ବିଦ୍ରୋହ ଆଶଙ୍କା ତେଜିଲା, ବିଦ୍ରୋହୀଙ୍କୁ ମନାଇବା ପାଇଁ ସ୍ବତନ୍ତ୍ର ରଣନୀତି

କିଛି ୱାର୍ଡରେ ବିଜେଡି ଟିକେଟ୍‌ ବଦଳିବା ସମ୍ଭାବନା, ୧୫ ୱାର୍ଡରେ କଣ୍ଟା ସାଜିପାରନ୍ତି ବିଦ୍ରୋହୀ

ଭୁବନେଶ୍ବର: ବିଜେଡିରୁ ଟିକେଟ୍‌ ପାଇବେ ବୋଲି ନିଶ୍ଚିତ ଥିଲେ। ନିଜେ ନ ହେଲେ ସମ୍ପର୍କୀୟଙ୍କ ଲାଗି ଲବି ମଧ୍ୟ କରୁଥିଲେ। ସଂରକ୍ଷଣ ଛାଟରେ ନିଜ ୱାର୍ଡ କଟି ଯାଇଥିବାରୁ ଅନ୍ୟ ୱାର୍ଡ ଉପରେ ପୂର୍ବତନ କର୍ପୋରେଟର୍‌ଙ୍କ ଆଖି ଥିଲା। ମାତ୍ର ଦଳର ଶୀର୍ଷ ନେତୃତ୍ବ ସେମାନଙ୍କ କଥା ବୁଝିଲେ ନାହିଁ। ଶେଷ ମୁହୂର୍ତ୍ତରେ ବିଧାୟକ ବି ମୁଣ୍ଡରୁ ହାତ କାଢ଼ି ଦେଲେ। ଆଉ ଏବେ ଯାହା ହେଲା ତାହା ଅସହ୍ୟ। ବିଜେଡି ଟିକେଟ୍‌ରୁ ବିଏମ୍‌ସି ନିର୍ବାଚନ ଲଢ଼ିବା ଲାଗି ଆଶା ବାନ୍ଧି ବସିଥିବା ପୂର୍ବତନ କର୍ପୋରେଟର୍‌ଙ୍କ ଅବସ୍ଥା ଏବେ ଏମିତି। ନିଜେ ପ୍ରାର୍ଥୀ ହୋଇପାରିଲେ ନାହିଁ କି ସମ୍ପର୍କୀୟଙ୍କୁ କରିପାରିଲେ ନାହିଁ। ଯେଉଁଥିପାଇଁ ବିଜେଡିରୁ ଟିକେଟ୍‌ ନ ପାଇ ଅଧିକାଂଶ ଆଶାୟୀ ଏବେ ସ୍ବାଧୀନ ଭାବେ ମଇଦାନକୁ ଓହ୍ଲାଇଛନ୍ତି। ଏହା ସହ ଆଉ କିଛି ନୂଆ ପ୍ରଭାବଶାଳୀ ଆଶାୟୀ ମଧ୍ୟ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦଳୀୟ ଟିକେଟ୍‌ ପାଇଥିବା ଓ ବଞ୍ଚିତ ହୋଇଥିବା ଆଶାୟୀ ସମସ୍ତେ ବିଜେଡି ବ୍ୟାନର୍‌ରେ ଶୋଭାଯାତ୍ରା କରି ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଇଥିବା ଦେଖାଯାଇଥିଲା। ଫଳରେ ବିଭିନ୍ନ ୱାର୍ଡରେ ଲୋକମାନେ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ। ପ୍ରାର୍ଥିପତ୍ର ଦାଖଲର ଶେଷ ସମୟରେ ତିନି ନିର୍ବାଚନମଣ୍ଡଳୀର ସବୁ ୱାର୍ଡର ପ୍ରାର୍ଥୀ ତାଲିକା ବିଜେଡି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। କିନ୍ତୁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ ତାହାକୁ ସାର୍ବଜନୀନ କରାଯାଇ ନାହିଁ କି ଲୋକଙ୍କ ଦ୍ବନ୍ଦ୍ବ ଦୂର କରାଯାଇ ନାହିଁ। ପାଖାପାଖି ୧୫ଟି ୱାର୍ଡରେ ବିଦ୍ରୋହ ସାଂଘାତିକ ରୂପ ନେବାକୁ ବସିଛି। ମଙ୍ଗଳବାର କିଛି ୱାର୍ଡରେ ଟିକେଟ୍‌ ବଦଳିବାର ଆଶଙ୍କା ରହିଛି।

ବିଜେଡିର ବିଦ୍ରୋହୀମାନଙ୍କୁ ବୁଝାଇବା ଲାଗି ଦଳ ପକ୍ଷରୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରତି ନିର୍ବାଚନମଣ୍ଡଳୀ ଲାଗି ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି। ‌ସେମାନେ ଆଶାୟୀଙ୍କୁ ବୁଝାଇବେ। ଅନ୍ୟ କୌଣସି ପଦ ପଦବି ଦେବାକୁ ପ୍ରତିଶ୍ରୁତି ଦେବେ। ତା’ପରେ ବି ଯଦି କୌଣସି ସୁଫଳ ନ ମିଳେ, ତେବେ ମଇଦାନରେ ଲଢ଼େଇ ପାଇଁ ଛାଡ଼ି ଦେବେ। ୬ରୁ ୭ଟି ୱାର୍ଡରେ ସ୍ଥିତି ସାଂଘାତିକ ରହିଛି। ଉକ୍ତ ୱାର୍ଡଗୁଡ଼ିକରେ ୫ରୁ ଅଧିକ ଆଶାୟୀ ନାମାଙ୍କନ ଭରିଛନ୍ତି, ଯେଉଁଥିରେ ପୂର୍ବତନ କର୍ପୋରେଟର୍‌ ମଧ୍ୟ ରହିଛନ୍ତି। ଭୁବନେଶ୍ବର ବିଜେଡିର ବିଭିନ୍ନ ପଦ ପଦବିରେ ରହିଥିବା ଅଧିକାଂଶ ନେତା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସଞ୍ଜୟ ସେଠୀଙ୍କ ଟିକେଟ୍‌ କଟିଲା

ବିଏମ୍‌ସି ୧୨ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀଙ୍କ ଟିକେଟ୍‌ କଟିଛି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରି ମଧ୍ୟ ବିଜେଡି ଟିକେଟ୍‌ ହାତେଇ ପାରି ନାହାନ୍ତି। ଦୁଇ ଥରିଆ ଏହି କର୍ପୋରେଟର ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ମଧ୍ୟ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ନାହିଁ। ଯେଉଁଥିପାଇଁ ସେ ଏବେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୧୨ ଓ ୩ ନମ୍ବର ୱାର୍ଡ ଲାଗି ସ୍ବାଧୀନ ପ୍ରାର୍ଥୀ ଭାବେ ତାଙ୍କ ପତ୍ନୀ ନାମାଙ୍କନ ଭରିଥିବା ଜଣାପଡ଼ିଛି।

ନିଜାମୁଦ୍ଦିନ୍‌ଙ୍କୁ ମିଳିଲାନି ଟିକେଟ୍‌

୨୯ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ସେକ୍‌ ନିଜାମ୍‌ଉଦ୍ଦିନ୍‌ଙ୍କୁ ବିଜେଡିରୁ ଟିକେଟ୍‌ ମିଳି ନାହିଁ। ୫ ଥର ହେଲା ସେ କର୍ପୋରେଟର ଭାବେ ବିଏମ୍‌ସିକୁ ନିର୍ବାଚିତ ହୋଇ ଯାଉଥିଲେ। ମାତ୍ର ଦଳ ଏଥର ତାଙ୍କ ଉପରେ ବିଶ୍ବାସ କରିନାହିଁ। ଯେଉଁଥିପାଇଁ ନିଜାମ୍‌ଉଦ୍ଦିନ୍‌ ସ୍ବା‌ଧୀନ ଭାବେ ନିର୍ବାଚନ ଲଢ଼ିବାକୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ୱାର୍ଡରୁ ୩ରୁ ଅଧିକ ଆଶାୟୀ ରହିଥିଲେ। ସେମାନେ ସମସ୍ତେ ବିଜେଡିରୁ ନାମାଙ୍କନ ଭରିଥିବା ନେଇ କହି ବୁଲୁଛନ୍ତି। ମାତ୍ର ଏହି ୱାର୍ଡରେ କିଏ ବିଜେଡି ପ୍ରାର୍ଥୀ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ।

ବା‌ଜି ମାରିନେଲେ କୁମାରେନ୍ଦ୍ର

୩୧ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର ଶେଷରେ ବାଜି ମାରି ନେଇଛନ୍ତି। ଏହି ୱାର୍ଡରୁ ବିଜେଡି ପ୍ରାର୍ଥୀ ହେବା ଆଶାରେ ୮ ଦିନ ତଳେ କଂଗ୍ରେସ ନେତା ପ୍ରକାଶ ଜେନା ବିଜେଡିରେ ଯୋଗ ଦେଇଥିଲେ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ବିଜେଡିରେ ସାମିଲ ହୋଇଥିଲେ। ବିଜେଡି ଟିକେଟ୍‌ ହାତେଇବା ଲାଗି ଶକ୍ତି ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ବିଧାୟକଙ୍କୁ ବି ଭେଟିଥିଲେ। ଯାହାକୁ ଦେଖି ଲାଗୁଥିଲା କୁମାରେନ୍ଦ୍ରଙ୍କୁ ବାଦ୍‌ ଦେଇ ବିଜେଡି ପ୍ରକାଶଙ୍କୁ ପ୍ରାର୍ଥୀ କରିବ। ମାତ୍ର ସେଭଳି କିଛି ହେଲା ନାହିଁ। ବିଜେଡି ଏଠାରେ ପୁଣିଥରେ କୁମାରେନ୍ଦ୍ରଙ୍କ ଉପରେ ଭରସା କରି ଟିକେଟ୍‌ ଦେଇଛି। ଏନେଇ କୁମାରେନ୍ଦ୍ର ସୂଚନା ଦେଇଛନ୍ତି। ସେପଟେ ଟିକେଟ୍‌ ନ ମିଳିବାରୁ ପୁଣିଥରେ କଂଗ୍ରେସ ଉପରେ ଆସ୍ଥା ସ୍ଥାପନ କରିଛନ୍ତି ପ୍ରକାଶଙ୍କ ପରିବାର। ତାଙ୍କ ପୁଅ ସୂର୍ଯ୍ୟକାନ୍ତ ଜେନା କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଫଳରେ ଏହି ୱାର୍ଡର ରାଜନୀତି ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ବିଜେଡି ଟିକେଟ୍‌ ପାଇଲେ ଶିବ

ଦୁଇ ଦିନ ତଳେ ବିଜେପି ନେତା ଶିବ ବେହେରା ବିଜେଡିରେ ସାମିଲ ହୋଇଥିଲେ। ତାଙ୍କୁ ୫୪ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ କରିବାକୁ ଆପାତତଃ ସ୍ଥିର କରିସାରିଥିଲା। କିନ୍ତୁ ‌ଶେଷ ମୂହୁର୍ତ୍ତରେ ଚିତ୍ର ବଦଳିଗଲା। ଶିବ ବିଜେଡିରେ ମିଶିଲେ ଓ ପରଦିନ ଟିକେଟ୍‌ ନେଇ ପ୍ରାର୍ଥିପତ୍ର ଦାଖଲ କଲେ। ୬୩ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର୍‌ ରଘୁନାଥ ମହାନ୍ତି ବିଜେଡିରେ ମିଶିଥିଲେ ବି ତାଙ୍କୁ ଟିକେଟ୍‌ ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର