ଭୂଇଁରେ ଲୋଟି ପଡ଼ିଲା ‘ଇଚ୍ଛାଶକ୍ତିର ପ୍ରତୀକ’

ଭୁବନେଶ୍ବର: ଷ୍ଟିୱାର୍ଟ-ଡେଲ୍‌ଟା ରାସ୍ତା‌ରେ ଥିବା ଏକ ବିଶାଳ ବରଗଛ ଫନିରେ ଶ୍ରୀହୀନ ହୋଇଯାଇଥିଲା। ଗୋଟିଏ ହେଲେ ଡାଳ ନଥିଲା। ଖାଲି ଗଣ୍ଡିଟି ଆକାଶକୁ ଚାହିଁ ମୃତବତ୍‌ ଛିଡ଼ା ହୋଇଥିଲା। କିନ୍ତୁ ପ୍ରଶାସନର ଯତ୍ନ ପାଇ ବର୍ଷକ ମଧ୍ୟରେ ଗଛଟି ସବୁଜିମାରେ ଭରି ଯାଇଥିଲା। ଜୀବନ ଯୁଦ୍ଧରେ ଲଢ଼ି ଗଛଟି ପୁଣିଥରେ ବଞ୍ଚିବା ସହ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଇଥିଲା। ସେହି ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ ଜରିଆରେ ସମଗ୍ର ଓଡ଼ିଶାବାସୀଙ୍କୁ ଦେଇଥିଲେ। ଗତ ୨୦୨୦ ମସିହାରେ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର୍‌ ଆକାଉଣ୍ଟରେ ଏହାକୁ ନେଇ ଲେଖିଥିଲେ, ‘ଓଡ଼ିଆ ଜାତି ତା’ର ସୁଦୀର୍ଘ ଇତିହାସରେ ଅନେକ ବିପଦର ସାମ୍ନା କରିଛି।

ଧୈର୍ଯ୍ୟ, ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ପୁଣି ପୂର୍ବ ଗୌରବ ଫେରି ପାଇଛି। ବାସ୍ତବରେ ସାହସ ହିଁ ଏ ଜାତିର ଶ୍ରେଷ୍ଠ ସମ୍ପତ୍ତି। ଏହି ବରଗଛ ହେଉଛି ଓଡ଼ିଆଙ୍କ ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ। ଆମେ ଲଢ଼ିବା, ଆମେ ପୁଣି ଜିତିବା।’ ବରଗଛର କାହାଣୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ବିଟ୍‌ ଓଡ଼ିଶାବାସୀଙ୍କୁ ପ୍ରେରଣା ଦେଇଥିଲା। ଲୋକେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ବିଟ୍‌‌‌‌ କମେଣ୍ଟ, ଲାଇକ୍‌‌ରେ ପୋତି ହୋଇପଡ଼ିଥିଲା। ବହୁ ଲୋକ ରି-ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀଙ୍କ ଏ ଅନୁଭୂତିର ଉଚ୍ଚ ପ୍ରଶଂସା ବି କରିଥିଲେ। ଟ୍ବିଟ୍‌ ଦେଖି ଏମିତି ପ୍ରତିଭାତ ହେଲା, ଯେମିତି ପରିବେଶ ପ୍ରତି ଲୋକଙ୍କ ସଚେତନତା ବଢ଼ୁଛି। ହେଲେ ଏହାର ଦୁଇ ବର୍ଷ ପରର ଅବସ୍ଥା ଏକ ଭିନ୍ନ ଚିତ୍ର ବୟାନ କରୁଛି। ଗଛଟି ସମ୍ପୂର୍ଣ୍ଣ ମୂଳରୁ ଉପୁଡ଼ି ପଡ଼ିଛି; ବାତ୍ୟା କି ପବନରେ ନୁହେଁ, ମନକୁ ମନ ଦୁର୍ବଳ ହୋଇ। ଯିଏ ଯେତେବେଳେ ପାରୁଛି, ଜାଳ ପାଇଁ ଖଣ୍ଡେ ପାଇଁ ଏଥିରୁ କାଠ ହାଣି ନେଉଛି।

ସମ୍ବନ୍ଧିତ ଖବର