୩ ଦିନ ଚାଲିବ ତ୍ରିବେଣୀ ମହୋତ୍ସବ, ବୁଧବାର ମଧ୍ୟରାତ୍ରରୁ ତ୍ରିବେଣୀ ବୁଡ଼

ବାଲିପାଟଣା: ଆସନ୍ତା ଗୁରୁବାର ପଡ଼ୁଛି ପବିତ୍ର ତ୍ରିବେଣୀ ଅମାବାସ୍ୟା। ତେଣୁ ବୁଧବାର ମଧ୍ୟରାତ୍ରରୁ ପବିତ୍ର ପ୍ରାଚୀ ନଦୀ ଅନ୍ତର୍ବେଦୀ ପୀଠ ତ୍ରିବେଣୀ ଘାଟରେ ମହାବୁଡ଼ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁ ତଥା ମାନସିକଧାରୀମାନେ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ସାରି ଏହି ଘାଟରେ ବୁଡ଼ ପକାଇବେ। ତେଣୁ ବୁଧବାର ମଧ୍ୟରାତ୍ରରୁ ଏହି ଘାଟରେ ଆୟୋଜନ କରାଯାଉଛି ତ୍ରିବେଣୀ ମହୋତ୍ସବ। ୧୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେଣୁ ମହୋତ୍ସବ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି।

କିଂବଦନ୍ତି କୁହେ, ପୁଣ୍ୟତୋୟା ପ୍ରାଚୀ ନଦୀର ଏହି ଘାଟରେ ଏକଦା ମାତା ଗଙ୍ଗାଙ୍କ ଆବିର୍ଭାବ ହୋଇଥିଲା। ଗୁପ୍ତଗଙ୍ଗାଙ୍କ ସାକ୍ଷାତ ମିଳିଥିଲା। ବିଶ୍ବାସ କରାଯାଏ ଯେ ମା‌ତା ଗଙ୍ଗାଙ୍କ ଉପସ୍ଥିତି ପାଇଁ ତ୍ରିବେଣୀ ଅମାବାସ୍ୟା ତିଥିରେ ଏହି ଘାଟରେ ନଦୀ ଉଜାଣି ବହେ ବୋଲି ବିଶ୍ୱାସ ଥିବା ଅନ୍ତର୍ବେଦୀ ସାଂସ୍କୃତିକ ବିକାଶ ପରିଷଦର ସମ୍ପାଦକ ଆର୍ତ୍ତତ୍ରାଣ ସାହୁ ସୂଚନା ଦେଇଛନ୍ତି। ତେଣୁ ଏହି ପବିତ୍ର ଘାଟରେ ବୁଡ଼ ପକାଇଲେ, ତାହା ଗଙ୍ଗା ସ୍ନାନ ସହ ସମାନ ହୋଇଥାଏ। ଏଥିପାଇଁ କାହିଁ କେଉଁ ଆଦିମ କାଳରୁ ସାଧୁ ସନ୍ଥମାନେ ଏହି ଘାଟରେ ବୁଡ଼ ପକାଇ ଆସୁଛନ୍ତି। ଏଥିସହିତ ମାତା ଗଙ୍ଗାଙ୍କ ଉପସ୍ଥିତି ପାଇଁ ଏହି ଅବସରରେ ଲୋକେ ଏହି ଘାଟରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରନ୍ତି। ଗଙ୍ଗାରେ ଅସ୍ଥି ବିସର୍ଜନ ଏହି ଘାଟରେ ଅସ୍ଥି ବିସର୍ଜନ ସହ ସମାନ ବୋଲି ବିଶ୍ବାସ ରହିଛି। ତେଣୁ ଉପକୂଳ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ଏଠାରେ ବୁଡ଼ ପକାଇବା ପାଇଁ ଓ ପିତୃପରୁଷଙ୍କ ଅସ୍ଥି ବିସର୍ଜନ ପାଇଁ ଏହି ଘାଟକୁ ଆସନ୍ତି। ସ୍ଥାନୀୟ ବିଧି ଅନୁସାରେ ପ୍ରଥମେ ମଧ୍ୟରାତ୍ରରେ ଅନ୍ତର୍ବେଦୀ ପୀଠର ଆରାଧ୍ୟ ଦେବତା ଅନ୍ତର୍ଯ୍ୟାମୀ ନାଥ ଓ ରାଧା ମାଧବଙ୍କ ସ୍ନାନ ଏବଂ ଆଳତି ସମାହିତ ହୋଇଥାଏ। ଏହାପରେ ଲୋକେ ଘାଟରେ ବୁଡ଼ ପକାନ୍ତି।

ସ୍ଥାନୀୟ ଲୋକଙ୍କ କହିବା କଥା ବହୁ ବର୍ଷ ପୂର୍ବେ ତ୍ରିବେଣୀ ବୁଡ଼ ବେଶ୍ ପ୍ରସିଦ୍ଧ ଥିଲା। ପୂର୍ବରୁ ଏହି ଯାତ୍ରା ମାସ ମାସ ଧରି ହେଉଥିଲା। କାଳକ୍ରମେ ଏହାର ଗୁରୁତ୍ବ କମିବାରେ ଲାଗିଲା। ତେବେ ବୁଡ଼ିବାକୁ ବସିଥିବା ଏହି ଐତିହାସିକ ତ୍ରିବେଣୀ ଯାତ୍ରା ଗତ ବର୍ଷଠାରୁ ପୁନରୁଦ୍ଧାର ହୋଇଛି। ଗତବର୍ଷଠାରୁ ଜୟଦେବ ନିର୍ବାଚନ ମଣ୍ଡଳୀର ଅଗ୍ରଣୀ ଅନୁଷ୍ଠାନ ‘ଆମ ସଂଗଠନ’ ଏବଂ ତ୍ରିବେଣୀ ଲାଏନ୍ସ କ୍ଲବ ମିଳିତ ସହଯୋଗରେ ଏହା ପୁଣି ଆରମ୍ଭ ହୋଇଛି। ଚଳିତ ବର୍ଷ ଦ୍ୱିତୀୟ ତ୍ରିବେଣୀ ମହୋତ୍ସବ ୩ ଧରି ଚାଲିବ। ଏଥର ଶାରଳା ଘଣ୍ଟନୃତ୍ୟ, ଘୋଡ଼ା ନାଚ, ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ଗୋଟିପୁଅ ନୃତ୍ୟ, ଦାଶକାଠିଆ, ମେଲୋଡ଼ି ଭଳି କାର୍ଯ୍ୟକ୍ରମ ସାମିଲ୍ ହୋଇଛି। ୧୨ ତାରିଖ ଶେଷ ରାତ୍ରରେ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆଙ୍କ ମନମତାଣିଆ ହାସ୍ୟରସ ଦେଖିବାକୁ ମିଳିବ। ଆମ ସଂଗଠନର ସଭାପତି କମଳ କୁମାର ପାତ୍ର(ଚନ୍ଦନ)ଙ୍କ କହିବା କଥା ବୁଡ଼ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସ୍ଥାନୀୟ ଲୋକଙ୍କ ଉତ୍ସାହ ଆୟୋଜକମାନଙ୍କ ମନବଳ ବଢ଼ାଇଛି ବୋଲି ସେ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର