ଚନ୍ଦ୍ରଶେଖରପୁର: ଜୟଦେବବିହାର-ନନ୍ଦନକାନନ ବାମପାର୍ଶ୍ବ ସମାନ୍ତରାଳ ୨୦୦ ଫୁଟିଆ ରାସ୍ତା ନକ୍ସା ଚୂଡ଼ାନ୍ତ ହୋଇପାରୁ ନାହିଁ। ସାଲିଆସାହି ବସ୍ତି ଓ ଚୁନୁକୋଳି ଗାଁ ଲୋକଙ୍କ ବିରୋଧ ଯୋଗୁ ସବୁ କିଛି ଅଟକି ଯାଇଛି। କେବେ ଅଙ୍କାବଙ୍କା କରି ରାସ୍ତା ନେବାକୁ ଯୋଜନା ହେଉଛି ତ ଆଉ କେବେ ସିଧାସଳଖ ଯିବ ବୋଲି କୁହାଯାଉଛି। ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଶେଷ ବୈଠକରେ ସ୍ଥିର ହୋଇଛି ଯେ ୨୦୦ ଫୁଟିଆ ରାସ୍ତା ଅଙ୍କାବଙ୍କା ହୋଇଯିବ। ଚୁନୁକୋଳି ଗାଁ ଭିତରେ ରାସ୍ତା ନ ଯାଇ ଇନ୍ଫୋସିଟି ଓ ଗାଁ ମଧ୍ୟରେ ଥିବା ଇଡ୍କୋ ଜମିରେ ରାସ୍ତା ନିର୍ମାଣ ହେବ। ଉଭୟ ସ୍ଥାନରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ପ୍ରଭାବିତ ଲୋକଙ୍କ ସଂଖ୍ୟାକୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି। ରାସ୍ତା ଦ୍ବାରା ସାଲିଆସାହିର ୫୨୭ ପରିବାର ପ୍ରଭାବିତ ହେବେ ବୋଲି ବିଏମ୍ସି ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି। ମାତ୍ର ସର୍ଭେରେ ଅନେକ ଘରକୁ ସାମିଲ କରାଯାଇ ନ ଥିବା ବିଏମ୍ସି ନିକଟରେ ଅଭିଯୋଗ ହୋଇଛି।
ମାସକ ତଳେ ବିଏମ୍ସି, ବିଡିଏ ଓ ପୂର୍ତ୍ତ ବିଭାଗ ମିଳିତ ସହଯୋଗରେ ସାଲିଆସାହିରେ ସର୍ଭେ କରିଥିଲେ। ପ୍ରସ୍ତାବିତ ରାସ୍ତା ପାଇଁ ପ୍ରଭାବିତ ହେଉଥିବା ଘରଗୁଡ଼ିକର ତରବରିଆ ଭାବେ ସର୍ଭେ ହୋଇଥିବା କେତେକ ବସ୍ତିବାସିନ୍ଦା ବିଏମ୍ସି ନିକଟରେ ଅଭିଯୋଗପତ୍ର ଦାଖଲ କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ଏହି ରାସ୍ତା ଦ୍ବାରା ଘର ପ୍ରଭାବିତ ହେଉଥିବା ପୂର୍ବରୁ ଚିହ୍ନଟ ସମୟରେ ଦର୍ଶାଯାଇଥିଲା। ମାତ୍ର ଏବେ ଯେଉଁ ସର୍ଭେ ହୋଇଛି ସେଥିରେ ସେହି ନାଁ ନଥିବା ଅଭିଯୋଗ କରିଛନ୍ତି। ଆଉ କେତେ ଅଭିଯୋଗ କରିଛନ୍ତି ଯେ ସର୍ଭେ ହେବା ସମ୍ପର୍କରେ ଆଗରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଘରେ ନ ଥିବା ସମୟରେ ବିଏମ୍ସି କର୍ମଚାରୀମାନେ ସର୍ଭେ କରିଥିଲେ। ତେଣୁ ପ୍ରକାଶିତ ତାଲିକାରୁ ନାଁ କାଟି ଦିଆଯାଇଛି।
ଏଭଳି ପ୍ରାୟ ୭୦ ଅଭିଯୋଗ ଆସିବା ପରେ ଏବେ ବିଏମ୍ସି ପକ୍ଷରୁ ପୁଣିଥରେ ସର୍ଭେ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଯେହେତୁ ସାଲିଆସାହି ଭିତରେ ହେବାକୁ ଥିବା ୮୭୭ ମିଟର ରାସ୍ତା ଅଙ୍କାବଙ୍କା ହୋଇ ଯିବ ତେଣୁ କେତେ ଘର ପ୍ରଭାବିତ ହେଉଛି ତାହାର ଠିକ୍ ଆକଳନ କରାଯାଇ ନାହିଁ। ଯେଉଁ ୭୦ ଅଭିଯୋଗ ଆସିଛି ତାହା ଉପରେ ଅନୁଧ୍ୟାନ କରିବାକୁ ବିଏମ୍ସି, ବିଡିଏ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ପୁଣି ସର୍ଭେ କରିବେ। ଯେତେଶୀଘ୍ର ସମ୍ଭବ ସର୍ଭେ କରିବା ସହ ଲୋକଙ୍କ ଥଇଥାନ ଦିଗରେ ପଦକ୍ଷେପ ନେବାକୁ ବିଏମ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଚୁନୁକୋଳି ଗାଁ ନିକଟରେ ମଧ୍ୟ ସର୍ଭେକୁ ନେଇ ସମସ୍ୟା ଉପୁଜିଛି। ଗାଁ ଭିତରେ ରାସ୍ତା ନେବାକୁ ପୂର୍ବ ସରକାରଙ୍କ ସମୟରେ ଯୋଜନା ପ୍ରସ୍ତୁତ ହୋଇଥିଲା। ମାତ୍ର ଲୋକଙ୍କ ବିରୋଧ ପରେ ଏବେ ରାସ୍ତାର ଦିଗ ପରିବର୍ତ୍ତନ କରିବାକୁ ଆପାତତଃ ନିଷ୍ପତ୍ତି ହୋଇଛି। ୧୫ ଦିନ ତଳେ ଜିଲ୍ଲା ପ୍ରଶାସନ, ବ୍ଲକ୍, ତହସିଲର ଅଧିକାରୀମାନେ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। କେଉଁ ବାଟ ଦେଇ ରାସ୍ତା ଯିବ ତାହାର ରୂପରେଖ ପ୍ରସ୍ତୁତ ସରିଛି। ଗତ ସପ୍ତାହରେ ସର୍ଭେ କରିବାକୁ ଅଧିକାରୀମାନେ ଯାଇଥିଲେ ମଧ୍ୟ ପୁଲିସ ପ୍ରଶାସନର ସହାୟତା ନ ମିଳିବାରୁ ଫେରି ଆସିଥିଲେ। ଯୋଜନା ଅନୁଯାୟୀ ଇନ୍ଫୋସିଟି ପଛପାର୍ଶ୍ବରେ ଥିବା ଇଡ୍କୋ ଜମି ଓ ଗାଁର କିଛି ଲୋକଙ୍କ ଘର ଏହି ରାସ୍ତା ଦ୍ବାରା ପ୍ରଭାବିତ ହେବ। କେତେ ବସ୍ତିବାସିନ୍ଦା ରହିଛନ୍ତି ତାହା ଜଣାପଡ଼ି ନାହିଁ। ତେବେ ୨୦ଟି ଘରୋଇ ଜମି ଅଧିଗ୍ରହଣ କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp