ଭୁବନେଶ୍ବର: ସ୍କୁଲ୍‌ରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ଯେତିକି ସଂଖ୍ୟକ ପିଲାଙ୍କ ନାମ ଲେଖା ହେଉଛି, ସେହି ତୁଳନାରେ ଶ୍ରେଣୀଗୃହ ନାହିଁ। ଶିକ୍ଷକ ଅଭାବରୁ ଅଧାଦିନ ଶ୍ରେଣୀଗୃହ ଫାଙ୍କା ପଡ଼ୁଛି। ପିଲା ସ୍କୁଲକୁ ପଢ଼ିବାଲାଗି ଆସୁଛନ୍ତି ସତ, ହେଲେ ବସି ବସି ଘରକୁ ଫେରୁଛନ୍ତି। ଏହାକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷ, ଅଭିଭାବକ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମସ୍ୟାର ସମାଧାନ ହୋଇପାରୁନି। ତେଣୁ ଶେଷରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଜି ଭିଏସ୍ଏସ୍ ନଗର ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଫାଟକରେ ତାଲା ପକାଇ ସ୍କୁଲ୍ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ। ଦିନ ତମାମ ଧାରଣାରେ ବସିବା ପରେ ଅପରାହ୍ଣରେ ବ୍ଲକ୍ ଶିକ୍ଷାଧିକାରୀ(ବିଇଓ) ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଗୋଟିଏ ସପ୍ତାହ ମଧ୍ୟରେ ଶିକ୍ଷକ ପଦବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ପୁରାତନ ଛାତ୍ର ସଂସଦର ସଭାପତି ସୌମ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

Advertisment

ଶ୍ରୀ ପ୍ରଧାନ କହିଛନ୍ତି, ‘‘୧୯୯୦ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପାଖାପାଖି ୪୦୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢ଼ୁଛନ୍ତି। ଏଥିପାଇଁ ୧୦ଟି ମଞ୍ଜୁରପ୍ରାପ୍ତ ଶିକ୍ଷକ ପଦବି ରହିଛି। ହେଲେ ଶିକ୍ଷକ ଅଛନ୍ତି ମାତ୍ର ୭ଜଣ। ୩ଜଣ ଶିକ୍ଷକଙ୍କ ଅନୁପସ୍ଥିତ କାରଣରୁ ଶିକ୍ଷାଦାନ ଠିକ୍‌ ଭାବେ ହୋଇପାରୁନି। ବର୍ଷ ବର୍ଷ ଧରି ଶିକ୍ଷକ ପଦବି ଖାଲି ପଡ଼ିଥିବାରୁ ସ୍କୁଲ୍‌ର ଫଳାଫଳ ଉପରେ ଏହାର ପ୍ରଭାବ ପଡ଼ୁଛି। ସେହିଭଳି ପିଲା ବସିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଗୋଟିଏ ଗୋଟିଏ କୋଠରିରେ ଖୁନ୍ଦାଖୁନ୍ଦି ହୋଇ ଆବଶ୍ୟକତାଠାରୁ ଅଧିକ ପିଲା ବସୁଛନ୍ତି। ଫଳରେ ପାଠ ପଢ଼ିବା ପାଇଁ ଉପଯୁକ୍ତ ଶୈକ୍ଷକ ବାତାବରଣର ଅଭାବ ରହୁଛି। ସମସ୍ୟା ବହୁଳ ଏ ପୁରାତନ ସ୍କୁଲ୍‌ର ସ୍ଥିତିକୁ ସୁଧାରିବା ପାଇଁ  ବିଭାଗୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଅଭିଯୋଗ କରାଯାଇଛି। ହେଲେକିଛି ଲାଭ ହୋଇନି। ଶେଷରେ ବାଧ୍ୟହୋଇ ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେଲୁ। ବ୍ଲକ୍ ଶିକ୍ଷାଧିକାରୀଙ୍କ ପ୍ରତିଶ୍ରୁତି ମୁ୍ତାବକ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ହେବ।’’