ପୁଲିସକୁ ବଣ୍ଟା ଚାଲିଛି ଭିଟାମିନ୍‌-ସି ବଟିକା, କ୍ବାର୍ଟର୍ସ ବୁଲି ତଥ୍ୟ ସଂଗ୍ରହ କଲେ ସ୍ବାସ୍ଥ୍ୟକର୍ମୀ

ସଂଗ୍ରହ ହେଲା ୪୦ ଜଣଙ୍କ ସ୍ବାବ୍, ବିଶୋଧନ ହେବ ୪୦୦ ଗାଡ଼ି

ଭୁବନେଶ୍ବର: ରାଜଧାନୀରେ କମିସନରେଟ୍‌ ପୁଲିସ ସବୁଠୁ ଅଧିକ ଲୋକଙ୍କ ସଂସ୍ପର୍ଶ‌ରେ ଆସୁଛି। ପୁଲିସ ଡ୍ୟୁଟି ସାରିବା ପରେ ନିଜ ପରିବାରଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ତେଣୁ ପୁଲିସ କର୍ମଚାରୀ ଓ ସେମାନଙ୍କ ପରିବାରକୁ କରୋନା ଭୂତାଣୁ ସଂକ୍ରମଣର ଭୟ ଥିବାରୁ ରିଜର୍ଭ ପୁଲିସ୍‌ ଲାଇନ୍‌ରେ ଆଜି ବିଭିନ୍ନ କ୍ବାଟର୍ସ ଓ ବାରାକରୁ ବାରକ ବୁଲି ସ୍ବାସ୍ଥ୍ୟକର୍ମୀମାନେ ସଚେତନତା କରିଛନ୍ତି। ଏହାସହ କେଉଁମାନେ ଥଣ୍ଡା, କାଶ ଓ ଜ୍ବରରେ ଆକ୍ରାନ୍ତ ଅଛନ୍ତି କି ନାହିଁ, ସେ ସମ୍ପର୍କରେ ତଥ୍ୟ ହାସଲ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ରିଜର୍ଭ ଲାଇନ୍‌ କର୍ମଚାରୀମାନଙ୍କୁ ଭିଟାମିନ୍-ସି ଔଷଧ ପ୍ୟାକେଟ୍‌ ଦିଆଯାଉଛି। ଦୁଇ ଦିନ ହେଲା ଭିଟାମିନ୍-ସି ବଣ୍ଟା ଯାଉଛି। ଆଗାମୀ ଦିନରେ ୨୭ହଜାର ପ୍ୟାକେଟ୍ ଭିଟାମିନ୍-ସି ଔଷଧ ବଣ୍ଟାଯିବ ବୋଲି ଜଣାପଡ଼ିଛି। ଭିଟାମିନ୍-ସି ସହ ଭିଟାମିନ୍-ଡି ଔଷଧ ମଧ୍ୟ ବଣ୍ଟା ଯାଉଛି। ଏକ ଘରୋଇ ସଂସ୍ଥା ପକ୍ଷରୁ ଏ ସବୁ ଔଷଧ ଯୋଗାଇ ଦିଆଯାଉଛି। ଜଣେ କର୍ମଚାରୀଙ୍କୁ ୬ ପ୍ୟାକେଟ୍ ଔଷଧ ଦିଆଯାଉଥିବା ସୂଚନା ମିଳିଛି। ପୂର୍ବରୁ ପୁଲିସ କର୍ମଚାରୀମାନଙ୍କୁ ହ୍ୟାଣ୍ଡ ସାନିଟାଇଜର୍, ଗ୍ଲୋବସ୍, ମାସ୍କ, ହ୍ୟାଣ୍ଡ ଵାସ୍ ଭଳି ସରଞ୍ଜାମ ଦିଆଯାଇଛି। ରିଜର୍ଭ ଲାଇନରେ ପ୍ରାୟ ୧୫୦୦ ପୁଲିସ ଓ ଟ୍ରାଫିକ କର୍ମଚାରୀ ରହୁଛନ୍ତି। ସେହିପରି ପ୍ରାୟ ଶହେଟି କ୍ବାର୍ଟର୍ସ ରହିଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଜଣେ କନଷ୍ଟେବଳ କରୋନା ଆକ୍ରାନ୍ତ ଜଣାପଡ଼ିଥିଲା।

ସଂଗ୍ରହ ହେଲା ୪୦ ଜଣଙ୍କ ସ୍ବାବ୍
ଲକ୍‌ଡାଉନ୍‌ ପରଠାରୁ ବିଜ୍ଞପ୍ତି ଅନୁସାରେ ପୁଲିସ କର୍ମଚାରୀଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ବିଭିନ୍ନ ପର୍ଯ୍ୟାୟରେ ପୁଲିସ କର୍ମଚାରୀଙ୍କର ସ୍ବାବ୍ ପରୀକ୍ଷା କରାଯାଉଛି। ବିଭିନ୍ନ ଥାନା, ଅଫିସ ସହ ରିଜର୍ଭ ପୁଲିସ ଲାଇନ କର୍ମଚାରୀଙ୍କ ସ୍ବାବ୍ ପରୀକ୍ଷା କରାଯାଉଛି। ଏହି ପ୍ରକ୍ରିୟା ନିୟମିତ ଜାରି ରହିଥିବା ବେଳେ ଆଜି ରିଜର୍ଭ ପୁଲିସ ଲାଇନରୁ ୪୦ ଜଣ କର୍ମଚାରୀଙ୍କର ସ୍ବାବ୍ ପରୀକ୍ଷା କରାଯାଇଛି। ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଅନୁସାରେ, ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି, ସେମାନଙ୍କର ଶତ ପ୍ରତିଶତ ସ୍ବାବ୍ ନମୁନା ପରୀକ୍ଷା କରାଯାଉଛି। ଯେଉଁମାନଙ୍କଠାରେ ଲକ୍ଷଣ ନାହିଁ, ରାଣ୍ଡମାଇଜ୍ ଭାବେ ସେମାନଙ୍କର ମଧ୍ୟ ସ୍ବାବ୍ ପରୀକ୍ଷା କରାଯାଉଛି। ନିୟମିତ ଭାବେ ବିଭିନ୍ନ ଥାନା, ବିଭିନ୍ନ ସ୍ଥାନରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ, ରିଜର୍ଭ ଲାଇନ୍, ବାଟାଲିଅନରେ ପରୀକ୍ଷା କରାଯାଉଛି। ଏଥିଲାଗି ୭ଜଣ ଡାକ୍ତର ରହିଛନ୍ତି। ସେମାନେ ଯେଉଁ ଅନୁସାରେ ସୂଚୀ ତିଆରି କରିଛନ୍ତି, ସେହି ଅନୁସାରେ ସ୍ବାବ୍ ସଂଗ୍ରହ କରାଯାଉଛି।

ବିଶୋଧନ ହେବ ୪୦୦ ଗାଡ଼ି
ପୁଲିସ ଗା଼ଡ଼ି ବିଶୋଧନ କରିବା ପ୍ରକ୍ରିୟା ଜାରି ରହିଛି। ଏକ ଘରୋଇ ସଂସ୍ଥା ସହାୟତାରେ ଗାଡ଼ିଗୁଡ଼ିକ ବିଶୋଧନ କରାଯାଉଛି। ଏବେ ସୁଦ୍ଧା ୪୦ଟି ଗାଡ଼ି ବିଶୋଧନ ହୋଇ ସାରିଲାଣି। ମୋଟ ୪୦୦ ଗାଡ଼ି ବିଶୋଧନ ହେବ ଲକ୍ଷ୍ୟ ରଖାଯାଇଛି। ଥାନା ଓ ପିସିଆର ଭ୍ୟାନରେ କେତେବେଳେ ଅଭିଯୁକ୍ତ ଯାଇଥାନ୍ତି ତ ଆଉ କେତେବେଳେ ଦୁର୍ଘଟଣାଗ୍ରସ୍ତ ଆହତ ଓ ଅସହାୟଙ୍କୁ ଉଦ୍ଧାର କରାଯାଇଥାଏ। ତେଣୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଏହି ଗାଡ଼ିକୁ ନିୟମିତ ବିଶୋଧନ କରାଯାଉଛି।

ସମ୍ବନ୍ଧିତ ଖବର