ପ୍ରତ୍ୟକ୍ଷ ପରୀକ୍ଷା ଫଳର ସ୍ବାଦ ସ୍ବତନ୍ତ୍ର

କରୋନା ପାଇଁ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହୋଇପାରିଲା ନାହିଁ। ଆକଳନମୂଳକ ମାର୍କ ଦିଆଯାଇଛି। ତେବେ ବହୁ ପିଲା ମିଳିଥିବା ମାର୍କକୁ ନେଇ ଆତ୍ମସନ୍ତୋଷ ପାଇଥିବା କହିଛନ୍ତି। କିନ୍ତୁ କିଛି ପିଲା ଭିନ୍ନ ମନ୍ତବ୍ୟ ରଖିଛନ୍ତି। ସେମାନଙ୍କ ମତରେ ପ୍ରତ୍ୟକ୍ଷ ପରୀକ୍ଷାରୁ ମିଳୁଥିବା ଫଳାଫଳର ସ୍ବାଦ ସ୍ବତନ୍ତ୍ର। ସେଥିରୁ ନିଜ ପରିଶ୍ରମର ମୂଲ୍ୟ ବୁଝାପଡ଼େ। କିଛି ପିଲା ଟିଉସନ ଶିକ୍ଷକଙ୍କ ପାଇଁ ପାତରଅନ୍ତରର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଅନେକ ପିଲା ଆଗକୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି କହିଛନ୍ତି। ଆଜି ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବା ପରେ କିଛି ପିଲାଙ୍କ ମତକୁ ନେଇ ଏହି ଉପସ୍ଥାପନା…

ଘରେ ପଢ଼ି ସଫଳତା ପାଇଛି
ମୁଁ ୯୯ ପ୍ରତିଶତ ମାର୍କ ରଖି ସ୍କୁଲରେ ଟପ୍ପର ହୋଇଛି। ଯଦି ପରୀକ୍ଷା ଦେଇ ଏହି ସଫଳତା ପାଇଥାନ୍ତି, ଅଧିକ ଖୁସି ଲାଗିଥାନ୍ତା। ମୁଁ କୋଚିଂ ସେଣ୍ଟର ଯାଏନାହିଁ, କେବଳ ସ୍କୁଲ୍‌ ପଢ଼ା ସହ ଘରେ ପଢ଼େ। ଡାକ୍ତର ହେବି ବୋଲି ଲକ୍ଷ୍ୟ ରଖିଛି।
ହୈମବତୀ ନନ୍ଦନ ପତି , ଛାତ୍ର, ଓଡିଏମ୍‌ ପବ୍ଲିକ ସ୍କୁଲ୍‌

କମ୍‌ ସମୟରେ ଅଧିକ ପରିଶ୍ରମ କରିଥିଲି
ଆଶା ଅନୁସାରେ ୯୮.୪ ପ୍ରତିଶତ ମାର୍କ ପାଇଥିବାରୁ ଖୁସି ଅଛି। କୋଭିଡ୍‌ ମହାମାରୀ ସମୟରେ ସ୍କୁଲ ଆମକୁ ବହୁତ କମ୍ ସମୟ ଭିତରେ ପାଠ ପଢ଼ାଇଛି। ଅଧିକ ପରିଶ୍ରମ କରିବାକୁ ପଡ଼ିଥିଲା। ମେଡିକାଲ ପଢ଼ିବା ପାଇଁ ପ୍ରସ୍ତୁତ ହେଉଛି।
ପ୍ରଜ୍ଞା ପରମିତା ସାହୁ , ଛାତ୍ରୀ, ଓଡିଏମ୍‌ ପବ୍ଲିକ ସ୍କୁଲ୍‌

ଦ୍ବନ୍ଦ୍ବ ଦୂର ହୋଇଛି
ପରୀକ୍ଷା ଫଳକୁ ନେଇ ମନରେ ଦ୍ବନ୍ଦ୍ବ ଥିଲା। କରୋନା ମହାମାରୀ ପାଇଁ ସ୍କୁଲ୍ ଓ ଟିଉସନ୍ ସବୁ ବନ୍ଦ ରହିଥିବାରୁ ପ୍ରସ୍ତୁତି ବି ଠିକ୍‌ରେ ହୋଇପାରିନଥିଲା। ତେବେ ଆଶା ଅନୁସାରେ ଫଳ ମିଳିଥିବାରୁ ମୁଁ ବହୁତ ଖୁସି ଅଛି।
ସୋନାଲି ପାତ୍ର

ପରୀକ୍ଷା ହୋଇଥିଲେ ଭଲ ଫଳାଫଳ ହୋଇଥାନ୍ତା
ଯଦି ପରୀକ୍ଷା ହୋଇଥାନ୍ତା, ମୁଁ ଆଉ କିଛି ଅଧିକ ନମ୍ୱର୍ ରଖି ପାରିଥାନ୍ତି। କିନ୍ତୁ ମହାମାରୀ ସମୟରେ ସରକାର ଯାହା ନିଷ୍ପତ୍ତି ନେଇଛନ୍ତି, ତାକୁ ମୁଁ ସ୍ବାଗତ କରୁଛି। ଆଗକୁ ଅନ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ।
ସୁଶ୍ରୀ ସୁମନ୍ ରଥ, ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ୍

ସନ୍ତୋଷଜନକ ଫଳାଫଳ ହେଲାନି
ପରୀକ୍ଷା ହୋଇଥିଲେ, ବିଦ୍ୟାଳୟର ଫଳାଫଳ ଭିନ୍ନ ହୋଇଥାନ୍ତା। ୬ରୁ ଅଧିକ ପିଲା ୯୯% ମାର୍କ ରଖିଥାନ୍ତେ। ମୋଟ୍‌ ୬୮୦ ପିଲାଙ୍କ ଭିତରୁ ୧୦୦ରୁ ଅଧିକ ପିଲା ୯୦% ମାର୍କ ରଖିଥାନ୍ତେ। ତେଣୁ ବିଦ୍ୟାଳୟର ଫଳାଫଳ ସନ୍ତୋଷଜନକ ହୋଇନାହିଁ।
ରାକ୍ଷୀ ମୈତ୍ରା, ଶିକ୍ଷୟିତ୍ରୀ, ଓଡିଏମ୍‌ ପବ୍ଲିକ ସ୍କୁଲ୍‌

ଅଧିକ ଉତ୍ସାହିତ ହେବେ
ମହାମାରୀ କରୋନା ପାଇଁ ପରୀକ୍ଷା ବାତିଲ ହେବା ପିଲାଙ୍କୁ ନିରୁତ୍ସାହିତ କରିଥିଲା। କିନ୍ତୁ ୯୯.୩୭% ପିଲା ପାସ୍‌ କରିବା ପରେ ଫଳାଫଳ ଭଲ ହୋଇଥିବାରୁ ଏହା ଆଗକୁ ପିଲାଙ୍କୁ ଅଧିକ ଉତ୍ସାହିତ କରିବ।
ରାଜେଶ ମହାକୁଡ଼, ଶିକ୍ଷକ

ପାତରଅନ୍ତର ହୋଇଛି
ଟିଉସନରେ ପଢ଼ାଉଥିବା ଶିକ୍ଷକମାନେ ନିଜ ପିଲାମାନଙ୍କୁ ଅଧିକ ମାର୍କ ଦେଇଛନ୍ତି। ଟିଉସନ ଯାଉନଥିବା ପିଲାଙ୍କୁ କମ୍‌ ମାର୍କ ମିଳିଛି। ପାତରଅନ୍ତର କରାଯାଇଛି। କିନ୍ତୁ ଅଭ‌ିଯୋଗ କଲେ କିଛି ଲାଭ ହେବନାହିଁ। ତେଣୁ ଆଗକୁ ବଢ଼ିବା ନେଇ ଚିନ୍ତା କରିବା ଭଲ ଭାବି ଚୁପ୍‌ ରହିବାକୁ ପଡ଼ୁଛି।
ପୀୟୂଷ କୁମାର ସ୍ବାଇଁ

ମାର୍କ କମିଛି, କିନ୍ତୁ ଅଭିଯୋଗ ନାହିଁ
କରୋନା କାରଣରୁ ବର୍ଷେ କାଳ ଅନ୍‌ଲାଇନ୍‌ କ୍ଲାସ ଚାଲିଲା, ତେଣୁ ମୁଁ ଭଲ ଭାବେ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରି ପାରିନଥିଲି। ଏଣୁ ମୋର ମାର୍କ କମିଯାଇଛି। ତେବେ ମୁଁ ଅଭିଯୋଗ କରୁନି, କାରଣ ଆଗକୁ ପରିଶ୍ରମ କରି ଅନ୍ୟ ପରୀକ୍ଷାରେ ଭଲ କରିବାକୁ ପଡ଼ିବ।
‌‌ସ୍ବୟମ୍ ଦାସ

ସମ୍ବନ୍ଧିତ ଖବର