯାଉଥିବାରୁ ଏଭଳି ପ୍ରୟାସ ଜରୁରୀ ବୋଲି ସେ କହିଥିଲେ। ଗଡ଼ଜାତକୁ ନେଇ ଇଂରେଜ ଶାସନ ସମୟରେ ଯଦିଓ ବହୁ ପ୍ରଜାପୀଡ଼ନର କାହାଣୀ ଶୁଣିବାକୁ ମିଳେ, କିନ୍ତୁ ଇଂରେଜ ଆସିବା ପୂର୍ବରୁ ରାଜା-ପ୍ରଜା ସମ୍ପର୍କ ବେଶ୍‌ ମଧୁର ଥିଲା ବୋଲି ଶ୍ରୀ ବେନହୁର କହିଥିଲେ। ପେନ୍‌ ଇନ୍‌ ବୁକ୍ସର ମୁଖ୍ୟ କଥାକାର ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଦେବା ସହ ସଭା ପରିଚାଳନା କରିଥିବା ବେଳେ ପୁସ୍ତକର ଲେଖକ ହରିହର ପଣ୍ଡା ଲେଖକୀୟ ବକ୍ତବ୍ୟ ବାଢ଼ିଥିଲେ। ସଭାର ସିଧାପ୍ରସାରଣ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।

ସମ୍ବନ୍ଧିତ ଖବର