ଭୁବନେଶ୍ବର: ଦେଢ଼ କୋଟି ଟଙ୍କା ପାଇବା ଆଶାରେ ପୂର୍ବତନ ଯୋଗାଣ ଅଧିକାରୀ ମନୋଜ ମହାପାତ୍ରଙ୍କୁ କରାଯାଇଥିବା ଅପହରଣ ନାଟକ ଫଳବତୀ ହୋଇପାରିଲା ନାହିଁ। ପୁଲିସ ପିଛା କରିବାରୁ ଅପହରଣକାରୀମାନେ ମନୋଜଙ୍କୁ ଛାଡ଼ିଦେଲେ ସିନା ଗିରଫ ହେବାରୁ ବର୍ତ୍ତିପାରିଲେ ନାହିଁ। ଗତକାଲି କମିସନରେଟ୍ ପୁଲିସ ୫ ଅପହର୍ତା (ପୁରୀ ବାଲିଘାଟ ଅଞ୍ଚଳର କୁନା ନାୟକ ଓରଫ୍ କାଳିଆ(୩୬), ରାଜେଶ ଦାସ ଓରଫ୍ ପୋଲିଓ(୨୦), କାର୍ଚାଳକ ପ୍ରଶାନ୍ତ କୁମାର ନାୟକ(୩୧), ଅନନ୍ତ ପଣ୍ଡା ଓରଫ ବନୁ(୩୫) ଏବଂ ନିରୋଦ ସ୍ବାଇଁ ଓରଫ୍ ଟିକିନା)ଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଦେଇଛି। ଫଳରେ ଅପହରଣକାରୀମାନଙ୍କ ମାସକର ଯୋଜନା ଫୁସୁକିଯାଇଛି। ତେବେ ଏହି ଅପହରଣ ପଛର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଏହି ସଂଗିନ୍ ଅପରାଧ ପଛରେ ଜଣେ ବିଶ୍ବାସଘାତକର ହାତ ଥିବା ଚର୍ଚ୍ଚା ହେଉଛି। ଏହି ଷଡ଼୍ଯନ୍ତ୍ର ପଛରେ ମନୋଜଙ୍କ କୋଠା ନିର୍ମାଣ କାମର ସୁପରଭାଇଜର୍ର ହାତ ଥିବା ସନ୍ଦେହ କରାଯାଉଛି। ଏନେଇ ପୁଲିସ ମଧ୍ୟ ଛାନ୍ଭିନ୍ କରୁଛି ଏବଂ ତାକୁ ଜେରା ମଧ୍ୟ କରାଯାଇଥିବା ଜଣାପଡ଼ିଛି। ତେବେ ଆଉ ଦୁଇ ଜଣ ଅପହରଣକାରୀ ଧରାପଡ଼ିନଥିବା ବେଳେ ତଦନ୍ତରେ ବାଧା ଉପୁଜିବା ସମ୍ଭାବନା ଥିବାରୁ ପୁଲିସ ସ୍ପଷ୍ଟ ସୂଚନା ଦେଇନାହିଁ। ଏମିତିକି ଟିଆଇ ପରେଡ୍ ଓ ରିମାଣ୍ଡ ଭଳି ପଦକ୍ଷେପ ଥିବାରୁ ପୁଲିସ ତଦନ୍ତ ବାବଦରେ ବହୁତ କିଛି ଗୋପନ ରଖିଛି।
ସୂଚନାନୁସାରେ ଜଗନ୍ନାଥନଗର ଲେନ୍-୮ରେ ମନୋଜଙ୍କ ଦୁଇ ମହଲା କୋଠାର ନିର୍ମାଣ କାମ ତଦାରଖ କରିବାକୁ ସେ ଜଣଙ୍କୁ ସୁପରଭାଇଜର୍ ଭାବେ ନିଯୁକ୍ତି ଦେଇଥିଲେ। ଯୋଗାଣ ବିଭାଗ ଅଧିକାରୀ ଭଳି ଭଲ ଚାକିରିରୁ ଅବସର ନେଇ ବଡ଼ କୋଠା ନିର୍ମାଣ କରୁଥିବାରୁ ମନୋଜଙ୍କ ପାଖରେ ପ୍ରଚୁର ପଇସା ଥିବା ସୁପରଭାଇଜର ଅନୁମାନ କରିଥିଲେ। ତେଣୁ ତାଙ୍କୁ ଅପହରଣ କରିନେଇ ପ୍ରଚୁର ଅର୍ଥ ଆଦାୟ କରିବାକୁ ସେ ହିଁ ଯୋଜନା କରିଥିଲା। ସୁପରଭାଇଜର୍ ସହ ବହୁ ଅପରାଧରେ ଜଡ଼ିତ ଟିକିନାର ପୂର୍ବ ପରିଚିତି ଥିଲା। ଦୁଇ ଜଣଯାକ ଏନେଇ କଥା ହେବା ପରେ ଟିକିନା ପୁରୀର କୁଖ୍ୟାତ ଅପରାଧୀ ତଥା ହତ୍ୟା ଅଭିଯୁକ୍ତ ବନୁକୁ ଯୋଗାଯୋଗ କରିଥିଲା। ଅପହରଣ କରିବା ସମୟ, ଅପହରଣ କଲା ପରେ କେଉଁଠି ରଖିବେ, ଫୋନ୍ କରି କେଉଁଠି ଟଙ୍କା ଦେଣନେଣ ହେବ ଆଦି ପ୍ରସଙ୍ଗ ବାବଦରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା।
ସବୁଦିନ କାମ ଦେଖିସାରି ସନ୍ଧ୍ୟାରେ ମନୋଜ ଘରକୁ ଏକୁଟିଆ ଫେରୁଥିବାରୁ ସେତିକିବେଳେ ତାଙ୍କୁ ଉଠାଇବା ସହଜ ହେବ ବୋଲି ସ୍ଥିର କରାଯାଇଥିଲା ଏବଂ ତାଙ୍କୁ ରଖିବାକୁ ପୁରୀ ଜିଲ୍ଲା ଡେଲାଙ୍ଗରେ ଏକ କୁକୁଡ଼ା ଫାର୍ମକୁ ଚିହ୍ନଟ କରାଯାଇଥିଲା। ଯୋଜନାନୁସାରେ ଗତ ୨୪ ତାରିଖରେ ସେମାନେ ମନୋଜଙ୍କୁ ଉଠାଇଥିଲେ ଏବଂ ସିଧାସଳଖ ଡେଲାଙ୍ଗ କୁକୁଡା ଫାର୍ମକୁ ନେଇ ପଳାଇଥିଲେ। ସେଠାରୁ ମନୋଜଙ୍କ ପତ୍ନୀଙ୍କୁ ଫୋନ୍ କରି ଦେଢ଼ କୋଟି ଟଙ୍କା ଦାବି କରିଥିଲେ। ସେମାନଙ୍କ ହତ୍ୟା ଧମକ ସତ୍ତ୍ବେ ଭୟ ନକରି ତାଙ୍କ ସ୍ତ୍ରୀ ଲକ୍ଷ୍ମୀସାଗର ଥାନା ପୁଲିସକୁ ଜଣାଇବା ପରେ ଅପହରଣକାରୀଙ୍କ ଯୋଜନା ଫେଲ୍ ମାରିଥିଲା।
ଶେଷ ମୁହୂର୍ତ୍ତରେ ହତ୍ୟା ଯୋଜନାରୁ ଓହରି ଯାଇଥିଲେ
ପୁଲିସ ପିଛା କରିବା ଜାଣିବା ପରେ ଅପହରଣକାରୀମାନେ ବିଚଳିତ ହୋଇପଡ଼ିଥିଲେ। ସେମାନେ ମନୋଜଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହୋଇସାରିଥିଲେ। କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ଏହି ନିଷ୍ପତ୍ତିରୁ ଓହରିଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ରାଜି ନହେବାରୁ ସେମାନେ ମନୋଜଙ୍କୁ ଛାଡ଼ି ଦେଇଥିଲେ। ଆଜି ଭାଇରାଲ୍ ହୋଇଥିବା ଏକ ଅଡିଓ କ୍ଲିପ୍ରୁ ଏହା ଜଣାପଡ଼ିଛି। ଉକ୍ତ ଅଡିଓ କ୍ଲିପ୍ ଅନୁସାରେ ଅପହର୍ତ୍ତାମାନଙ୍କ ବିଚଳିତ ଭାବ ବାରି ହୋଇପଡ଼ୁଛି। ସେମାନେ ମନୋଜଙ୍କ ଭାଇଙ୍କୁ ଫୋନ୍ କରି କହିଥିଲେ, ‘ଦେଢ଼ କୋଟି ଟଙ୍କା ଦିଅ, ନଚେତ ମନୋଜଙ୍କୁ ଆଉ ପାଇବ ନାହିଁ।
ଆମେ ଜାଣିଛୁ ତମ ଭାଉଜ ପୁଲିସରେ ଅଭିଯୋଗ କରିଛନ୍ତି। ଏବେ ତମ ଭାଇକୁ ଛାଡ଼ିଲେ ମଲୁ, ନ ଛାଡ଼ିଲେ ବି ମଲୁ। ତେଣୁ ମାରିଦେବୁ। ଶୀଘ୍ର ଟଙ୍କା ଯୋଗାଡ଼କର। ଭାଉଜଙ୍କୁ ଢାଲ କରି ତମେ ଖାଲି ଅଭିନୟ କରୁଛ। ପୁଲିସ ତମ ନମ୍ବର ଟ୍ରାକିଂ କରୁନି ତ?’ ଏହି ୩ ମିନିଟ୍ର ଅଡିଓ ବାର୍ତ୍ତାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ସେମାନେ ଧରାପଡ଼ିଯିବା ଆଶଙ୍କାରେ ଥିଲେ। ହତ୍ୟା କଲେ, ବଡ଼ ଦଣ୍ଡ ମିଳିବ, ବରଂ ମନୋଜଙ୍କୁ ଛାଡ଼ିଦେଲେ ଅଳ୍ପ ଦଣ୍ଡରେ ମୁକୁଳିଯିବେ ବୋଲି ସେମାନେ ଶେଷରେ ଏହି ନିଷ୍ପତ୍ତି ନେଇଥିଲେ।