ଚନ୍ଦ୍ରଶେଖରପୁର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଜନତା ମଇଦାନରେ ଚାଲିଥିବା ପଞ୍ଚଦଶ ତୋଷାଳି ମେଳା ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ତୋଷାଳି ମେଳା ବୁଲି ଦେଖିଥିଲେ। ତାଙ୍କ ସହିତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସଚିବ ଶୁଭା ଶର୍ମା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ବୁଣାକାର ଅଂଶ ଗ୍ରହଣ କରିଥିଲେ। ମେଳାରେ ହିଙ୍ଗୁଳା ଟସର, ଗୋପାଳପୁର, ଝରାପାଲି ବୁଣାକାର ସମବାୟ ସମିତି, ବରଗଡ଼ ଉତ୍କଳ ଇସିପି, ନୂଆପାଟଣା ଭଙ୍ଗାମୁଣ୍ଡା ଟସର, ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟରେ ଅଧିକ ବିକ୍ରି ବଟା ହୋଇଥିଲା। ସେହିପରି ମହୀଶୂରର ଚନ୍ଦନ ତିଆରି ସାମଗ୍ରୀ, ଉତ୍କଳିକାର ହସ୍ତଶିଳ୍ପ, ସିକିମର ବାଉଁଶ କାମ, ଓଡ଼ିଶାର ନଡ଼ା କାମ, କାଗଜ କଣ୍ଢେଇ, ପଟ୍ଟଚିତ୍ର ଦର୍ଶକଙ୍କୁ ଅଧିକ ଆକୃଷ୍ଟ କରିଥିଲା। ମେଳାରେ ୧୨ କୋଟିରୁ ଅଧିକ ଟଙ୍କା ବିକ୍ରିବଟା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
୨୮୦ଟି ଷ୍ଟଲ୍ରେ ଓଡ଼ିଶା ସମେତ ୨୪ଟି ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରି ହୋଇଥିଲା। ମେଳାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଦୋଳବେଦି ବସ୍ତ୍ର। ମାତୃଶକ୍ତି ମହିଳା ତନ୍ତୁବାୟ ସହଯୋଗ ସମିତିର କାରିଗରମାନଙ୍କ ଦ୍ବାରା ବୁଣା ହୋଇଥିବା ଏହି ବସ୍ତ୍ରର ଚାହିଦା ବେଶି ରହିଥିଲା। ସେହିପରି ତ୍ରିପୁରାରୁ ଆସିଥିବା ବାଉଁଶ ମୂଳରେ ତିଆରି ମୂର୍ତ୍ତିର ଚାହିଦା ଅଧିକ ରହିଥିଲା।
ମେଳା ବୁଲିଲେ ହାଇକୋର୍ଟ ମୁଖ୍ୟ ବିଚାରପତି
ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲୀଧର ତୋଷାଳି ମେଳା ପରିଦର୍ଶନ କରିଥିଲେ। ଷ୍ଟଲରୁ ଷ୍ଟଲ ସାମଗ୍ରୀ ଦେଖିବା ସହ ପ୍ରଥମେ ବୟନିକା ଷ୍ଟଲରେ ପ୍ରବେଶ କରି ସେଠାରେ ଶାଢ଼ି ଦେଖିଥିଲେ। ପରେ ଟସର ସିଲ୍କ ପାର୍କ ଷ୍ଟଲ୍, ତ୍ରିପୁରା ବସ୍ତ୍ରାଳୟ, ଓଡ଼ିଶା ବସ୍ତ୍ରାଳୟ, ଓଡ଼ିଶା ନଡ଼ା କାରୁକାର୍ଯ୍ୟ ଦେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/5456h456h4sf56h4f5s6h4sf65h4f5s6h.jpg)