ସହିଦନଗରର ଦଦରା ରାସ୍ତା, ୪ ବର୍ଷ ହେଲା ଲୋକେ ହନ୍ତସନ୍ତ

ଭୁବନେଶ୍ୱର: ସହିଦନଗରର ଦଦରା ରାସ୍ତାରେ ଦୀର୍ଘ ୪ ବର୍ଷ ହେଲା ଲୋକେ ହନ୍ତସନ୍ତ ହେଉଛନ୍ତି। ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଅବହେଳା କାରଣରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି ଏବଂ ସ୍ଥାନୀୟ ବାସିନ୍ଦାମାନେ ଖଣ୍ଡିଆଖାବରା ରାସ୍ତାରେ ଦହଗଞ୍ଜ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ଉଭୟ ବିଭାଗର ନିଦ ଭାଙ୍ଗୁନାହିଁ ବୋଲି ଅଭିଯୋଗ ହୋଇଆସୁଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସା‌ରେ, ରାଜଧାନୀର ଏହି ପ୍ରମୁଖ ଅଞ୍ଚଳ ବିଏମ୍‌ସିର ୩୦ନମ୍ୱର ଵାର୍ଡର ଅନ୍ତର୍ଗତ। ବ୍ୟବସାୟିକ ପେଣ୍ଠସ୍ଥଳ ଭାବେ ଜଣାଶୁଣା ଏହି ଅଞ୍ଚଳ ବି ଅଧୁନା ଅନ୍ୟତମ ଶିକ୍ଷା ହବ୍‌ ଭାବେ ପରିଚିତ। ତେଣୁ ସ୍ବାଭାବିକ ଭାବେ ଏହି ଅଞ୍ଚଳ ସକାଳୁ ରାତି ଯାଏ ଜନଗହଳି ରହିଥାଏ। ମାତ୍ର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ ହୋଇଥିବାରୁ ସମସ୍ତେ ହଇରାଣ ହେଉଛନ୍ତି। ଜନପଥରୁ ମହର୍ଷି କଲେଜ ଦେଇ ବମିଖାଲ ଯାଏ, ଏମ୍ପାୟା‌ର୍ସ ହୋଟେଲ ଦେଇ ବାଣୀବିହାର ଓଭରବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତା, ସହିଦ ସ୍ପୋର୍ଟିଂ କ୍ଲବ୍‌ ସାମ୍ନା ରାସ୍ତା ଆଦି ଅଧିକାଂଶ ରାସ୍ତା ବଡ଼ କଦର୍ଯ୍ୟ ଅବସ୍ଥାରେ ରହିଛି। ସେହିପରି ଭବାନୀ ମଲ୍‌ ନିକଟ ରାସ୍ତା ବି କିଛି କମ୍ ଶୋଚନୀୟ ନୁହେଁ। କେଉଁଠାରେ ବଡ଼ ବଡ଼ ଗାତ ତ ଆଉ କେଉଁଠି ରାସ୍ତା ଫାଟି ଲୁହାଛଡ଼ ଦେଖାଗଲାଣି। ସ୍ଥାନୀୟ ‌ଲୋକଙ୍କ କହିବା କଥା, ବାରମ୍ବାର ରାସ୍ତା ଖୋଳା‌ଯିବା ଦ୍ବାରା ଏଭଳି ଅବସ୍ଥା ଉପୁଜୁଛି। କେତେବେ‌ଳେ ୱାଟ୍‌କୋ ପକ୍ଷରୁ ଖୋଳି ଦିଆଯାଉଛି ତ କେବେ ପୁଣି ସ୍ବେରେଜ୍‌ ପାଇଁ ରାସ୍ତାକୁ ଖୋଳି ଦିଆଯାଉଛି।

ସେହିଭଳି ବିଭିନ୍ନ ସଂସ୍ଥା ପକ୍ଷରୁ କେବୁଲ୍‌ ବିଛାଇବା ପାଇଁ ରାସ୍ତାକୁ ଖୋଳି ଦିଆଯାଉଛି। ମାତ୍ର ସେମାନଙ୍କ କାମ ସରିବା ପରେ ରାସ୍ତା ମରାମତି ନ କରି ଚାଲିଯାଉଛନ୍ତି। ଏମିତିରେ ୪ବର୍ଷ ବିତିଗଲାଣି। ସେମାନେ ଖଣ୍ଡିଆଖାବରା ରାସ୍ତାରେ ବଡ଼ କଲବଲ ହେଉଛନ୍ତି। ବର୍ଷା ବେଳେ କାଦୁଅ ପଚପଚ ହେଉଥିବା ବେଳେ ଖରା ସମୟରେ ପ୍ରବଳ ଧୂଳି ଉଡ଼ୁଛି। ରାତିରେ ଗାଡ଼ି ଚାଳକମାନେ ଖାଲରେ ପଡ଼ି ଆହତ ହେବା ଏକ ନିତିଦିନିଆ କଥା ହୋଇଗଲାଣି। ଆଗକୁ ବର୍ଷା ଦିନ ଆସୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏନେଇ କର୍ପୋରେଟର ରାଜକିଶୋର ଦାସଙ୍କ କହିବା କଥା, ବିଏମ୍‌ସି ଅଧୀନରେ ଥିବା ରାସ୍ତାଗୁଡ଼ିକର ମରାମତି ପାଇଁ ଟେଣ୍ଡର ହୋଇଛି। ଖୁବ୍‌ଶୀଘ୍ର ରାସ୍ତା କାମ ଆରମ୍ଭ ହୋଇଯିବ। ସେହିପରି ପୂର୍ତ୍ତ ବିଭାଗର ଅଧିକାରୀ ତ୍ରିନାଥ ବେହେରାଙ୍କ କହିବା ଅନୁଯାୟୀ ଏହି ଅଞ୍ଚଳର ବିଭିନ୍ନ ରାସ୍ତା ପାଇଁ ୭୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ଟେଣ୍ଡର୍‌ ହୋଇଛି। ଅଳ୍ପ ଦିନ ଭିତ‌ରେ କାମ ଆରମ୍ଭ ହେବ।

ସମ୍ବନ୍ଧିତ ଖବର