ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବରେ ତୃତୀୟ ଦିନ, ଅଲଗା ହେଲେ କି ସାଫୋ ଓ ଚିତ୍ରାଙ୍ଗଦା?

ପରିବେ‌ଷିତ ହେଲା ବଙ୍ଗଳା ନାଟକ ‘ସାଫୋ ଚିତ୍ରାଙ୍ଗଦା’

ଭୁବନେଶ୍ବର: ମଞ୍ଚ କହୁଥିଲା ଏକ ନିଆରା ପ୍ରେମ କାହାଣୀ। ଦୁଇଟି ନାରୀ ମଧ୍ୟରେ ଥିବା ଅନାବିଳ ପ୍ରେମ ଓ ଶାରୀରିକ ଜିଜ୍ଞାସାର କଥା। ହେଲେ ତାଙ୍କର ଏହି ପ୍ରେମ କାହାଣୀକୁ ସମାଜ କି ମଣିପୁରର ରାଜ୍ୟବାସୀ ସ୍ବୀକୃତି ଦିଅନ୍ତି ନାହିଁ। ଏକ ଟାଇମ୍‌ ମେସିନ୍‌ ପ୍ରଭାବରେ ରବୀନ୍ଦ୍ରନାଥଙ୍କ କାବ୍ୟ ‘ଚିତ୍ରାଙ୍ଗଦା’ର ଚରିତ୍ର‌ ‘ମଦନ’ ଆସି ପହଞ୍ଚି ଯାଆନ୍ତି। ସେ ସାଫୋ ଓ ଚିତ୍ରାଙ୍ଗଦାଙ୍କ ପ୍ରେମରେ ବାଧା ସୃଷ୍ଟି କରିବାକୁ ନିୟୋଜିତ ହୁଅନ୍ତି। ସେମାନଙ୍କ ସମ୍ପର୍କକୁ ଭାଙ୍ଗିବାକୁ ବହୁ ଉଦ୍ୟମ ହୁଏ। ହେଲେ କ’ଣ ତାହା ସମ୍ଭବ ହୁଏ? ସତରେ କ’ଣ ଅଲଗା ହୋଇଯାଆନ୍ତି ସାଫୋ ଓ ଚିତ୍ରାଙ୍ଗଦା? ଆଜି ‘ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବ’ର ତୃତୀୟ ଦିନରେ ପରିବେଷିତ ବଙ୍ଗଳା ନାଟକ ‘ସାଫୋ ଚିତ୍ରାଙ୍ଗଦା’ ଏଭଳି ଏକ ରୋମାଞ୍ଚକର ପ୍ରେମ କାହାଣୀର ସାକ୍ଷୀ ହୋଇଥିଲା।

ନାଟ୍ୟସଂସ୍ଥା ‘ଶତାବ୍ଦୀର କଳାକାର’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ନାଟ୍ୟୋତ୍ସବର ଆ‌ଜି ତୃତୀୟ ଦିନରେ ଏହି ନାଟକଟି କୋଲକାତାସ୍ଥିତ ‘ଦମ୍‌ଦମ୍‌ ଶବ୍‌ଦୋ ମୁଗ୍‌ଧୋ ନାଟ୍ୟକେନ୍ଦ୍ର’ ପକ୍ଷରୁ ପରିବେଷିତ ହୋଇଥିଲା। ନାଟକର ରଚନା, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ରାକେଶ ଘୋଷ। କାର୍ଯ୍ୟକ୍ରମରେ ଅତିଥି ଭା‌ବେ ବିଧାୟକ ଶଶିଭୂଷଣ ବେହେରା, ଅବସରପ୍ରାପ୍ତ ପ୍ରଶାସକ ଆର୍‌.ଏନ୍‌ ସେନାପତି, ଓୟୁଏଟି କୁଳପତି ପ୍ରଫେସର୍‌ ପଓ୍ବନ କୁମାର ଅଗ୍ରୱାଲ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଧୀର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର