ସମସ୍ୟା ଘେରରେ ସୂକ୍ଷ୍ମେଶ୍ୱର ମନ୍ଦିର: ଗର୍ଭଗୃହରେ ଝରୁଛି, ବେଢ଼ାରେ ଡ୍ରେନ୍‌ ପାଣି ପଶୁଛି

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଅଧୀନରେ ଥିବା ସୂକ୍ଷ୍ମେଶ୍ୱର ମନ୍ଦିର ଏବେ ସମସ୍ୟାଘେରରେ। ବର୍ଷା ହେଲେ ମନ୍ଦିରର ଗର୍ଭଗୃହରେ ପାଣି ଝରୁଥିବା ବେଳେ ନିକଟସ୍ଥ ଡ୍ରେନ୍‌ର ଉଛୁଳା ପାଣି ମନ୍ଦିର ପରିସରକୁ ପଶି ଆସୁଛି। ଫଳରେ ମନ୍ଦିରର ନୀତିକାନ୍ତିରେ ଯେତିକି ସମସ୍ୟା ହେଉଛି, ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିବା ପାଇଁ ମଧ୍ୟ ସେତିକି ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି।

ସୂଚନାଯୋଗ୍ୟ, ସୂକ୍ଷ୍ମେଶ୍ୱର ପୀଠ ପାଦଗୟା ଭାବେ ଜଣାଶୁଣା। ଏଠାରେ ପିତୃଶ୍ରାଦ୍ଧ ସମ୍ପନ୍ନ ଅବସରରେ ତିଳତର୍ପଣ କରାଯାଏ। ଶ୍ରାଦ୍ଧ ଅର୍ପଣ ବେଳେ ପୁଷ୍କରିଣୀରେ ସ୍ନାନ କରିବା ବିଧି ଓ ପରମ୍ପରା ରହିଛି। ତେଣୁ ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀମାନଙ୍କ ମଧ୍ୟରେ ଏହା ଅନ୍ୟତମ। ତେଣୁ ଏହି ପୁଷ୍କରିଣୀ ପାଚେରିର ସୁରକ୍ଷା ପାଇଁ ୧୯ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର ପରିତାପର କଥା, ମାତ୍ର ବ‌ର୍ଷେ ନ ହେଉଣୁ ଏହି ପାଚେରି ଭୁଶୁଡ଼ି ପଡ଼ିଲା। କାମ ଏତେ ନିମ୍ନମାନର ହୋଇଥିଲା ଯେ ପାଚେରି ବର୍ଷଟିଏ ସମ୍ଭାଳିଲା ନାହିଁ। ଏମିତିକି ଭଙ୍ଗା ପାଚେରିକୁ ବି ମରାମତି କରାଗଲା ନାହିଁ। ତେଣୁ ବର୍ଷା ସମୟରେ ଡ୍ରେନ୍‌ ଜଳ ମନ୍ଦିର ପରିସରକୁ ପଶୁଛି। ଅନ୍ୟ ଏକ ସମସ୍ୟା ହେଉଛି, ଉଭୟ ପାଦଗୟା କୁଣ୍ଡ ଓ ସୂକ୍ଷ୍ମେଶ୍ବର ପୁଷ୍କରିଣୀରେ ଦଳ ଭର୍ତ୍ତି ହୋଇରହିଛି। ସେହିଭଳି ପାଦୁକ ନଳା ପୋତି ହୋଇଯାଇଥିବାରୁ ଶିବଲିଙ୍ଗରୁ ପାଣି ବାହାରକୁ ଯାଇପାରୁନାହିଁ। ‌ଏହି ସମସ୍ୟା ପାଇଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ମନ୍ଦିର ପ୍ରଶାସନ ନିକଟରେ ମନ୍ଦିରର ପୂର୍ବତନ ଟ୍ରଷ୍ଟି ବିଚିତ୍ରା ନନ୍ଦ ମଲିଆ ଅଭିଯୋଗ କରିଛନ୍ତି। ସମସ୍ୟା ସମାଧାନ ନହେଲେ, ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏ ନେଇ ରାଜ୍ୟ ଦେବୋତ୍ତର ବିଭାଗର ଅଧୀକ୍ଷକ କିଛି କହିବାକୁ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର