ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମର ଏ ଯୁଗରେ ସୁନ୍ଦର ଶରୀରକୁ ନେଇ ଚାଲିଥିବା ପ୍ରତିଯୋଗିତା ତଥା ଓଜନ ନିୟନ୍ତ୍ରଣ- ମୁଖ୍ୟତଃ ଏହି ଦୁଇଟି କଥାକୁ ମନରେ ରଖି ଲୋକେ ବର୍ତ୍ତମାନ ଜିମ୍ ଯାଉଛନ୍ତି। ବିଶେଷକରି ଯୁବପିଢ଼ିଙ୍କ ଭିତରେ ଏହାର ଲୋକପ୍ରିୟତା ବା କ୍ରେଜ୍ ବେଶ୍ ଅଧିକ। ତେବେ ଏହା ବର୍ତ୍ତମାନ କେବଳ ଯୁବପିଢ଼ିଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ, ସ୍କୁଲ୍ରେ ପଢୁଥିବା କିଶୋର କିଶୋରୀ ମଧ୍ୟ ଏଥିରେ ସାମିଲ ହେଲେଣି। ରାଜଧାନୀରେ ଥିବା ଜିମ୍ଗୁଡ଼ିକରେ ବର୍ତ୍ତମାନ ୧୨-୧୮ ବର୍ଷର ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଛୋଟ ବେଳରୁ ହିଁ ଖେଳିବା ସମୟ ଓ ସ୍ଥାନର ଅଭାବ, ପାଠପଢ଼ାର ଚାପ ଓ ଅସନ୍ତୁଳିତ ଖାଦ୍ୟ ପାଇଁ ଛୋଟପିଲାଙ୍କ ମଧ୍ୟରେ ମେଦ ବହୁଳତା ଏକ ବଡ଼ ସମସ୍ୟା ରୂପେ ଉଭା ହେଲାଣି। ପୁଣି ସାମାଜିକ ଗଣମାଧ୍ୟମର ପ୍ରଭାବରେ ମଧ୍ୟ ଫିଟ୍ ଓ ସୁନ୍ଦର ଶରୀର ପାଇଁ ପିଲାଙ୍କ ଭିତରେ ଏକ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ସୁନ୍ଦର ସ୍ବାସ୍ଥ୍ୟ ଓ ସନ୍ତୁଳିତ ଓଜନ ପାଇଁ ପିଲାଟି ଦିନରୁ ପ୍ରୟାସ ନିଶ୍ଚିତ ଭାବେ ଭଲକଥା। ତେବେ ଏହାକୁ ନକାରାତ୍ମକ ଦିଗରୁ କେହି କେହି ଏକ ‘ମୂଷାଦୌଡ଼’ ବା ‘ରୢାଟ୍ ରେସ୍’ କହି ପାରନ୍ତି, କେହି ବି କହିପାରନ୍ତି ‘ପିୟର୍ ପ୍ରେସର୍’ର ପ୍ରଭାବ। ସେ ଯାହାହେଉ, ସତ ହେଉଛି, ଆମ ରାଜଧାନୀରେ ଥିବା ଜିମ୍ଗୁଡ଼ିକରେ କିଶୋରମାନଙ୍କର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।
ଫିଟ୍ନେସ୍ ପାଇଁ ହେଉକି ‘ରୢାଟ୍ ରେସ୍’ ବା ‘ପିୟର୍ ପ୍ରେସର୍’
ଜଟଣୀକୁ ମିଶାଇ ରାଜଧାନୀରେ ସଂଘ ଦ୍ବାରା ପଞ୍ଜୀକୃତ ହୋଇଥିବା ୪୭୨ରୁ ଊର୍ଦ୍ଧ୍ୱ ଜିମ୍ ରହିଛି। ତା’ ଭିତରୁ ୨୦ରୁ ୩୦ ହେଉଛି ପ୍ରିମିୟମ୍ ବା ଉଚ୍ଚସ୍ତରର ଜିମ୍। ଏହି ଜିମ୍ଗୁଡ଼ିକର ୧୦ରୁ ୧୨ ପ୍ରତିଶତ କ୍ଲାଏଣ୍ଟ ବା ଗ୍ରାହକଙ୍କ ବୟସ ୧୮ ବର୍ଷରୁ କମ୍। ବିଶେଷ କରି ପଟିଆ, ବାଣୀବିହାର, ସହିଦନଗର, କଳ୍ପନା, ପୋଖରିପୁଟ, ପାତ୍ରପଡ଼ା, ରସୁଲଗଡ଼ ଆଦି ଅଞ୍ଚଳରେ ଥିବା ଜିମ୍ ଗୁଡ଼ିକରେ ଏମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ନିଖିଳ ଓଡ଼ିଶା ଜିମ୍ ମାଲିକ ସଂଘର ସଭାପତି ଡାକ୍ତର ସତ୍ୟଜିତ ଦାସ କହନ୍ତି, ‘‘ଯେହେତୁ ବର୍ତ୍ତମାନ ମେଦ ବହୁଳତା, ପିସିଓଡି ଭଳି ବହୁ ରୋଗ ବଢ଼ୁଛି, ପୁଣି ପିଲାଏ ବିଭିନ୍ନ ଖେଳ ଖେଳୁଛନ୍ତି, ତେଣୁ କିଶୋରମାନଙ୍କୁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ଅନୁସାରେ ପ୍ରଶିକ୍ଷଣ ଦିଆଯାଉଛି। ଏପରିକି ଆବଶ୍ୟକତା ଅନୁସାରେ କିଛି ପିଲାଙ୍କୁ ଡାକ୍ତରୀ ନିୟମାବଳୀ ଅନୁସାରେ ମଧ୍ୟ ସ୍ୱତନ୍ତ୍ର ଟ୍ରେନିଂ ପ୍ରଦାନ କରାଯାଉଛି।’’ କମ୍ ବୟସର ପିଲାଙ୍କ ପ୍ରଶିକ୍ଷଣ ବିଧି ସଂପର୍କରେ ସେ କହିଲେ, ପ୍ରାଥମିକ ସ୍ତରରେ ସେମାନଙ୍କୁ ଟ୍ରେଡ୍ ମିଲ୍ ଓ ଭାରୋତ୍ତୋଳନ ଆଦିକୁ ମନା କରାଯାଉଛି। ସେମାନଙ୍କୁ ପ୍ରଥମେ ଷ୍ଟ୍ରେଚିଂ, ସାଇକେଲିଂ ଓ ଜୁମ୍ୱା ଡ୍ୟାନ୍ସ ପରି ବ୍ୟାୟାମ କରିବାକୁ କୁହାଯାଉଛି। ସେଥିରେ ତାଙ୍କ ଶରୀର ଅଭ୍ୟସ୍ତ ଓ ନିୟନ୍ତ୍ରିତ ହେବାପରେ ସେମାନେ କ୍ରମ ଅନୁସାରେ ଅନ୍ୟ ବ୍ୟାୟାମ କରୁଛନ୍ତି। ଏଡି ଫିଟନେସ୍ର ପ୍ରୋପାଗେଟର୍ ବିଶ୍ୱଜିତ ମଲ୍ଲିକ କହିଲେ, ‘‘ପାଠପଢ଼ା ଚାପ ଯୋଗୁଁ ପିଲାମାନଙ୍କର ଶାରୀରିକ ପରିଶ୍ରମ ହେଉନାହିଁ। ଫଳରେ ମେଦ ବହୁଳତା ବଢ଼ିବାରେ ଲାଗିଛି। ତେଣୁ ଅଧିକାଂଶ ଅଭିଭାବକ ବର୍ତ୍ତମାନ ତାଙ୍କ ଛୁଆଙ୍କୁ ଜିମ୍କୁ ଆଣୁଛନ୍ତି। ଆମେ ସେମାନଙ୍କୁ କ୍ରସ୍ ଫିଟ୍, ସ୍କ୍ୱାଟ, ପୁସ୍ ଅପ୍, ଜପିଂ ଵାର୍କଆଉଟ୍ ଆଦି କରିବାକୁ ପରାମର୍ଶ ଦେଉଛୁ। ବହୁ ଯୁବପିଢ଼ି ଓ କିଶୋର/କିଶୋରୀ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ରିଲ୍ସ ଦେଖି ନିଜ ଶରୀର ଅନୁସାରେ ବ୍ୟାୟାମ ନକରି ଅନ୍ୟ ପ୍ରତି ଆଗ୍ରହୀ ହେଉଛନ୍ତି।’’ ବିଶେଷଜ୍ଞଙ୍କ ପରାମର୍ଶ ବିନା ସେପରି କରିବା ବିପଜ୍ଜନକ ବୋଲି ସେ କହନ୍ତି।