ନନ୍ଦନକାନନରେ ଖେଳିବେ ବାଘ ଶାବକ, ବାଘୁଣୀ ମେଘା ଆସନ୍ନ ପ୍ରସବା

ବାରଙ୍ଗ: ମହାବଳ ବାଘ ‘ନନ୍ଦନ’ର ପ୍ରେମିକା ବାଘୁଣୀ ‘ମେଘା’ ଏବେ ଆସନ୍ନ ପ୍ରସବା। ଖୁବ୍‌ ଶୀଘ୍ର ସେ ଜନ୍ମ ଦେବ। ୨୦୧୬ ମସିହାରେ ଦୁଇ ସୁନ୍ଦର ମହାବଳ ବାଘ ‘ନନ୍ଦନ’ ଓ ‘ବାହୁବଳୀ’କୁ ଜନ୍ମ ଦେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ‌ଶୋଭା ବଢ଼ାଇଥିବା ‘ମେଘା’ର ଏହା ଦ୍ବିତୀୟ ଗର୍ଭ। ଏଥର ବି ସେ ମହାବଳ ବାଘ ‘ନନ୍ଦନ’ ଔରସରୁ ଗର୍ଭବତୀ ହୋଇଛି। ପୂର୍ବରୁ ଦୁଇ ପୁତ୍ର ସନ୍ତାନର ଜନନୀ ମେଘା ଏଥର ଅଧିକ ଶିଶୁ ଜନ୍ମ ଦେବାର ସମ୍ଭାବନା ଥିବା ବେଳେ ସେ ଶିଶୁକନ୍ୟା ଜନ୍ମ ଦେଉ ବୋଲି କର୍ମଚାରୀମାନେ ଆଶା କରିଛନ୍ତି।

ବାଘମାନେ ସାଧାରଣତଃ ଗର୍ଭଧାରଣର ୧୦୪ ଦିନ ଭିତରେ ପ୍ରସବ କରନ୍ତି। ପୂର୍ବରୁ ନନ୍ଦନକାନନରେ ପ୍ରସବ କରିଥିବା ବାଘୁଣୀମାନେ ୧୦୨ ଦିନରେ ପ୍ରସବ କରିଥିବା ରେକର୍ଡ ରହିଛି। କିନ୍ତୁ ଏଥର ‘ମେଘା’ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଯାଇଛି। ୧୦୨ ଦିନ ଅତିକ୍ରମ କରିଯାଇଛି। ତେଣୁ ଆଉ ଦୁଇଦିନ ଭିତରେ ମେଘା ପ୍ରସବ କରିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଆଶା କରିଛନ୍ତି। ଏବେ ସେ ଖୁଆଡ଼ରେ ପଡ଼ି ରହିଛି ଓ ଭଲ ଭାବେ ଖାଦ୍ୟ ଗ୍ରହଣ କରୁନାହିଁ। ପ୍ରସବ ପୂର୍ବର ସମସ୍ତ ଲକ୍ଷଣ ଦେଖାଗଲାଣି। ତେଣୁ ସିସିଟିଭି କ୍ୟାମେରା ଜରିଆରେ କର୍ତ୍ତୃପକ୍ଷ ତା’ ଉପରେ ନଜର ରଖିଛନ୍ତି। କିଛି କର୍ମଚାରୀ ସ୍ବତନ୍ତ୍ର ଭାବେ ମେଘାର ଯତ୍ନ ପାଇଁ ପ୍ରସ୍ତୁତ ରହିଛନ୍ତି। ଏମିତିକି ନନ୍ଦନକାନନ ପ୍ରାଣୀ ଚିକିତ୍ସା ବିଭାଗ ମଧ୍ୟ ସଜାଗ ରହିଛି।

ନନ୍ଦନ-ମେଘାର ପ୍ରେମ କାହାଣୀ
ମହାବଳ ବାଘ ‘ନନ୍ଦନ’ ଓ ସାଧାରଣ ନାଲିରଙ୍ଗର ବାଘୁଣୀ ‘ମେଘା’ର ପ୍ରେମ କାହାଣୀ ବଡ଼ ରୋମାଞ୍ଚକର ଓ ନନ୍ଦନକାନନ ପାଇଁ ଏକ ଇତିହାସ। ୨୦୧୩ ମସିହାର କଥା। ଘଞ୍ଚ ସାତକୋଶିଆ ଜଙ୍ଗଲରୁ ଆସିଥିବା ମହାବଳ ବାଘ ନନ୍ଦନ ଆଶ୍ଚର୍ଯ୍ୟଜନକ ଭାବେ ନନ୍ଦନକାନନରେ ପ୍ରବେଶ କରିଥିଲା। ସଦ୍ୟ ଯୌବନରେ ପାଦ ରଖିଥିବା ବାଘୁଣୀ ମେଘାର ଖୁଆଡ଼ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାର ଜାଲି ବାହାରେ ଥାଇ ବି ସେ ମେଘାକୁ ଆଲିଙ୍ଗନ କରୁଥିବା ଦେଖାଯାଇଥିଲା। ଘଟଣାଟି ପ୍ରଥମେ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ୍‌ ହୋଇଥିଲା ଓ କର୍ତ୍ତୃପକ୍ଷ ନନ୍ଦନର ଆବିର୍ଭାବ ବାବଦରେ ଜାଣିବାକୁ ପାଇଥିଲେ। ବାହାର ଜଙ୍ଗଲରୁ ଚାଲିଆସିଥିବା ମହାବଳ ବାଘକୁ ‌ଠାବ କରିବା ପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ ନନ୍ଦନ। ନନ୍ଦନକାନନ କର୍ତ୍ତୃପକ୍ଷ କୌଶଳକ୍ରମେ ତାକୁ ବାଘ ସଫାରି ପଛ ପଟେ ଜାଲି ବସାଇ କାବୁ କରିଥିଲେ। ହେଲେ ତାକୁ ଅଟକ ରଖିବା ସହଜ ନଥିଲା। ଏକଦା ରାତିରେ ସେ ୧୮ ଫୁଟ ଉଚ୍ଚ ତାର ଜାଲି ଡେଇଁ ପୁଣି ବାହାରକୁ ଚାଲି ଯାଇଥିଲା। କିନ୍ତୁ ବାଘୁଣୀ ମେଘାର ମୋହ ତାକୁ ନନ୍ଦନକାନନ ପରିସରରେ ହିଁ ବାନ୍ଧି ରଖିଥିଲା। ସେ ଫେରି ନଥିଲା ସାତକୋଶିଆ। ଫଳରେ ୨୦୧୩ ଜୁଲାଇ ୧୩ ତାରିଖରେ ପୁଣି ଥରେ ଯନ୍ତାରେ ପଡ଼ିଗଲା।

ବାଘୁଣୀ ମେଘା ପାଇଁ ସାତକୋଶିଆର ମୁକ୍ତ ମହାବଳ ନନ୍ଦନ ଧରାପଡ଼ିଥିଲେ ବି ନନ୍ଦନକାନନ କର୍ତ୍ତୃପକ୍ଷ ତାକୁ ପ୍ରଥମେ ଭୋପାଳରୁ ଆସିଥିବା ବାଘୁଣୀ ‘ସାରା’ ସହ ମିଳନ କରାଇବାକୁ ସୁଯୋଗ ସୃଷ୍ଟି କରିଥିଲେ। ମେଘାର ଗର୍ଭଧାରଣ ସମୟ ହୋଇନଥିବାରୁ ତାକୁ ନନ୍ଦନ ପାଖରୁ ଦୂରେଇ ରଖାଯାଇଥିଲା। ୨୦୧୪ ମସିହାରେ ନନ୍ଦନ ଓ ସାରାର ମିଳନ ହୋଇଥିଲା। କିନ୍ତୁ ଏହାକୁ ବରଦାସ୍ତ କରିପାରିନଥିଲା ମେଘା। ଭୋପାଳ ବାଘୁଣୀ ସାରା ଉପରେ ପ୍ରତିଶୋଧ ନେବା ଲାଗି ସୁଯୋଗକୁ ଉଣ୍ଡି ରହିଥିଲା ମେଘା। ୨୦୧୫ ମସିହାରେ ସାରାର ପାଦ ତାର ଜାଲି ବାହାରକୁ ବାହାରି ଯାଇଥିବା ସୁଯୋଗ ନେଇ ମେଘା ତାକୁ କାମୁଡ଼ି କ୍ଷତବିକ୍ଷତ କରି ପକାଇଥିଲା। ଶେଷରେ ନନ୍ଦନ ପାଖରୁ ସାରାକୁ ଅଲଗା କରାଯାଇଥିଲା ଓ ମେଘାକୁ ନନ୍ଦନ ସହ ମିଶିବା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା।

ସମ୍ବନ୍ଧିତ ଖବର