ଭୁବନେଶ୍ବର : ବନ୍ଧୁକ ଆଣ, ବନ୍ଧୁକ ଆଣ...। ସେ ଘରେ କିଏ ପଶିଛି...। ଜଲଦି ବନ୍ଧୁକ ଆଣ। ଦିଅ ଦିଅ ମୁଁ ତାକୁ ଗୁଳି କରିଦିଏ। ଘର ମାଲିକଙ୍କ ଏଭଳି ଚିତ୍କାର ଶୁଣି ଚୋରି କରିବାକୁ ଆସିଥିବା ଚୋର ଚମ୍ପଟ ମାରିଛି। ମାଲିକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ଼ଧରଣର ଚୋରିରୁ ତାଙ୍କ ଘର ବର୍ତ୍ତି ଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି, ସହିଦନଗର ଥାନା ଅଧୀନ ଭିଏସ୍‌ଏସ୍‌ ନଗରରେ ରହୁଥିବା ପ୍ରବେଶ କୁମାର ସାହୁଙ୍କ ଘରେ। ଖବର ପାଇ ରାତି ଅଧରେ ପିସିଆର ଭ୍ୟାନ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଏପରିକି ଚୋରି କରିବାକୁ ଆସିଥିବା ଯୁବକର ସମସ୍ତ କାର୍ଯ୍ୟକଳାପ ସିସିଟିଭିରେ ମଧ୍ୟ କଏଦ୍‌ ହୋଇଛି। ପୁଲିସ୍‌ ସେହି ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।

Advertisment

ଗତ ରାତି ପ୍ରାୟ ୨ଟା ବେଳେ ପ୍ରବେଶଙ୍କ ଘର ଭିତରେ କିଛି ଶବ୍ଦ ଶୁଣାଯାଇଥିଲା। ସେ ଜାଣିପାରିଥିଲେ ଯେ ଘରେ କେହି ପଶିଛି ବୋଲି। ସେ ଶୋଇବା ଘରୁ ଉଠି ଅନ୍ୟ ଘରକୁ ଯିବା ବେଳେ ତାଙ୍କ ରୁମ୍ ବାହାର ପଟୁ ତାଲା ପଡ଼ିଥିଲା। ଏହା ପରେ ସେ ସ୍ପଷ୍ଟ ହୋଇଯାଇଥିଲେ ଯେ ତାଙ୍କ ଘର ଭିତରେ ଚୋର ପଶି ଯାଇଛି ବୋଲି। ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସେ ତାଙ୍କ ପତ୍ନୀ ଧରିତ୍ରୀ ସାହୁଙ୍କୁ ପୁଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରିବାକୁ କହିବା ସହ ନିଜେ ବଡ଼ ପାଟିରେ କହିଥିଲେ ବନ୍ଧୁକ ଆଣ, ବନ୍ଧୁକ ଆଣ। ଏହା ଶୁଣି ଚୋର ସେଠାରୁ ଚମ୍ପଟ ହୋଇଯାଇଥିଲା। ପରେ ପୁଲିସ ଭ୍ୟାନ୍‌ ପହଞ୍ଚିଥିଲା। ବାହାର ପଟୁ ଲକ୍ ହୋଇଥିବା ପ୍ରବେଶଙ୍କୁ ପଡ଼ୋଶୀମାନେ ଖୋଲିଥିଲେ। ଏହା ପରେ ପ୍ରବେଶ ଦେଖିବାକୁ ପାଇଥିଲେ ତାଙ୍କ ଘରର ଜିନିଷପତ୍ର ଏଣେତେଣେ ବିଛାଡ଼ି ହୋଇପଡ଼ିଛି। ବଡ଼ କଥା ହେଉଛି, ଚୋର କିଛି ନେଇ ପାରିନାହିଁ। କିନ୍ତୁ ସିସିଟିଭି ଫୁଟେଜର ତାର ହରକତ ସବୁ ରେକର୍ଡିଂ ହୋଇଯାଇଛି। ପୁଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି।