ଖୋଲୁଛି ତହସିଲଦାରଙ୍କ ଦୁର୍ନୀତି ପେଡ଼ି, ବାଲେଶ୍ବର ଯାଏ ଚେର ଲମ୍ବିଛି

କନକ ନ୍ୟୁଜ୍‌ କ୍ୟାମେରାମ୍ୟାନଙ୍କୁ ତହସିଲଦାରଙ୍କ ପରିବାରର ଦୁର୍ବ୍ୟବହାର

ଭୁବନେଶ୍ବର: ଜମିର କିସମ ବଦଳାଇବା ପାଇଁ ଜଣେ ବିଲ୍ଡରଙ୍କଠାରୁ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଧରା ପଡ଼ିଥିବା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ଦୁର୍ନୀତି ପେଡ଼ି ଖୋଲିବାରେ ଲାଗିଛି। ଓଏଏସ୍‌ ଅଫିସରଙ୍କର ଭଡ଼ା ଘର ଓ ପୈତୃକ ଘରେ ଚଢ଼ଉ ହେବା ପରେ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଅନ୍ୟ ସବୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ନେଇ ଭିଜିଲାନ୍ସ ଖୋଳତାଡ଼ କରୁଛି। ୧୦ଟି ବ୍ୟାଙ୍କ ପାସବୁକ୍‌ ସହ ଜବତ କାଗଜପତ୍ରକୁ ହିସାବକୁ ନେଲେ ସମ୍ପତ୍ତି ପାଖାପାଖି କୋଟିଏ ଟଙ୍କାର ହେବ ବୋଲି ବିଭାଗ ଆକଳନ କରୁଛି।

ଏ ଯାବତ୍‌ ହିସାବ ହୋଇଥିବା ସମ୍ପତ୍ତି ମଧ୍ୟରେ ୩ ଲକ୍ଷ ଟଙ୍କାର ସୁନା ଗହଣା, ୮ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଜୀବନବୀମା, ୪ଟି ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୪ ଲକ୍ଷ ଟଙ୍କା ଜବତ ହୋଇଛି। ଜବତ ସମ୍ପତ୍ତି ଆୟ ବହିର୍ଭୂତ ବୋଲି ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ଓଏଏସ୍‌ ଅଫିସରଙ୍କ ଦୁର୍ନୀତିର ଚେର ଭୁବନେଶ୍ବରରୁ ବାଲେଶ୍ବର ପର୍ଯ୍ୟନ୍ତ ଲମ୍ବିଛି। ତାଙ୍କ ବିରୋଧରେ ପାଖାପାଖି ୩୦ଥର ଏଭଳି ଦୁର୍ନୀତିର ଅଭିଯୋଗ ରହିଛି। ପୂର୍ବରୁ ତାଙ୍କୁ ଧରିବା ପାଇଁ ଏକାଧିକ ବାର ଭିଜିଲାନ୍ସ ଜାଲ ବିଛାଇଥିଲା। ବୁଦ୍ଧି ଖଟାଇ ସମ୍ପୃକ୍ତ ଅଫିସର ବାରମ୍ବାର ଖସି ଯାଉଥିଲେ। ହେଲେ ଗତକାଲି ଫସି ଯାଇଥିଲେ। ଭୁବନେଶ୍ବର ଶାସ୍ତ୍ରୀନଗର ଅଞ୍ଚଳର କୈଳାସ ରଥ ନାମକ ବିଲ୍ଡର ୧ ଏକର ୨୨୫ ଡିସିମିଲି ଜମିକୁ ଘରବାଡ଼ି କିସମ କରିବା ପାଇଁ ଡାଟା ଏଣ୍ଟ୍ରି ଅପରେଟରଙ୍କ ଜରିଆରେ ୧ ଲକ୍ଷ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥି‌ଲେ। ଏହି ପଇସା ନେବା ବେଳେ ଡାଟା ଏଣ୍ଟ୍ରି ଅପରେଟର୍‌ ସହ ଅଫିସର ଧରା ପଡ଼ିଥିଲେ। ଉଭୟ ଏବେ ଝାରପଡ଼ା ଜେଲ୍‌ରେ ରହିଛନ୍ତି।

ଭୁବନେଶ୍ୱର/ବାଲେଶ୍ବର: ଲାଞ୍ଚ ମାମଲାରେ ଗିରଫ ହୋଇଥିବା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ବାଲେଶ୍ବର ସହର ଚୂନଭାଟିସ୍ଥିତ ତଳସାହି ଘର, ସଦର ବ୍ଲକ ଗୋପୀନାଥପୁରସ୍ଥିତ ବାପ ଘରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଥିଲା। ବାଲିଅନ୍ତା ତହସିଲ ପୂର୍ବରୁ ଶ୍ରୀମତୀ ପ୍ରଧାନ ବାଲେଶ୍ବର ସଦର ତହସିଲରେ ୩ ବର୍ଷ ଧରି ତହସିଲଦାର ଭାବେ କାର୍ଯ୍ୟରତ ଥିଲେ। ଲାଞ୍ଚ ମାମଲାରେ ଧରାପଡ଼ିବା ପରେ ଭିଜିଲାନ୍ସର ଏକ ଟିମ୍‌ ବାଲେଶ୍ବର ୨୮ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ଚଢ଼ଉ କରିଥି‌ଲା। ଖବର ପାଇ କନକ ନ୍ୟୁଜ୍‌ର କ୍ୟାମେରାମ୍ୟାନ୍ ଚିତ୍ତରଂଜନ ନାୟକ ସେଠାକୁ ଯାଇ ଚଢ଼ଉ ବେଳର ଦୃଶ୍ୟ ସୁଟିଂ କରିଥିଲେ। ତେବେ ତହସିଲଦାରଙ୍କ ସମ୍ପର୍କୀୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ନାୟକଙ୍କୁ ଧକ୍କା ମାରି ତାଙ୍କ କ୍ୟାମେରା ବ୍ୟାଗ୍‌ ଓ ମୋବାଇଲ୍‌ ଛଡ଼ାଇ ରଖିଥିଲେ। ଏ ନେଇ କନକ ନ୍ୟୁଜ୍‌ର ବାଲେଶ୍ବର ଜିଲ୍ଲା ପ୍ରତିନିଧି ସୁମନା ପରିଡ଼ା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଦୁର୍ବ୍ୟବହାର କରିଥିବା ତହସିଲଦାରଙ୍କ ପରିବାରଲୋକଙ୍କର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର