ମାଡ଼ି ଚାଲିଛି ଚୋରଙ୍କ ଚେର, ଟେର୍‌ ପାଉନି ପୁଲିସ

କର୍ମଚାରୀ ମରୁଡ଼ି ଅପରାଧୀଙ୍କୁ ସୁହାଉଛି

ବାଲିପାଟଣା: ସମଗ୍ର ବାଲିପାଟଣା ଅଞ୍ଚଳରେ ମାଡ଼ିଗଲାଣି ଚୋରଙ୍କ ଚେର। ଗାଁ ଗାଁରେ ଚୋରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି ଓ ରାସ୍ତାରେ ରାହାଜାନୀ ଓ ଛିନ୍‌ତାଇର ମାତ୍ରା ମଧ୍ୟ କିଛି କମ୍ ନୁହେଁ। ମାତ୍ର ପୁଲିସ ଟେର୍ ପାଉନି। କେତୋଟି ହାତଗଣତି ମାମଲାରେ ପୁଲିସକୁ ସଫଳତା ମିଳିଥିବା ବେଳେ ବହୁ ମାମଲାରେ ପୁଲିସ ହାତ ଫାଙ୍କା ପଡ଼ୁଛି। କମିସନରେଟ୍‌ ପୁଲିସର ସର୍ବପୁରାତନ ଏହି ଥାନା(୧୮୬୫ ମସିହାରେ ପ୍ରତିଷ୍ଠିତ) ଅଞ୍ଚଳରେ ଚୋରଙ୍କ ଆତଙ୍କ ପାଇଁ ଲୋକେ ତ୍ରାହି ତ୍ରାହି ଡାକିବା ସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ପୁଲିସ ନିଷ୍କ୍ରିୟ ହୋଇ ପଡ଼ିଛି। କିନ୍ତୁ ଚୋର ଧରି ପାରୁନଥିବା ପୁଲିସ ଏଠି ସାଧାରଣ ଜନତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଉଛି। ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ବିଗତ ଦିନରେ ଘଟି ଯାଇଥିବା ଲୁଟ, ଚୋରି ଓ ଡକାୟତି ମାମଲାକୁ ଲକ୍ଷ୍ୟ କଲେ ବାଲିପାଟଣା ଥାନା ପୁଲିସର ନିଷ୍କ୍ରିୟତା ଜଳଜଳ ହୋଇ ଦେଖାଯାଏ। ଗତ ବର୍ଷ ଜୁନ୍‌ରେ ବନମାଳୀପୁର ଫାଣ୍ତି ବଡ଼ଡିହପାଟଣା ଗ୍ରାମର ହରେନ୍ଦ୍ର ନାଥଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ହୋଇଥିଲା। ଅଦଲାବାଦ ଗ୍ରାମର ବୀରବର ଦାଶ ଓ ଜନାର୍ଦ୍ଦନଙ୍କ ଘରୁ ସୁନା ଅଳଙ୍କାର ସହ ଜିନିଷ ଲୁଟ ହୋଇଥିଲା। ସେହି ବର୍ଷ ଜୁଲାଇରେ ଚଣାହଟା ଛକରୁ ଠିକାଦାର ରମାକାନ୍ତ ପଣ୍ତାଙ୍କର ୧୨ଲକ୍ଷ ଟଙ୍କା ମୂଲ୍ୟର ପାଇପ୍‌ ଚୋରି ହୋଇଥିଲା। ସେହିପରି ସେପ୍ଟେମ୍ବରରେ ଦୁର୍ବୃତ୍ତମାନେ ଦୀପ୍ତି ମେଡିସିନ ଷ୍ଟୋରରୁ ୬୦ ହଜାର ଟଙ୍କା ନେଇଗଲେ। ତାଙ୍କ ଅଭିଯୋଗଟି ସେମିତି ପୂର୍ବ ମାମଲା ଭଳି ପୁଲିସ ଫାଇଲ୍‌ରେ ବାନ୍ଧି ହୋଇ ରହିଲା। ତେବେ ଦୋକାନୀ ମାଲିକ ନିଜ ଉଦ୍ୟମରେ ଚୋରକୁ ଧରିବାରେ ସକ୍ଷମ ହେଲେ। ଅକ୍ଟୋବରରେ ଲୁଟେରାମାନେ ଅଭୟମୁଖି ବ୍ରିଜ୍‌ଠାରେ ଜଣେ ଭାରତ ଫାଇନାନ୍ସ କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା, ଗୋଟିଏ ଟାବଲେଟ, ବାୟୋମେଟ୍ରିକ ମେସିନ୍ ନେଇଯାଇଥିଲେ। ସେହିପରି ନଭେମ୍ବର ମାସରେ ଦିଲୀପ କୁମାର ବେହେରା ନାମକ ଜଣ ଫାଇନାନ୍ସ କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ୧.୪ ଲକ୍ଷ ଟଙ୍କା ଲୁଟି ନେଲେ। ମାତ୍ର ପୁଲିସ ଗୋଟିଏ ବି ରାହାଜାନୀ ମାମଲାର ପର୍ଦ‌ାଫାସ କରି ପାରିଲା ନାହିଁ।

ସେହିଭଳି ଗାଁ ଗଣ୍ଡାରେ ମାତିଥିବା ଚୋରଙ୍କ ତାଲିକା ମଧ୍ୟ ବେଶ୍ ଲମ୍ବା। ସରାଟ ଗାଁରେ ମଦନ ବେହେରାଙ୍କର ୨୩ଟି ମେଣ୍ଢା ଚୋରି, ଫେବ୍ରୁଆରି ମାସରେ ସରାଟ ରଶ୍ମିରଂଜନ ପଣ୍ତାଙ୍କର ୫୦ ହଜାର ମୂଲ୍ୟ ଟଙ୍କାର ଗାଈ ଚୋରି ଓ ଚଣାହଟା ଗ୍ରାମର ଭାଗବତ ଭୋଇଙ୍କ ୧୨ଛେଳି ଚୋରି, ବିଶୁନିଆପଡ଼ା ବାବାଜୀ ପରିଡ଼ା ଓ ସୁକାନ୍ତ ପରିଡ଼ାଙ୍କ ୫୦ ଗୋଟି ମେଣ୍ଢା ଚୋରି, ଶିଙ୍ଗିରି ଶାସନ ଗାଁର ପ୍ରଶାନ୍ତ ବେହେରା ଓ ପ୍ରକାଶ ବେହେରାଙ୍କ ୨୧ଟି ମେଣ୍ଢା ଚୋରି ମାମଲା ବାଲିପାଟଣା ଅଞ୍ଚଳର ଚୋରଙ୍କ ପ୍ରାଦୁର୍ଭାବ ଜଣାଇ ଦେଉଛି। ସେହିଭଳି ଏପ୍ରିଲ ମାସରେ ବନମାଳୀପୁର ଫାଣ୍ତି ଡେରାସାହି ଗ୍ରାମର ନିଶାମଣି ଦାଶଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌, ଘର ସମ୍ମୁଖରୁ ପଦ୍ମପୁରର ନିରୁପମା ମହାପାତ୍ରଙ୍କ ଚେନ୍‌ ଲୁଟ ଭଳି ମାମଲାରେ ପୁଲିସ ହାତ ବାନ୍ଧି ବସିଛି। ବାଲିପାଟଣା ଅଞ୍ଚଳ ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଥିବା ବେଳେ ଥାନାରେ କର୍ମଚାରୀ ମରୁଡ଼ି ‌ଦୁର୍ବୃତ୍ତମାନଙ୍କୁ ବେଶ୍‌ ସୁହାଇଛି। ଏହି ଥାନାରେ ଜଣେ ଆଇଆଇସିଙ୍କ ସହ ମାତ୍ର ୨ଏସ୍‌ଆଇ ଅଛନ୍ତି। ଆବଶ୍ୟକ ୬ ଏଏସ୍ଆଇ ମଧ୍ୟରୁ ୪ଟି ପଦ ଖାଲି ପଡିଛି। ସେହିଭଳି ଆବଶ୍ୟକ ୧୦କନେଷ୍ଟବଳଙ୍କ ମଧ୍ୟରୁ ୨ଟି ପଦବି ଖାଲି ପଡ଼ିଛି। ଏହି ଥାନା ଅଧୀନରେ ଥିବା ବନମାଳୀ ଫାଣ୍ତି ମଧ୍ୟ ଘୋର ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏହି ଫାଣ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ୬ ମାସ ମଧ୍ୟରେ ଦୁଇ ଦୁଇ ଜଣ ଫାଣ୍ଡି ଅଧିକାରୀ ବଦଳି ହୋଇଗଲେଣି। ଗତ ବର୍ଷ ଡିସେମ୍ବର ମାସରେ ଆମୋଣାକୁଦ ପଂଚାୟତ ମାଣିକପୁର ଗ୍ରାମର ବିଭୁପ୍ରସାଦ ଓଝାଙ୍କ ମୃତ୍ୟୁ ଘଟଣାରେ ତତ୍କାଳୀନ ଫାଣ୍ତି ଅଧିକାରୀ ଚନ୍ଦ୍ରଶେଖର ଜେନା ବିବାଦରେ ଛନ୍ଦି ହୋଇ ଅନ୍ୟତ୍ର ବଦଳି ହୋଇଥିଲେ। ଗତ ମାସରେ ଜଣେ ଯୁବକଙ୍କ ମୁଣ୍ତରେ ବନ୍ଧୁକ ଲଗାଇବା ଘଟଣାରେ ଫାଣ୍ଡି ଅଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କୁ ରାତାରାତି ଅନ୍ୟତ୍ର ବଦଳି କରାଯାଇଥିଲା। ଏହି ଫାଣ୍ତି ଏବେ ଜଣେ ଏଏସ୍‌ଆଇଙ୍କୁ ନେଇ ଚାଲିଛି ଓ ଏଠି ଆବଶ୍ୟକ କନେଷ୍ଟବଳ ପଦ ଫାଙ୍କା ରହିଛି। ଅପରାଧ ବଢ଼ି ଚାଲିଥିବା ବେଳେ ଏହି ଥାନା ଓ ଫାଣ୍ଡିକୁ ତୁରନ୍ତ ଆବଶ୍ୟକ କର୍ମଚାରୀ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର