ଶ୍ରୀ ‌ଭେଙ୍କଟେଶ୍ବର ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା

ଭୁବନେଶ୍ୱର: ଜୟଦେବବିହାର ଛକରେ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଆଜି ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ଉତ୍ସବରେ ଯୋଗ ଦେଇଥିଲେ। ଗତ ୭ ଦିନ ଧରି ଏଠାରେ ପ୍ରତିଷ୍ଠା ଉତ୍ସବ ଚାଲିଥିଲା। ଆଜି ପ୍ରତିଷ୍ଠା ଉତ୍ସବ ଶେଷ ହେବା ପରେ ଏହାକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ଯାଇଛି। ଏହି ସମାରୋହରେ ବିଶାଖା ସାରଦା ପୀଠମ୍‌ର ସ୍ବରୂପାନନ୍ଦେନ୍ଦ୍ର ସରସ୍ବତୀ ଯୋଗ ଦେଇଥିଲେ। ତିରୁପତି ତିରୁମାଳା ଦେବସ୍ଥାନମ୍‌ (ଟିଟିଡି) ଅଧ୍ୟକ୍ଷ ୱାଇଭି ସୁବାରେଡ୍ଡି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତୀର୍ଥ ପ୍ରସାଦମ୍‌ ଓ ଭେଙ୍କଟେଶ୍ବରଙ୍କ ବସ୍ତ୍ର ପ୍ରଦାନ କରିଥିଲେ।

ଏହି ଅବସରରେ ଆନ୍ଧ୍ର ରାଜ୍ୟପାଳ କହିଲେ, ଅନେକ ଲୋକ ଏଠାରୁ ତିରୁପତି ଯାଇ ଦର୍ଶନ କରିଥାନ୍ତି। ଯିଏ ତିରୁପତି ଯାଇପାରିବେନି ଅନ୍ତତଃ ଏଇଠି ଦର୍ଶନ କରିପାରିବେ। ତିରୁପତି ତିରୁମାଳା ଦେବସ୍ଥାନମ୍‌ (ଟିଟିଡି) ଅଧ୍ୟକ୍ଷ ୱାଇଭି ସୁବାରେଡ୍ଡି କହିଲେ, ବିଶ୍ୱ ପ୍ରସିଦ୍ଧ ହିନ୍ଦୁ ଧାର୍ମିକ ସଂଗଠନ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ହିନ୍ଦୁ ଧର୍ମ ପ୍ରଚାର ପାଇଁ ଉଦ୍ୟମ ଅବ୍ୟାହତ ରଖିଛି। ଦେଶର ବିଭିନ୍ନ ଜାଗାରେ ଏଭଳି ମନ୍ଦିର ପ୍ରତିଷ୍ଠା‌ କରାଯାଉଛି। ବିଭିନ୍ନ ପଛୁଆ ଅଞ୍ଚଳରେ ଏଯାବତ୍‌ ୫୦୧ଟି ମନ୍ଦିର ନିର୍ମାଣ ହୋଇସାରିଛି। ଏବେ ୧୧୩୦ଟି ମନ୍ଦିର ନିର୍ମାଣାଧୀନ ରହିଛି। ‘ଗୁଡ଼ିକୋ ଗୋମାତା’ କାର୍ଯ୍ୟକ୍ରମ ଅଧୀନରେ ୧୭୧ଟି ମନ୍ଦିରକୁ ଗାଈ ପ୍ରଦାନ କରାଯାଇଛି। ନିୟମିତ ଏହି ସବୁ ମନ୍ଦିରରେ ଗୋ-ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ବିଶାଖା‌ ସାରଦା ପୀଠମ୍‌ର ଶ୍ବେତ୍ମାନନ୍ଦେନ୍ଦ୍ର ସରସ୍ବତୀ, ସ୍ଥାନୀୟ ଉପଦେଷ୍ଟା କମିଟି ମୁଖ୍ୟ ଦୁଷ୍ମନ୍ତ କୁମାର, ସଦା ଭାର୍ଗବୀ, ବୀରବ୍ରହ୍ମମ୍‌, ନାଗେଶ୍ବର ରାଓ, ଗୁଣଭୂଷଣ, ଅଲ ପ୍ରୋଜେକ୍ଟ ଅଫିସର ବିଜୟ ସାରଧୀ, ଭିଜିଓ ଶ୍ରୀ ମନୋହର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ମନ୍ଦିର ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ।

ସମ୍ବନ୍ଧିତ ଖବର