ଗଠନ ହେଲା ଟିମ୍‌, ଫିଟିବ ଫଳ ବଜାର ରହସ୍ୟ

ଫାଙ୍କା ପଡ଼ିଛି ୫୦% ଦୋକାନ, ତଳ ମହଲା ପାଇଁ ଟଙ୍କା କାରବାର ଅଭିଯୋଗ

ଭୁବନେଶ୍ଵର: କୋଟି କୋଟି ଟଙ୍କା ବ୍ୟୟରେ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂରେ ନିର୍ମିତ ଫଳ ବଜାରକୁ ନେଇ ଚର୍ଚ୍ଚା ଥମୁନି। ରାସ୍ତା କଡ଼ରେ ବସିଥିବା ଫଳ ଦୋକାନୀଙ୍କୁ ଥଇଥାନ କରିବା ପାଇଁ ହୋଇଥିବା ଏହି ବଜାର ଏବେ ବି ଫାଙ୍କା ପଡ଼ିଛି ଓ ଫଳ ବ୍ୟବସାୟୀମାନେ ସେମିତି ରାସ୍ତାକଡ଼ରେ ବସୁଛନ୍ତି। ଗତ ମାସ ୨୮ ତାରିଖରେ ଏଠାରେ ବ୍ୟବସାୟୀଙ୍କୁ ବସାଇ ବଜାରକୁ ନିୟମିତ କରିବା ପାଇଁ ମେୟର ସୁଲୋଚନା ଦାସ ଅଣ୍ଟା ଭିଡ଼ିଥିଲେ। ଏଥିପାଇଁ ସେ ଡେପୁଟି କମିସନର (ମାର୍କେଟ୍‌)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ମାସେ ବିତିଯାଇଥିଲେ ମଧ୍ୟ ୫୦ ପ୍ରତିଶତ ଫଳ ବ୍ୟବସାୟୀ ଏହି ବଜାରକୁ ଆସିନଥିଲେ। ଦୋକାନ ନେଇଥିବା ୫୦ ପ୍ରତିଶତ ବ୍ୟବସାୟୀ କୁଆଡ଼େ ଗଲେ ଓ କାହିଁକି ସେମାନେ ଦୋକାନ ଘର ବ୍ୟବହାର କରୁନାହାନ୍ତି, ତାହାକୁ ନେଇ ଛାନ୍‌ଭିନ୍‌ ଆରମ୍ଭ ହୋଇଛି।

ଏଣୁ କମିସନର ଅତିରିକ୍ତ କମିସନର(୩)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ୭ ଦିନ ଭିତରେ ନିଖୋଜ ବ୍ୟବସାୟୀଙ୍କ ତଥ୍ୟ ଖୋଜି ବାହାର କରିବ। ଏଥିସହିତ ଫଳ ବଜାରକୁ ବ୍ୟବସ୍ଥିତ କରିବା ଲାଗି ଏକ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର) ପ୍ରସ୍ତୁତ କରି କମିସନରଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ହୋଇଛି।
ଉଳ୍ଲେଖଯୋଗ୍ୟ, କଳ୍ପନା, ରାଜମହଲ, ଏଜି ଓ ଅନ୍ୟାନ୍ୟ ସ୍ଥାନରେ ବସୁଥିବା ଫଳ ବ୍ୟବସାୟୀଙ୍କୁ ଗୋଟିଏ ଛାତ ତଳେ ଥଇଥାନ କରିବାକୁ ବିଏମ୍‌ସି ୨୦୧୨ ମସିହାରେ ଯୋଜନା କରିଥିଲା। ସାଧାରଣ ପ୍ରଶାସନ ବିଭାଗ ମାର୍କେଟ୍‌ ବିଲ୍ଡିଂ ପେଟ୍ରୋଲ ପମ୍ପ ନିକଟରେ ଏଥିପାଇଁ ଜମି ଯୋଗାଇ ଦେଇଥିଲା।

ବିଏମ୍‌ସି ଏହି ଜାଗାରେ ୨କୋଟି ଟଙ୍କା ଖର୍ଚ୍ଚ କରି ତିନିମହଲା କୋଠା ନିର୍ମାଣ କରିଥିଲା। ଏଥିରେ ୭୮ଦୋକାନୀଙ୍କୁ ଥଇଥାନ କରାଯିବାର ଥିଲା। ୨୦୧୫ ଅଗଷ୍ଟ ୩୧ରେ ଏହାକୁ ଉଦ୍‌ଘାଟନ କରିବା ସହ ରାସ୍ତାକଡ଼ରୁ ଏହି ଫଳ ବ୍ୟବସାୟୀମାନଙ୍କୁ ହଟାଇବାକୁ ସ୍ଥିର କରାଯାଇଥିଲା। କିନ୍ତୁ ଏଥିରେ ମାର୍କେଟ ଉପବିଭାଗର ଅଧିକାରୀ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ତଳ ମହଲାରେ ଦୋକାନ ଦେବାକୁ ମୋଟା ଅଙ୍କର ହାତଗୁଞ୍ଜା ଦେବାକୁ ପଡ଼ୁଥିଲା। ସେହିଭଳି ସର୍ଭେ ସମୟରେ ଯେତିକି ଫଳ ଦୋକାନୀ ଚିହ୍ନଟ ହୋଇଥିଲେ, ସେମାନଙ୍କ ଭିତରୁ ସମସ୍ତଙ୍କୁ ଦୋକାନ ନ ଦେଇ ଅଧିକାରୀଙ୍କ ପରିଚିତ କିମ୍ବା ସମ୍ପର୍କୀୟଙ୍କୁ ଦୋକାନ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଣୁ ଦୋକାନୀମାନେ ଏହି ମାର୍କେଟ୍‌କୁ ଆସିନଥିଲେ। ୨୦୧୮ ମସିହାରେ ପୁଣି ଥରେ ଏହା ଉପରେ ତର୍ଜମା ହେଲା।

୪ ଲକ୍ଷ ଟଙ୍କା(ଫେରସ୍ତଯୋଗ୍ୟ) ସିକ୍ୟୁରିଟି ଜମା ଓ ଭଡ଼ା (ବର୍ଗଫୁଟ୍‌ ପିଛା ୩୫ ଟଙ୍କା) ବାବଦରେ ମାସକୁ ୨୫୨୦ ଟଙ୍କା ଧାର୍ଯ୍ୟ ହେଲା। ମାତ୍ର ୪ ଲକ୍ଷ ଟଙ୍କା ଦେଇ ଦୋକାନ ନେବାକୁ କିଛି ଦୋକାନୀ ବିରୋଧ କରି ଆସିନଥିଲେ। ସେହିପରି ସର୍ବେକ୍ଷଣରେ କିଛି ବ୍ୟବସାୟୀ ବାଦ୍‌ ପଡ଼ିଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ଆବଣ୍ଟନ ସମ୍ଭବ ହୋଇନଥିଲା। ଗତମାସ ୨୮ରେ ମେୟର ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା। ଏହାକୁ ନେଇ ପୂର୍ବରୁ ରହିଥିବା ବିଭିନ୍ନ ଅଭିଯୋଗକୁ ମାର୍କେଟ୍‌ ଉପବିଭାଗ ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟି ମାନିନଥିଲେ। ଏଣୁ ଏହା ଭିତରେ କଣ ରହସ୍ୟ ରହିଛି ତାହା ଜାଣିବା ସହ‌ ଏହାକୁ ଶୃଙ୍ଖଳିତ କରିବା ପାଇଁ କମିସନର ଯୋଜନା କରି ଏହି କମିଟି ଗଢ଼ିଛନ୍ତି। ଏହି କମିଟିରେ ଅତିରିକ୍ତ କମିସନର(୩) ସୂର୍ଯ୍ୟବଂଶୀ ମୟୂର ବିକାଶ ଅଧ୍ୟକ୍ଷ ରହିଥିବା ବେଳେ ମାର୍କେଟ୍‌ ଉପବିଭାଗ ଡେପୁଟି କମିସନର ପ୍ରମୋଦ ପୃଷ୍ଟି ସଦସ୍ୟ ଆବାହକ ଅଛନ୍ତି। ସିଏଫ୍‌ଓ(ମୁଖ୍ୟ ବିତ୍ତ ଅଧିକାରୀ), ସିଟି ଇଞ୍ଜିନିୟର, ଚିଫ୍‌ ଅଡିଟର, ଡେପୁଟି କମିସନର (ରାଜସ୍ବ) ଓ ଜେଡ୍‌ଡିସି(ଦକ୍ଷିଣପୂର୍ବ) ସଦସ୍ୟ ଅଛନ୍ତି। କମିଟିର ରିପୋର୍ଟ ମିଳିବା ପରେ ଦୋକାନ ବଣ୍ଟନର କେଳେଙ୍କାରୀ ପଦାକୁ ଆସିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର