ଖଣ୍ଡଗିରି: ୱାର୍ଡ ନମ୍ବର ୨୩ କଳିଙ୍ଗବିହାର ଅଞ୍ଚଳର ମମତା ବେହେରା ବିଦ୍ୟୁତ୍ଖୁଣ୍ଟରେ ବତି ଜଳୁ ନଥିବାରୁ ୧୫ ଦିନ ତଳେ ବିଏମ୍ସି ଭୁବନେଶ୍ବର ସ୍ମାର୍ଟସିଟି ହେଲ୍ପ୍ଲାଇନ୍ ୧୯୨୯ରେ ଯୋଗାଯୋଗ କଲେ। ହେଲ୍ପ୍ଲାଇନ୍ ନମ୍ବର ଉଠାଇଥିବା ଅଧିକାରୀ ତାଙ୍କ ନାଁ, ଫୋନ୍ ନମ୍ବର ୱାର୍ଡ ନମ୍ବର ସବୁ ବୁଝି ଅଭିଯୋଗ ପଞ୍ଜୀକୃତ ହେଲା ବୋଲି କହି ଫୋନ୍ କାଟିଲେ। ୭ ଦିନ ପରେ ତାଙ୍କୁ ଯୋଗାଯୋଗ କରି କିଛି କର୍ମଚାରୀ ବିଜୁଳିବତି ସଜାଡ଼ିବା ପାଇଁ ଆସିଲେ। ହେଲେ ଏହା ତାଙ୍କ ଅଞ୍ଚଳରେ ଯାଉ ନାହିଁ କହି ଚାଲିଗଲେ। ପରେ ମମତା ବାରମ୍ବାର ୧୯୨୯କୁ ଯୋଗାଯୋଗ କଲେ। ହେଲେ ସେଠାରୁ ନା’ ପଞ୍ଜୀକରଣ ନମ୍ବର ମିଳିଲା ନା ସମସ୍ୟାର ସମାଧାନ ହେଲା। ୩ମାସ ହେଲା ବିଭିନ୍ନ ସ୍ଥାନର ୨୦ରୁ ୨୫ ବତି ଜଳୁ ନଥିବାରୁ ଅଞ୍ଚଳ ଏବେ ବି ଅନ୍ଧାରରେ। ସେହିପରି ୪୩ ନମ୍ବର ୱାର୍ଡର କେନାଲ୍ ରୋଡ୍ରେ ରହୁଥିବା ଜଣେ ଉପଭୋକ୍ତା ମାସେ ତଳେ ୧୯୨୯ରେ ଅଭିଯୋଗ କରିଥିଲେ। ଏହାକୁ ମଧ୍ୟ ସଜାଡ଼ିବାକୁ ଅଧିକାରୀ ଆସିଲେ ଏବଂ ତାଙ୍କ ସଂସ୍ଥା ଅଧୀନରେ ଏହି ସ୍ଥାନ ଯାଉ ନାହିଁ କହି ଫେରିଗଲେ। ଅନୁରୂପ ଅବସ୍ଥା ୬୦ ନମ୍ବର ୱାର୍ଡ ନାରାୟଣ ମନ୍ଦିର ପାଖରେ ରହୁଥିବା ରଘୁ ବେହେରାଙ୍କର। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜୁଳିବତି ସଜଡ଼ା ଯାଇ ପାରିଲାନି। ଏହା କେବଳ ୩ଟି ଉଦାହରଣ ମାତ୍ର। ସହରର ପ୍ରାୟ ସମସ୍ତ ୱାର୍ଡ ବାସିନ୍ଦାଙ୍କର ବର୍ତ୍ତମାନ ଅଳ୍ପେ ବହୁତେ ସମାନ ଅବସ୍ଥା। ଅଭିଯୋଗ ଶୁଣିବାକୁ ନମ୍ବର ଅଛି। ଅଭିଯୋଗ ଦିଆଯାଉଛି। ହେଲେ ସମସ୍ୟାର ସମାଧାନ ହୋଇପାରୁ ନାହିଁ।
ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ୨ଟି ସଂସ୍ଥା ବିଦ୍ୟୁତ୍ ବ୍ୟବସ୍ଥା ଓ ସମସ୍ୟାର ସମାଧାନ ଦାୟିତ୍ବରେ ଥିଲେ। ସେମାନେ ନିଜ ଭିତରେ ୱାର୍ଡକୁ ବାଣ୍ଟି ଦେଇଥିଲେ। ଫଳରେ କେଉଁ ୱାର୍ଡ କେଉଁ ସଂସ୍ଥା ଅଧୀନରେ ଜାଣିବାରେ ସମସ୍ୟା ହେଉ ନଥିଲା। ଏହାକୁ ଆହୁରି ସରଳ ଓ ଲୋକଙ୍କୁ ଶୀଘ୍ର ସୁବିଧା ଦେବାକୁ ଯାଇ ଏବେ ଅଧିକ ସଂସ୍ଥାଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ କାହାର କେଉଁ ୱାର୍ଡ ତାହାକୁ ସରକାରୀ ଭାବେ ବଣ୍ଟା ଯାଇନାହିଁ। କିଛି ସ୍ଥାନରେ ଗୋଟିଏ ୱାର୍ଡକୁ ୨ ଭାଗ କରି ୨ଟି ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। କେଉଁଠି ୩ ସଂସ୍ଥା ମଧ୍ୟ ଦାୟିତ୍ବରେ ଅଛନ୍ତି। ଅଭିଯୋଗ ସମୟରେ କେବଳ ୱାର୍ଡ ନମ୍ବରରେ ଅଭିଯୋଗ ହେଉଥିବାରୁ ସଂସ୍ଥା ସମ୍ପୃକ୍ତ ଅଞ୍ଚଳ କାହା ଅଧୀନରେ ଜାଣି ପାରୁନାହାନ୍ତି। ତେଣୁ ଗୋଟିଏ ସ୍ଥାନର ସମସ୍ୟାର ସମାଧାନ ପାଇଁ ୩ ସଂସ୍ଥା ୩ ଥର ସ୍ଥାନ ପରିଦର୍ଶନ କରୁଛନ୍ତି। ଫଳରେ ସରଳ କରିବାକୁ ଯାଇ ବିଏମ୍ସି ଏବେ ଏହାକୁ ସମ୍ପୁର୍ଣ୍ଣ ବିଗାଡ଼ି ଦେଇଛି। ବହୁ ଲୋକରେ ମୂଷା ନମରିବା ଭଳି ସ୍ଥିତି ଉପୁଜିଛି। ଯେଉଁଥିପାଇଁ ବହୁ ଦିନ ଧରି ଲୋକେ ଅନ୍ଧାରରେ ରହୁଛନ୍ତି। ନିୟମ ଅନୁସାରେ ବଡ଼ରୁ ବଡ଼ ସମସ୍ୟାର ସମାଧାନ ମଧ୍ୟ ୭ ଦିନ ଭିତରେ ସମାଧାନ ହେବ। ଯଦି ଏଭଳି ନ ହୁଏ ତେବେ ମାସ ଶେଷରେ ସଂସ୍ଥାକୁ ଦିଆଯାଉଥିବା ଟଙ୍କା କଟାଯିବ ଓ କାର୍ଯ୍ୟାନୁଷ୍ଠାନ ହେବ। ହେଲେ ନିଜ ଆଡୁ ଏଭଳି ସମସ୍ୟାର ସମାଧାନ ବିଏମ୍ସି କରି ନଥିବାରୁ ସଂସ୍ଥାଠୁ ଟଙ୍କା କଟାଯାଇ ପାରୁନାହିଁ। ଏପଟେ ଲୋକେ ମଧ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ବିଏମ୍ସିର କର୍ପୋରେସନ ବୈଠକରେ ଅଭିଯୋଗ ହେବା ପରେ ନିଭ୍ ଏନର୍ଜି, ଇ ସ୍ମାର୍ଟ ଓ କ୍ରମ୍ପ୍ଟନ୍, ଏହି ୩ ସଂସ୍ଥା ଯେଉଁ ଖୁଣ୍ଟ ଦାୟିତ୍ବ ନେବେ, ସେଠାରେ ନିଜ ସଂସ୍ଥାର ପ୍ରଥମ ଅକ୍ଷର ଲେଖିବାକୁ ଯୋଜନା ହୋଇଛି। ଅପରପକ୍ଷେ ଅନେକ ସମୟରେ ନିମ୍ନମାନର ଲାଇଟ୍ ଲଗାଯାଉଥିବା ବାରମ୍ବାର ଅଭିଯୋଗ ଆସୁଛି। ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି, ୧୯୨୯ରେ ଯାହା ବି ଅଭିଯୋଗ ଆସୁଛି, ଆମେ ଯଥାସମ୍ଭବ ସମାଧାନ କରୁଛୁ। ବିଦ୍ୟୁତ୍ ତ୍ରୁଟି ସୁଧାରିବା କମ୍ ସଂସ୍ଥା ଜରିଆରେ ସମ୍ଭବପର ନ ହେବାରୁ ଅଧିକ ସଂସ୍ଥାକୁ ଏଥିରେ ନିୟୋଜିତ କରାଯାଇଛି। ଅପରପକ୍ଷେ ଅନେକ ସମୟରେ ଲାଇଟ୍ ଖରାପ ପଡ଼ୁଛି। ଏଭଳି ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଲକ୍ସ ମିଟର୍ ଜରିଆରେ ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ଯେଉଁ ସଂସ୍ଥାମାନେ ଅବହେଳା କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନିଆଯିବ।