ଭୁବନେଶ୍ବର: ଏମ୍ସ ଭୁବନେଶ୍ବରର ଭାରପ୍ରାପ୍ତ ନିର୍ଦେଶକ ଡା. ମୁକେଶ ତ୍ରିପାଠୀଙ୍କ କାର୍ଯ୍ୟକାଳ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ପୂର୍ବତନ ନିର୍ଦେଶକ ପ୍ରଫେସର ଗୀତାଞ୍ଜଳି ବି. ଅବସର ନେବା ପରେ ଏମ୍ସ ମଙ୍ଗଳଗିରିର ନିର୍ଦେଶକ ଡା. ତ୍ରିପାଠୀଙ୍କୁ ଗତବର୍ଷ ଡିସେମ୍ବର ୨୩ରେ କେବଳ ୬ ମାସ ପର୍ଯ୍ୟନ୍ତ ଏହି ଦାୟିତ୍ବ ଦିଆଯାଇଥିଲା। ବର୍ତ୍ତମାନ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବଢ଼ାଇ ଦିଆଯିବାରୁ ଏମ୍ସ ଭୁବନେଶ୍ବରର ସ୍ଥାୟୀ ନିର୍ଦେଶକ ନିଯୁକ୍ତି ନେଇ ଆଶଙ୍କା ସୃଷ୍ଟି ହେଲାଣି। ସ୍ଥାୟୀ ନିର୍ଦେଶକ, ଡିଡିଏଙ୍କ ଅଭାବରୁ ବେହାଲ ହୋଇ ପଡ଼ିଥିବା ଏମ୍ସ ଅବସ୍ଥା ଆଗକୁ କ’ଣ ହେବ, ବାଧାପ୍ରାପ୍ତ ହୋଇ ପଡ଼ିଥିବା ଚିକିତ୍ସା ଠାରୁ ଗବେଷଣା, ପାଠପଢ଼ା ଅବସ୍ଥା କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୁରବିବିହୀନ ହୋଇ ପଡ଼ିଛି ଭୁବନେଶ୍ବର ସମେତ ଦେଶର ୬ଟି ଏମ୍ସ। ଡିସେମ୍ବର ୧୯ରେ ଏହି ସମସ୍ତ ଏମ୍ସ ନିର୍ଦେଶକଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରଠାରୁ ହିଁ ଏହି ପଦ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦେଶର ବଡ଼ ବଡ଼ ପ୍ରଫେସରଙ୍କ ମଧ୍ୟରୁ ୧୨୪ ଜଣ ସର୍ଟଲିଷ୍ଟ ହୋଇଥିଲେ। ନିର୍ଦେଶକ ପଦର ଗୁରୁତ୍ବ ଦୃଷ୍ଟିରୁ ଆଶା କରାଯାଉଥିଲା ସରକାର ତୁରନ୍ତ ନିଯୁକ୍ତି ଦେବେ। ସୂତ୍ର ଅନୁସାରେ, ବିଧିବଦ୍ଧ ଭାବରେ ନାମ ଘୋଷଣା କରାଯାଇନଥିଲେ ମଧ୍ୟ ଏମ୍ସ ଭୁବନେଶ୍ବର ସମେତ ବିଭିନ୍ନ ଏମ୍ସ ପାଇଁ ୨ ଜଣ ବରିଷ୍ଠ ପ୍ରଫେସରଙ୍କ ଚୟନ ମଧ୍ୟ କରାଯାଇଥିଲା। କିନ୍ତୁ ୬ ମାସ ପରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ସରୁନାହିଁ। କାହିଁକି ଏବଂ କେଉଁ କାରଣରୁ ଏତେ ବଡ଼ ବିଭ୍ରାଟ ସୃଷ୍ଟି ହେଉଛି ଏହି ଉତ୍ତର କାହା ପାଖରେ ନାହିଁ। ଏଣେ ଏମ୍ସ ଭୁବନେଶ୍ବରର ଅବସ୍ଥା ବେହାଲ ହେବାକୁ ବସିଲାଣି। ୬ ମାସରୁ ଅଧିକ ସମୟ ହେଲା ଏହାର ଗୁରୁତ୍ବପୂର୍ଣ୍ଣ ମେସିନ କ୍ରୟ ବନ୍ଦ ହୋଇ ପଡ଼ିଛି। ଏପରିକି ପ୍ରିଣ୍ଟଆଉଟ ପାଇଁ କାଗଜ, ଗ୍ଲୋବ୍ସ, ମାସ୍କ ଏପରିକି ସିରିଞ୍ଜ ପାଇଁ ମଧ୍ୟ ଡାକ୍ତରମାନଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଛି।
ସୂଚନା ଅନୁଯାୟୀ, ପ୍ରତି ମାସରେ ପ୍ରାୟ ୨ କୋଟି ଟଙ୍କାର ଔଷଧ ଏମ୍ସ କ୍ରୟ କରିଥାଏ। ଏଥିସହିତ ଯେଉଁ ଔଷଧର ଆବଶ୍ୟକ ହୁଏ, ନିର୍ଦେଶକ କ୍ରୟର ବ୍ୟବସ୍ଥା କରନ୍ତି। ମାତ୍ର ଅଧିକାଂଶ ସମୟରେ ଭାରପ୍ରାପ୍ତ ନିର୍ଦେଶକ ଅନୁପସ୍ଥିତ ଥିବାରୁ ଏହା ହୋଇ ପାରୁନାହିଁ। ଯେତେବେଳେ ମଧ୍ୟ ରହୁଛନ୍ତି ଅତ୍ୟାବଶକୀୟ କାର୍ଯ୍ୟକୁ ଗୁରୁତ୍ବ ଦେଉଛନ୍ତି। ଡିସେମ୍ବର ମାସରୁ ଏମ୍ସର ବର୍ଣ୍ଣ ସେଣ୍ଟର, ଧର୍ମାଶାଳା ନିର୍ମାଣ ସମାପ୍ତ ହେବା ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ। ଦୀର୍ଘ ବର୍ଷର ଅପେକ୍ଷା ପରେ ସୁପରସ୍ପେସାଲିଟି ସେଣ୍ଟର ପାଇଁ ଏମ୍ସକୁ କିଛି ଜମି ମିଳିଲା।
ମେସିନ ଠାରୁ ଗ୍ଲୋବ୍ସ କିଣା ଠପ୍, ଚିକିତ୍ସା ବାଧାପ୍ରାପ୍ତ
କେନ୍ଦ୍ର ପାଇଁ ଏମ୍ସ ଗୁରୁତ୍ବପୂର୍ଣ୍ଣ ନୁହେଁ, ରାଜ୍ୟ ବି ନିରବ
ଏଥିପାଇଁ ଭୂମି ପୂଜନ ସିନା ହେଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉନି। ଏହା କେବଳ ଉଦାହରଣ ମାତ୍ର ଏହିଭଳି ଅନେକ ଉନ୍ନୟନ କାର୍ଯ୍ୟ ଠପ ପଡ଼ିଛି। ପରୀକ୍ଷଣ ମଧ୍ୟ ମଝିରେ ମଝିରେ ବନ୍ଦ ହୋଇ ଯାଉଛି। ବଡ଼ ପରୀକ୍ଷଣ କଥା ଦୂରେଥାଉ ଛୋଟ ପରୀକ୍ଷଣ ପାଇଁ ମଧ୍ୟ ରୋଗୀମାନଙ୍କୁ ବାହାରକୁ ପଠାଯାଉଛି। ଆକ୍ବାଗାର୍ଡଟିଏ ମଧ୍ୟ ସଚଳ କରାଯାଇ ପାରୁ ନାହିଁ। ଓପିଡି ରୋଗୀଙ୍କୁ ପିଇବା ପାଣି ପାଇଁ ମଧ୍ୟ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ୁଛି। ଚିକିତ୍ସା ମଧ୍ୟ ପ୍ରଭାବିତ ହେବାକୁ ବସିଲାଣି। ବର୍ତ୍ତମାନ ପ୍ରତିଦିନ ଡାକ୍ତର ପାଖକୁ ଆସୁଥିବା ଅନେକ ରୋଗୀଙ୍କୁ ନିରାଶ ହେବାକୁ ପଡ଼ୁଛି। ପୂର୍ବରୁ ଅପେକ୍ଷା ଅବଧି ୩ ମାସ ଥିଲା। ବର୍ତ୍ତମାନ ଏହା ୪ ମାସ ହେବାକୁ ବସିଲାଣି। ଅସ୍ତ୍ରୋପଚାର ପାଇଁ ରୋଗୀ ଅପେକ୍ଷା କରି ରହିଛନ୍ତି। ଏଣେ ଅନେକ ଭେଣ୍ଟିଲେଟର ଅନୁପଯୋଗ ହୋଇ ପଡ଼ିଛି।
ପ୍ରାଧ୍ୟାପକ ପଦୋନ୍ନତି ନେଇ ଗତବର୍ଷ ଅଦାଲତରେ ଦାୟର ମାମଲାକୁ ନେଇ ଏମ୍ସକୁ ନିଜ ପକ୍ଷ ରଖିବାର ଥିଲା। ମାତ୍ର ଏହା ହୋଇ ପାରି ନାହିଁ। ପୂର୍ବତନ ନିର୍ଦେଶକଙ୍କ ସମୟରେ ୫ଟି ବିଭାଗର ପ୍ରଫେସର ନିଯୁକ୍ତିକୁ ଅଦାଲତ ସ୍ଥଗିତାଦେଶ ଦେଇଥିଲେ। ସେହି ବିବାଦ ମଧ୍ୟ ଲାଗି ରହିଛି। ଏଥିଯୋଗୁଁ ଏଠାରେ ବିଭାଗୀୟ ନିଯୁକ୍ତି ନେଇ ଅନିଶ୍ଚିତତା ଲାଗି ରହିଛି। ଏମ୍ସ ସ୍ବୟଂଶାସିତ ସଂସ୍ଥା ହୋଇଥିବାରୁ ଏହାର ସମସ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିର୍ଦେଶକ ନେଇଥାଆନ୍ତି। ମାତ୍ର ଏମ୍ସ ଭୁବନେଶ୍ବରର ଭାରପ୍ରାପ୍ତ ନିର୍ଦେଶକ ଡା. ତ୍ରିପାଠୀଙ୍କ ପାଇଁ ଏଠାରେ ସବୁ ଦିନ ରହିବା ସମ୍ଭବ ନଥିବାରୁ ଅବସ୍ଥା ଅସମ୍ଭାଳ ହେଉଛି। ଡା. ତ୍ରିପାଠୀଙ୍କ ମୂଳ ଦାୟିତ୍ବ ମଙ୍ଗଳଗିରିରେ ଥିବାରୁ ସେ ଭୁବନେଶ୍ବରକୁ ମାସକୁ ଥରେ କିମ୍ବା ଦୁଇ ଥର ଆସନ୍ତି। ସେହି ସମୟରେ ତାଙ୍କ ସମ୍ମୁଖରେ ଥିବା ଶହ ଶହ ଫାଇଲ ମଧ୍ୟରୁ ସେ କେବଳ ଗୁରୁତ୍ବପୂର୍ଣ୍ଣ କିଛି ଫାଇଲରେ ହସ୍ତାକ୍ଷର କରନ୍ତି। ସ୍ଥାୟୀ ନିର୍ଦେଶକ ଅଭାବରୁ କେନ୍ଦ୍ରୀୟ ଅନୁଷ୍ଠାନ ଏଭଳି ଅବସ୍ଥାକୁ ନେଇ ରାଜ୍ୟ ସରକାର ଏବଂ ବୁଦ୍ଧିଜୀବୀଙ୍କୁ ମୁହଁ ଖୋଲିବାର ବେଳ ଆସିଛି।