କଇଁଛ ପାଟିରୁ ବାହାରିଲା ବନିଶୀ କଣ୍ଟା

ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ ଶିଶୁପାଳଗଡ଼ ନିକଟ ଜଳାଶୟରୁ କିଛି ପିଲା ବନିଶୀ ପକାଇ ମାଛ ଧରୁଥିବା ବେଳେ ଜଣକ ବନିଶୀ କଣ୍ଟାକୁ ଏକ କଇଁଛ ଗିଳି ଦେଇଥିଲା। କଇଁଛଟି କଣ୍ଟାରେ ଫସିବା ପରେ ତାକୁ ବାହାର କରିବାରେ ସମ୍ପୃକ୍ତ ପିଲା ଜଣକ ବିଫଳ ହୋଇଥିଲେ। ତେଣୁ କଣ୍ଟା ଗିଳିଥିବା ଅବସ୍ଥାରେ କଇଁଛକୁ ପାଣିରେ ଛାଡ଼ି ଦେବାକୁ ଯାଉଥିଲେ। ଏହି ସମୟରେ ଭଗବାନ ମଲ୍ଲିକ ନାମକ ଜଣେ ବ୍ୟକ୍ତି ପିଲାମାନଙ୍କୁ ଏପରି ଅବସ୍ଥାରେ କଇଁଛକୁ ଜଳାଶୟରେ ଛାଡ଼ିବାକୁ ବାରଣ କରିଥିଲେ। ଏଥିସହ ଏ ସମ୍ପର୍କରେ ସେ ସ୍ନେକ୍‌ ହେଲ୍‌ପଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଜଣାଇଥିଲେ। ଶୁଭେନ୍ଦୁ ଘଟଣାସ୍ଥଳରେ ପହଞ୍ଚି କଇଁଛକୁ ଉଦ୍ଧାର କରିବା ସହ ତୁରନ୍ତ ସିଟି ଡିଏଫ୍‌ଓ ଅଶୋକ ମିଶ୍ରଙ୍କ ପାଖକୁ ହ୍ବାଟ୍‌ସଆପ୍‌ ଜରିଆରେ କଇଁଛର ଫଟୋ ପଠାଇଥିଲେ। ଆଜି ସକାଳେ ସେ କଇଁଛକୁ ଭେଟେରିନାରି କଲେଜ୍‌କୁ ଆଣିବା ପରେ ସର୍ଜରି ବିଭାଗର ପ୍ରଫେସର ବିଭାଗୀୟ ମୁଖ୍ୟ ଡାକ୍ତର ଇନ୍ଦ୍ରମଣି ନାଥ କଇଁଛର ଅପରେସନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରଥମେ ତା’ର ଏକ୍ସ-ରେ କରାଯାଇଥିଲା। ପ‌ରେ ଆନାସ୍ଥେସିଆ ଦେଇ ନିସ୍ତେଜ କରାଯାଇଥିଲା। କଇଁଛର ଆକାର ଛୋଟ ‌ଥିବାରୁ ମାଛ କଣ୍ଟା କାଢ଼ିବାକୁ ଦେଢ଼ ଘଣ୍ଟା ଲାଗିଯାଇଥିଲା। ଏବେ କଇଁଛଟି ସୁସ୍ଥ ଅଛି। ସପ୍ତାହେ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣରେ ରଖାଯିବା ପରେ ଜଳାଶୟରେ ଛାଡ଼ି ଦିଆଯିବ ବୋଲି ଡାକ୍ତର ନାଥ କହିଛନ୍ତି। ଯଦି କେବେ ମାଛ ଧରା କଣ୍ଟାରେ କଇଁଛ ଲାଗିଯାଏ ତେବେ ଡୋରକୁ କଇଁଛ ମୁହଁର ୨-୩ ଫୁଟ ଉପରକୁ କାଟି ବନ କର୍ମଚାରୀଙ୍କୁ ହସ୍ତାନ୍ତର କରାବାକୁ ଶ୍ରୀ ମଲ୍ଲିକ ଲୋକମାନଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର