ଖୋଲିଲା ମନ୍ଦିର, ଭାବରେ ଭିଜିଲେ ଭକ୍ତ

ଭୁବନେଶ୍ବର: ଆଜିଠୁ ରାଜଧାନୀର ବହୁ ପ୍ରମୁଖ ମନ୍ଦିର ଖୋଲିଛି। କରୋନା କଟକଣା ପାଇଁ ଦୀର୍ଘ ଚାରି ମାସ ହେଲା ବନ୍ଦ ଥିବା ମନ୍ଦିରକୁ ଆଜି ଭକ୍ତମାନେ ଦର୍ଶନ ପାଇଁ ଯାଇଛନ୍ତି। ଏତେ ଲମ୍ବା ସମୟ ବ୍ୟବଧାନରେ ଠାକୁର ଦର୍ଶନ ପାଇ ଭକ୍ତମାନେ ଭାବରେ ଭିଜିଛନ୍ତି। କିଏ ଫୁଲ ଚଢ଼ାଇଛି ତ କିଏ ଦୀପ ଜାଳିଛି। ସୋମବାର ହୋଇଥିବାରୁ ବହୁ ଶିବ ମନ୍ଦିରରେ ଲୋକେ ନଡ଼ିଆ ବାଡ଼େଇଛନ୍ତି। ତେବେ ମନ୍ଦିର ଖୋଲିବା ନେଇ ବହୁ ଲୋକ ଜାଣି ନଥିବାରୁ ଆଜି ଭକ୍ତଙ୍କ ସଂଖ୍ୟା ଆଖିଦୃଶିଆ ହୋଇପାରିନାହିଁ। ସକା‌ଳ ବେଳା ବହୁ କମ୍ ସଂଖ୍ୟକ ଭକ୍ତ ମନ୍ଦିର ଆସିଥିବା ବେଳେ ସନ୍ଧ୍ୟା ଆଳତି ସମୟରେ ବେଶ୍ କିଛି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି। ସନ୍ଧ୍ୟା ଆଳତି ବେଳେ ମନ୍ଦିରମାନଙ୍କରେ ଘଣ୍ଟଘଣ୍ଟା ଶବ୍ଦ ସମାରୋହରେ ଗହଳଚହଳ ଲାଗିଥିବା ଦେଖିବାକୁ ମିଳିଛି।

କରୋନା କଟକଣାରେ ଚାରି ମାସ ବନ୍ଦ ହୋଇ ଯାଇଥିବା ରାମ ମନ୍ଦିର ଆଜି ଖୋଲିଥିଲା। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ କିଛି କଟକଣା ଥିଲା। ସାମାଜିକ ଦୂରତା ରଖିବା ଓ ମୁହଁରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ଏମିତି କଟକଣା ସତ୍ତ୍ବେ ଆଜି ସକାଳ ଆଳତି ବେଳେ ୨୦ରୁ ଅଧିକ ଶ୍ରଦ୍ଧାଳୁ ରାମ ମନ୍ଦିରରେ ଉପସ୍ଥିତ ଥିଲେ। ପୂର୍ବରୁ ସବୁଦିନ ରାମ ମନ୍ଦିରକୁ ଆସୁଥିବା ଭକ୍ତ ନାରାୟଣ ମହାନ୍ତି ଆଜି ମନ୍ଦିର ଖୋଲୁଖୋଲୁ ପହଞ୍ଚି ଯାଇଥିଲେ। ପୂର୍ବ ଭଳି ହାତରେ ସଜ ଫୁଲ ଧରି ମନ୍ଦିରେ ପହଞ୍ଚି ଯାଇଥିଲେ। ଠାକୁରଙ୍କୁ ଦେଖି ଭାବବିହ୍ବଳ ହୋଇପଡ଼ିଥିଲେ। ହାତ ଟେକି ମନେ ମନେ ଡାକିଥିଲେ। ତାଙ୍କ କହିବା କଥା ବହୁ ଦିନ ପରେ ଠାକୁରଙ୍କୁ ଦେଖି ଖୁସି ଲାଗୁଛି। ପ୍ରଭୁ କରନ୍ତୁ ଆଉ ମନ୍ଦିର ବନ୍ଦ ନହେଉ ବୋଲି ସେ କହିଥିଲେ। ପରିଚାଳକ ମହାବୀର ପ୍ରସାଦ ଶର୍ମା କୁହନ୍ତି ଯେ ପୂର୍ବରୁ ସକାଳ ଆଳତି ସମୟରେ ୫୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଉପସ୍ଥିତ ରୁହନ୍ତି। କିନ୍ତୁ ଆଜି କମ୍ ଶ୍ରଦ୍ଧାଳୁ ଆସିଛନ୍ତି। ବହୁ ଲୋକ ମନ୍ଦିର ଖୋଲିବା ନେଇ ଜାଣିପାରିନାହାନ୍ତି। ତେଣୁ ଆଗକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଆଜି ସେହିପରି ୟୁନିଟ୍‌-୩ ଜନପଥରେ ଥିବା ଶ୍ରୀ ଗିରି ଦୁର୍ଗା ମନ୍ଦିର, ଜୟଦେବବିହାର ସାଇ ମନ୍ଦିର, ଚିନ୍ତାମଣିଶ୍ବର ମନ୍ଦିର, ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ମା’ ତାରିଣୀ ମନ୍ଦିର, ୟୁନିଟ୍‌-୫ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର, ଶିରିପୁରସ୍ଥିତ ଝାଡ଼େଶ୍ବରୀ ମନ୍ଦିର, ଡେଲ୍‌ଟା ଛକସ୍ଥିତ ଜଳେଶ୍ବର ମନ୍ଦିର, ଭୋଇନଗରସ୍ଥିତ ଶିବ ମନ୍ଦିର ଆଦି ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା। ସବୁଠି ପ୍ରାୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍ ଥିଲା।

ସମ୍ବନ୍ଧିତ ଖବର