ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପ୍ରଥମେ ୪ବର୍ଷ ଅର୍ଥାତ୍ ୨୦୨୦ରୁ ୨୦୨୪ ନଭେମ୍ବର ୨୩ ଏବଂ ପରବର୍ତ୍ତୀ ସମୟରେ ଆଉ ୬ ମାସ ବିଶ୍ବବିଦ୍ୟାଳୟ କୁଳପତି ଭାବେ ଦାୟିତ୍ବ ନିର୍ବାହ କରିବା ପରେ ଆଜି ପଦବି ଛାଡ଼ିଛନ୍ତି। ମାତ୍ର ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କିଏ କୁଳପତି ଦାୟିତ୍ବରେ ରହିବେ ସେନେଇ ସ୍ଥିର ହୋଇପାରି ନାହିଁ। ରାତି ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ମାନସମନ୍ଥନ ଚାଲିଥିଲେ ମଧ୍ୟ କାହା ନାଁରେ ଚୂଡ଼ାନ୍ତ ମୋହର ବାଜିପାରି ନାହିଁ। ୨୦୨୦ ଆଇନ ବଳରେ ରାଜ୍ୟର ଅଧିକାଂଶ ବିଶ୍ବବିଦ୍ୟାଳୟରେ ବରିଷ୍ଠ ପ୍ରଫେସରଙ୍କୁ କୁଳପତି ପଦବିରେ ଅଧିଷ୍ଠିତ ହୋଇଛନ୍ତି ସତ। ହେଲେ ଏପ୍ରିଲ ମାସରୁ ଓଡ଼ିଶାରେ ୨୦୨୪ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ଲାଗୁ ହୋଇଥିବାରୁ ଏବେ ସମସ୍ୟା ବଢ଼ିଛି।
ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ୨୦୨୪ର ସେକ୍ସନ ୧୦(ଜି)ରେ କୁଳପତିଙ୍କ କାର୍ଯ୍ୟକାଳ ସରିଲେ ଯେକୌଣସି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାୟିତ୍ୱ ଦେବାର ନିୟମ କରାଯାଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଭୁବନେଶ୍ବର ସହରର ଦୁଇଟି ବିଶ୍ବବିଦ୍ୟାଳୟ ଯଥା ଉତ୍କଳ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଏବେ ସ୍ଥାୟୀ କୁଳପତି ନାହାନ୍ତି। ତେଣୁ ନିୟମ ଅନୁଯାୟୀ ନିକଟରେ ଥିବା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କିମ୍ବା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦାୟିତ୍ବ ଦିଆଯିବା କଥା। ମାତ୍ର ତାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଏବେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ରହିଛନ୍ତି। ଓୟୁଏଟି କୁଳପତିଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ମାସରେ ଶେଷ ହେଉଛି। ତେଣୁ କାହାକୁ ଦାୟିତ୍ବ ଦେବେ ଅଧିକାରୀମାନେ ତାହା ସ୍ଥିର କରିପାରୁ ନାହାନ୍ତି।
ବଢ଼ୁଛି ଦ୍ବନ୍ଦ୍ବ, ବାଟ ପାଉନି ଉଚ୍ଚଶିକ୍ଷା ବିଭାଗ
ହ୍ବାଟ୍ସଆପ୍ ଗ୍ରୁପ୍ ଛାଡ଼ିଲେ ପ୍ରଫେସର୍ ସବିତା ଆଚାର୍ଯ୍ୟ
ସେପଟେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆଉ ଥରେ ବୃଦ୍ଧି କରିବାକୁ ରାଜଭବନ ପକ୍ଷରୁ ଗତ ସପ୍ତାହରେ ସବୁଜ ସଙ୍କେତ ମିଳିଥିଲା। ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ-୨୦୨୪ର ସେକ୍ସନ-୬ର ସବ୍ସେକ୍ସନ(୬) ଅନୁଯାୟୀ କୁଳପତିଙ୍କ କାର୍ଯ୍ୟକାଳ ଆଉ ବର୍ଷେ କିମ୍ବା ଉତ୍ତରାଧିକାରୀ କାର୍ଯ୍ୟରେ ଯୋଗ ଦେବା ପର୍ଯ୍ୟନ୍ତ ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ସଚିବଙ୍କୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଥିଲା। ମାତ୍ର ବିଭିନ୍ନ ଆଡ଼ୁ ବିରୋଧର ସ୍ବର ଉଠିବାରୁ ଉଚ୍ଚଶିକ୍ଷା ବିଭାଗ ସେଥିରୁ ବିରତ ରହିଛି। ପ୍ରଫେସର ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯାଇ ନ ଥିବା ଜଣାପଡ଼ିଛି। ତେଣୁ ପ୍ରଫେସର ଆଚାର୍ଯ୍ୟ ଆଜି ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଗଠନ ହୋଇଥିବା ବିଭିନ୍ନ ହ୍ବାଟସପ୍ ଗ୍ରୁପ୍ରୁ ଓହରି ଯାଇଛନ୍ତି। ପ୍ରଶାସନିକ କ୍ଷେତ୍ରରେ ସହଯୋଗ କରିଥିବାରୁ ଉଚ୍ଚଶିକ୍ଷା ବିଭାଗ ସଚିବ ଓ ଅଧିକାରୀଙ୍କ ସମେତ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ପ୍ରଫେସର ଆଚାର୍ଯ୍ୟ ଧନ୍ୟବାଦ ଦେବା ସହ ଗ୍ରୁପ୍ ଛାଡ଼ୁଥିବା ସମ୍ପର୍କରେ ଉଲ୍ଲେଖ କରିଛନ୍ତି।
ଅନ୍ୟପକ୍ଷରେ ପ୍ରଫେସର ଆଚାର୍ଯ୍ୟଙ୍କ ସ୍ଥାନରେ କିଏ କୁଳପତି ଦାୟିତ୍ବରେ ରହିବ ତାହାକୁ ନେଇ ଆଜି ଦିନତମାମ କ୍ୟାମ୍ପସରେ ଚର୍ଚ୍ଚା ଲାଗିରହିଛି। ବରିଷ୍ଠ ପ୍ରଫେସରଙ୍କୁ ଦାୟିତ୍ବ ଦେବାକୁ ଯୋଜନା ହେଉଥିଲେ ମଧ୍ୟ ଆଇନରେ କେତେକ ପ୍ରତିବନ୍ଧକ ସାମ୍ନାକୁ ଆସିଛି। ତଥାପି ୨୦୨୪ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ଅଣଦେଖା କରି କୁଳସଚିବ ନିଯୁକ୍ତି ହେବା ପରି କୁଳପତି ଚୟନ କରିବାକୁ ଯୋଜନା ହୋଇଛି। ତିନି ଜଣ ପ୍ରଫେସରଙ୍କ ନାଁ ଉଚ୍ଚଶିକ୍ଷା ବିଭାଗ ବିଚାରବିମର୍ଶ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଉଚ୍ଚଶିକ୍ଷା ବିଭାଗ ଓ ରାଜଭବନ ଶେଷ ନିଷ୍ପତ୍ତି ନେବାକୁ ଥିବାରୁ ଏବେ ସମସ୍ତଙ୍କ ନଜର ଏହି ଦୁଇ କାର୍ଯ୍ୟାଳୟ ଉପରେ ରହିଛି। ଆସନ୍ତା ତିନି ଦିନ ସରକାରୀ ଛୁଟି ଥିବାରୁ ତାହାରି ଭିତରେ ବିଜ୍ଞପ୍ତି ପ୍ରକାଶ କରିବେ ନା କୁଳପତି ପଦବି ସେମିତି ଖାଲି ରହିବ, ସେ ନେଇ ସଂଶୟ ଲାଗିରହିଛି।