ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ଐତିହ୍ୟ ସ୍ମାରକୀ ଭାବେ ରହିଛି ବହୁ ପୁରାତନ ସୌରଘଡ଼ି। ମୁକ୍ତେଶ୍ୱର ମନ୍ଦିର ପାର୍କ ନିକଟରେ ଥିବା ଏହି ସୌରଘଡ଼ି ଏବେ ନଜର ଆଢ଼ୁଆଳରେ ରହିଯାଇଛି। ଇଂରେଜମାନଙ୍କ ଦ୍ୱାରା ନିର୍ମିତ ଏହି ସ୍ମାରକୀର ପ୍ରଚାର ଠିକ୍‌ ଭାବେ ହୋଇପାରି ନଥିବାରୁ ଏହାର ରକ୍ଷଣାବେକ୍ଷଣ ପାଇଁ ବିଶେଷ ଧ୍ୟାନ ଦିଆଯାଉନାହିଁ। ଫଳରେ ଏହା ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହୋଇଛି। 

Advertisment

ଓଡ଼ିଶାର ରତ୍ନ ମୁକ୍ତେଶ୍ୱର ମନ୍ଦିରର ୫୦ ମିଟର ଦୂରରେ ରହିଛି ଏହି ସୌରଘଡ଼ି। ଇଂରେଜଙ୍କ ଦ୍ବାରା ମହାରାଣୀ ଭିକ୍ଟୋରିଆଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଓଡ଼ିଶାରେ ଏକାଧିକ ସ୍ଥାନରେ ସୌରଘଡ଼ି ତିଆରି କରାଯାଇଥିଲା ବୋଲି ଐତିହାସିକମାନେ କୁହନ୍ତି। ଐତିହ୍ୟ ସଂରକ୍ଷକ ମାନସ କୁମାର ସାହୁଙ୍କ ମତ ଅନୁଯାୟୀ ଏହି ସୌରଘଡ଼ି ୧୯ ରୁ ୨୦ ଶତାବ୍ଦୀ ପ୍ରାରମ୍ଭରେ ତିଆରି ହୋଇଥିଲା। ସୌରଘଡ଼ିରେ ଥିବା ଏକ ପଥର ଉପରେ ସୂର୍ଯ୍ୟ କିରଣର ଛାଇ ପଡ଼ିବା ପ‌ରେ ସେତେବେଳେ କେତେ ସମୟ ହେଲା ତାହା ଜଣା ପଡୁଥିଲା। ସେତେବେଳେ ସମୟ ଜାଣିବା ପାଇଁ ଓଡ଼ିଶାରେ ବିଶେଷ ବ୍ୟବସ୍ଥା ନଥିବା ବେଳେ ସୌରଘଡ଼ିଗୁଡିକ ଲୋକମାନଙ୍କୁ ସଠିକ୍‍ ସମୟ ଜଣାଇ ପାରୁଥିଲା। 

ଏକାମ୍ର କ୍ଷେତ୍ର ବ୍ୟତୀତ ଓଡ଼ିଶାରେ ୪ଟି ସ୍ଥାନରେ ଇଂରେଜମାନେ ସୌରଘଡ଼ି ନିର୍ମାଣ କରିଥିଲେ। କେନ୍ଦ୍ରାପଡ଼ା ପୁରୁଣା ବସଷ୍ଟାଣ୍ଡର ମୁଖ୍ୟ ଡାକଘର ନିକଟରେ, ରେଭେନ୍‍ସା ବିଶ୍ବବିଦ୍ୟାଳୟ, ଖଣ୍ଡପଡ଼ା ରାଜ ଉଆସ ଓ କୋଣାର୍କରେ ସୌରଘଡ଼ି ନିର୍ମାଣ ହୋଇଛି। ତେବେ‌ ମୁକ୍ତେଶ୍ୱର ପାର୍କର ଏକ କୋଣରେ ଥିବା ଏହି ସୌରଘଡ଼ି ପାଇଁ କୌଣସି ସାଇନ୍‍ ବୋର୍ଡ ନଥିବାରୁ ଏହା ପ୍ରାୟତଃ ଲୋକଙ୍କ ନଜରକୁ ଆସେନାହିଁ। ସେହିପରି ଏହାର ନିକଟରେ ଏଏସ୍‍ଆଇର ସୁରକ୍ଷାକର୍ମୀମାନେ ଡ୍ୟୁଟି କରୁଥିବା ବେଳେ ଏହାର ଯତ୍ନ ପାଇଁ ବିଶେଷ ଧ୍ୟାନ ଦିଆଯାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ପାଣି ବାଜି ଶିଉଳି ହୋଇଗଲାଣି। ଏପରିକି ପିମ୍ପି ମାରିଯିବାର ଆଶଙ୍କା ରହିଛି। ଏଣୁ ଏହାକୁ ରାସାୟନିକ ପ୍ରଲେପର ଆବଶ୍ୟକତା ରହିଛି। ତେବେ ଏସଂକ୍ରାନ୍ତରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀଙ୍କୁ ପଚାରିବାରୁ କୌଣସି ଉତ୍ତର ମିଳି ନଥିଲା।