ଭୁବନେଶ୍ବର: ନିକଟରେ ସ୍ବଚ୍ଛତାରେ ଦେଶରେ ୯ମ ସ୍ଥାନରେ ରହିଥିଲା ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)। କିନ୍ତୁ କେଇ ମାସ ଭିତରେ ଏହାର ଚିତ୍ର ବଦଳିଯାଇଛି। ସହର ଭିତର ଚହଟ ଚିକ୍କଣ ହୋଇଥିବା ବେଳେ ଉପକଣ୍ଠ ଆବର୍ଜନାର ପାହାଡ଼ ପାଲଟିଛି। ୧୬ ନମ୍ବର ଜାତୀୟ ରାଜପଥର ପୁରୀ ବାଇପାସ୍ର ଚିତ୍ର ଅଦ୍ୟାବଧି ବଦଳି ନଥିବା ବେଳେ ସମାନ ସ୍ଥିତି ବିଏମ୍ସିର ୬, ୭, ୨୩, ୬୫ ନମ୍ବର ୱାର୍ଡରେ ବି ଦେଖିବାକୁ ମିଳିଛି। ସାହି ଗଳିକନ୍ଦିରେ ମାସ ମାସ ଧରି ଆବର୍ଜନା ଗଦା ହୋଇ ରହିଥିବା ବେଳେ ସଫେଇ ଦାୟିତ୍ବ ନେଇଥିବା ଠିକାସଂସ୍ଥାମାନେ ଏହାର ପାଖ ମାଡ଼ୁନାହାନ୍ତି। କଠିନ ଆବର୍ଜନା ହେଉ କି ସବୁଜ ଆବର୍ଜନା ଅବା ଶିଳ୍ପ ଆବର୍ଜନା, ସବୁଠି କୁଢ଼ କୁଢ଼ ଆବର୍ଜନା ଗଦା ହୋଇଛି।
ମାସ ମାସ ଧରି ଉଠୁନି ଅଳିଆ
ମାଳମାଳ ଅଧିକାରୀ, କେହି କ୍ଷେତ୍ର ବୁଲୁନାହାନ୍ତି
କାହା ସ୍ବାର୍ଥରେ ଠିକାସଂସ୍ଥାକୁ ଦରଦ
ବଡ଼କଥା ହେଉଛି, ସହରର ସଫେଇ ପାଇଁ ବିଏମ୍ସି କୋଟି କୋଟି ଟଙ୍କା ମାସିକ ଖର୍ଚ୍ଚ କରୁଛି। ସଫାସୁତରା ଠିକ୍ରେ ହେଉଛି କି ନାହିଁ, ସ୍ଥିତି ଅନୁଧ୍ୟାନ ପାଇଁ ପ୍ରତି ୱାର୍ଡରେ ପରିମଳ ନିରୀକ୍ଷକ ଓ ୱାର୍ଡ ସୁପରଭାଇଜର୍ ରହିଛନ୍ତି। ସବୁର ଆମୂଳଚୂଳ ସ୍ଥିତି ଅନୁଧ୍ୟାନ ପାଇଁ ବିଏମ୍ସି ଜୋନାଲ୍ କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟାଳୟରେ ବାବୁମାନେ ବସିଛନ୍ତି। କିନ୍ତୁ କେହି ବି କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। ପରିଣାମସ୍ବରୂପ ସହରର ସ୍ବଚ୍ଛତା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସହରର ରାସ୍ତାଘାଟ ସଫାସୁତରା ରଖିବା ପାଇଁ ବିଏମ୍ସି ୭ରୁ ଅଧିକ ଠିକାସଂସ୍ଥାକୁ ଟେଣ୍ଡର ଦେଇଛି। ଏମାନେ ରାସ୍ତାଘାଟରୁ ଅଳିଆ ଉଠାଇବା ସହ ନିୟମିତ ରାସ୍ତାକୁ ଝାଡ଼ୁ ମାରିବେ। ଏଥିପାଇଁ ସଫେଇ ଗାଡ଼ି ଓ ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଘରକୁ ଘର ଅଳିଆ ସଂଗ୍ରହ ପାଇଁ ୩ ଠିକାସଂସ୍ଥାଙ୍କୁ ଦାୟିତ୍ବ ଦିଆଯାଇଛି। ରାସ୍ତାଘାଟରେ ଗଛପତ୍ର ଉଠାଇବାକୁ ଗ୍ରିନ୍ଗାର୍ବେଜ୍ ଗାଡ଼ି ରହିଛି। ରାସ୍ତାଘାଟକୁ ଅନାବନା ଗଛ ମାଡ଼ି ଆସିଲେ, ବୁଶ୍କଟିଂ ଦାୟିତ୍ବ ବି ସଫେଇ କରୁଥିବା ଠିକାସଂସ୍ଥାକୁ ଦିଆଯାଇଛି। କିନ୍ତୁ ୬ ନମ୍ବର ୱାର୍ଡ ଦେଖିଲେ, ଏହି ଠିକାସଂସ୍ଥାମାନେ ଯେ ନିଜ କାମ ଠିକ୍ରେ କରୁନାହାନ୍ତି, ତାହା ଜଳଜଳ ଦିଶୁଛି। ଯେହେତୁ ଠିକାସଂସ୍ଥାମାନେ ଆବର୍ଜନା ଉଠାଉନାହାନ୍ତି, ଲୋକେ ବାଧ୍ୟ ହୋଇ ଏହି ଆବର୍ଜନାକୁ ନିଆଁ ଲଗାଇ ପୋଡ଼ୁଛନ୍ତି ଓ ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛନ୍ତି। ୬ ନମ୍ବର ୱାର୍ଡର ଯଜ୍ଞ ପଡ଼ିଆ ଓ ଆଖପାଖ ଅଞ୍ଚଳ ଏହାର ଜ୍ବଳନ୍ତ ଉଦାହରଣ।
ଯଜ୍ଞ ପଡ଼ିଆ ସଂଲଗ୍ନ ନାଳ ଓ ସଂଯୋଗ ରାସ୍ତାର ଦୁଇପାର୍ଶ୍ବରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହିଛି। ୭ ନମ୍ବର ୱାର୍ଡର ଶୈଳଶ୍ରୀବିହାର, କୈଳାସବିହାରରେ ବି ସମାନ ସ୍ଥିତି। କୈଳାସବିହାରରେ ଏମିତି କେଉଁ ଗଳି ନାହିଁ, ଯେଉଁଠି ଆବର୍ଜନା ପଡ଼ିନି। ପ୍ରତି ଗଳିମୁଣ୍ଡ ଓ ରାସ୍ତାଘାଟରେ କୁଢ଼ କୁଢ଼ ଜରି, ଖଲି ଓ ଘରର ଅନ୍ୟାନ୍ୟ ଆବର୍ଜନା ପଡ଼ିଛି। କେଉଁଠି ଘରର ଭଗ୍ନାଂଶ ରାସ୍ତାଘାଟରେ ପଡ଼ି ଗମନାଗମନକୁ ପ୍ରଭାବିତ କରୁଛି ତ କେଉଁଠି ଗଛ କାଟି ସେହିଭଳି ରାସ୍ତାରେ ଫିଙ୍ଗି ଦିଆଯାଇଛି। ଚନ୍ଦ୍ରଶେଖରପୁର ଥାନା ପାଖ ସ୍ଥିତି ବି ସମାନ। ଥାନା ସମ୍ମୁଖ ରାସ୍ତା ଓ ଏହା ସଂଲଗ୍ନ ରାସ୍ତାରେ କୁଢ଼ କୁଢ଼ ଆବର୍ଜନା। ତଥାପି ଠିକାସଂସ୍ଥାମାନେ ଏଠାରେ ଝାଡ଼ୁ ମାରୁନାହାନ୍ତି କି ଆବର୍ଜନା ଉଠାଉନାହାନ୍ତି। ୬୫ ନମ୍ବର ୱାର୍ଡ ଆଇଗିଣିଆ ଭୋଇସାହି ଶ୍ମଶାନ ସମ୍ମୁଖ, ୨୩ ନମ୍ବର ୱାର୍ଡ ମୁଖ୍ୟ ରାସ୍ତା, ମଣିପାଲ୍ ଡାକ୍ତରଖାନା, ଜୟଦେବବାଟିକା ପାର୍କ ରାସ୍ତା, ଗାର୍ଡେନ୍ ଆପାର୍ଟମେଣ୍ଟ ସମ୍ମୁଖ ରାସ୍ତାର ସ୍ଥିତି ବି ସମାନ। ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ଯେ ଏ ସଂପର୍କରେ ବହୁବାର ଅଧିକାରୀଙ୍କୁ ଅଭିଯୋଗ କରିଛୁ। ପରିମଳ ନିରୀକ୍ଷକ, ସୁପରଭାଇଜରଙ୍କୁ ବି କୁହାଗଲାଣି, ୱାର୍ଡ କାର୍ଯ୍ୟାଳୟରେ ଅଭିଯୋଗ ହେଲାଣି। ସେପଟେ ନିୟମିତ ଘରକୁ ଘର ଅଳିଆ ସଂଗ୍ରହ ହେଉ ନଥିବାରୁ ଲୋକେ କେତେ ଦିନ ବା ଅଳିଆକୁ ଘରେ ରଖିବେ? ବାଧ୍ୟ ହୋଇ ରାସ୍ତାଘାଟରେ ଫିଙ୍ଗୁଛନ୍ତି। ବିଏମ୍ସିର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁ ନଥିବାରୁ ସମସ୍ୟା ଉତ୍କଟ ହେଲାଣି ବୋଲି ଅଞ୍ଚଳବାସୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/22/shffhsfhhf-2025-10-22-03-29-44.jpg)