ବାଲିପାଟଣା: ଏକ ଲମ୍ବା ଅତୀତର କଥା ନୁହେଁ। ପାଖାପାଖି ୩୦/୪୦ ବର୍ଷ ପୂର୍ବର କଥା। ସେତେବେଳେ ଗହ୍ମାପୂର୍ଣ୍ଣମୀରେ ଘରେଘରେ ଗୋମାତା ପୂଜା ଥିଲା ଏକ ମୁଖ୍ୟ ପରମ୍ପରା। ସକାଳୁ ସକାଳୁ ବଳଦ ଓ ଗାଈଙ୍କୁ ଗାଧୋଇଦେବା ପରେ ତାଙ୍କ ଶିଙ୍ଘରେ ପଇତା ବାନ୍ଧି, ମଥାରେ ହଳଦୀ, ଚନ୍ଦନ ଲଗାଇ ପୂଜା କରାଯାଉଥିଲା। ସେଦିନ ବଳଦଙ୍କୁ ପିଠା ଖୁଆଇବା ବିଧି ମଧ୍ୟ ଥିଲା। କେବଳ ସେତିକି ନୁହେଁ, ବଳଦ ଓ ଗାଈଙ୍କ ଶିଙ୍ଘରେ ପଇତା ସହିତ ରାଖୀ ମଧ୍ୟ ବନ୍ଧା ଯାଉଥିଲା। ରାଜଧାନୀ ଉପକଣ୍ଠରେ ଜଟଣୀ, ଭୁବନେଶ୍ବର, ବାଲିଅନ୍ତା, ବାଲିପାଟଣା ଓ ବାରଙ୍ଗ ବ୍ଲକ୍ର ସବୁ ଗାଁରେ ଏହି ପ୍ରଥା ବେଶ୍ ଜାକଜମକରେ ପାଳିତ ହେଉଥିଲା। ମାତ୍ର ଆଜିର ଦିନରେ ସେହି ପରମ୍ପରା ଆଉ ଦେଖିବାକୁ ମିଳୁନାହିଁ। କାରଣ ରାଜଧାନୀ ଉପକଣ୍ଠରୁ ଗୁହାଳ ଓ ବଳଦ ଉଭୟ ହଜି ସାରିଛନ୍ତି। ତେଣୁ ‘ଗହ୍ମାପୂର୍ଣ୍ଣମୀ’ ଶବ୍ଦଟି ହଜିଯାଇଛି ଏବଂ ତା’ ସ୍ଥାନକୁ ‘ରାଖୀପୂର୍ଣ୍ଣିମା’ କବ୍ଜା କରିନେଇଛି। ଆଜି ଘରେଘରେ ରାଖୀପୂର୍ଣ୍ଣିମା ଉତ୍ସବକୁ ବେଶ୍ ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି।
ଦିନେ ଚାଷ ଓ ପରିବହନ ବ୍ୟବସ୍ଥାର ମୁଖ୍ୟ ସାରଥି ଥିଲା ବଳଦ। ପୁରାଣ ଅନୁସାରେ ମହାପ୍ରଭୁ ଜଗନ୍ନାଥଙ୍କ ବଡ଼ଭାଇ ପ୍ରଭୁ ବଳଭଦ୍ର ବି ଥିଲେ ହଳ ବଳଦର ସାଥୀ। ତେଣୁ ଗହ୍ମାପୂର୍ଣ୍ଣମୀରେ ବଳଦ ଓ ଗାଈଙ୍କ ସହ ହଳ ଲଙ୍ଗଳକୁ ପୂଜା କରିବା ଅର୍ଥ ପ୍ରଭୁ ବଳଭଦ୍ରଙ୍କ ପୂଜା ବୋଲି ବୁଝାପଡ଼େ। କିନ୍ତୁ ଏବେ ଯନ୍ତ୍ରଯୁଗର ପ୍ରଭାବ ଯୋଗୁ ଉଭୟ ବଳଦ ଓ ହଳ ଅଲୋଡ଼ା ହୋଇପଡ଼ିଛନ୍ତି। ରାଜଧାନୀ ଉପକଣ୍ଠରେ ଚାଷ ଜମି ହ୍ରାସ ପାଇବାରେ ଲାଗିଛି। ସେହିଭଳି ଚାଷର ପଦ୍ଧତି ମଧ୍ୟ ବଦଳିଯାଇଛି। ଟ୍ରାକ୍ଟର, ପାୱାର ଟିଲର୍, ଥ୍ରେସର୍(ଧାନଝଡ଼ା ମେସିନ୍) ଭଳି ଆଧୁନିକ କୃଷି ଯନ୍ତ୍ରପାତି ହାତପାହାନ୍ତାକୁ ଆସିଯିବା ପରେ ବଳଦକୁ ଆଉ କିଏ ବା କାହିଁକି ପଚାରନ୍ତା! ଯନ୍ତ୍ରପାତି ସବୁ ସହଜରେ ଭଡ଼ାରେ ମିଳିବା ପରେ କିଏ ବା କାହିଁକି ମାସମାସ ଧରି ବଳଦଙ୍କୁ ଘରେ ବାନ୍ଧି ଖାଇବାକୁ ଦିଅନ୍ତା! ତେଣୁ ହଳ ଲଙ୍ଗଳ, ଶଗଡ଼ ଯେମିତି ଅଦରକାରୀ ବସ୍ତୁ ହୋଇଗଲା, ବଳଦ ମଧ୍ୟ ସେମିତି ଏକ ଅଯଥା ବୋଝ ପାଲଟିଗଲା। ବେଡ୍ରୁମ୍, ଡାଇନିଂ ହଲ୍, କିଚେନ୍, ଡ୍ରଇଂ ରୁମ୍, ଆଟାଚ୍ ବାଥ୍ରୁମ୍ ଓ ପୋର୍ଟିକୋ ଥିବା ଆଧୁନିକ ଡିଜାଇନ୍ର ଘରେ ଗୁହାଳ ପାଇଁ ଜାଗା ରହିଲା ନାହିଁ।
ସେହିଭଳି ଗୋପାଳନ ଉପରେ ନିର୍ଭର କରୁଥିବା କିଛି ଗୋପାଳକ ମଧ୍ୟ ଅଣ୍ଡିରା ବାଛୁରୀଙ୍କୁ ବୋଝ ବୋଲି ଭାବିଲେ। କୃଷି ବଜାରରେ ବଳଦର ଚାହିଦା କମିବା ପରେ ଗୋପାଳକମାନେ ଅଣ୍ଡିରା ବାଛୁରୀକୁ ବଡ଼ ହେବା ପର୍ଯ୍ୟନ୍ତ ରଖିବାକୁ ଚାହୁ ନାହାନ୍ତି। ମାଆ କ୍ଷୀର ଛାଡ଼ୁଛାଡ଼ୁ ଅଣ୍ଡିରା ବାଛୁରୀକୁ ତଡ଼ି ଦିଆଯାଉଛି। ଠାକୁରଙ୍କୁ ଷଣ୍ଢ ଯାଚନା ଥିବା ବାହାନା କରି ଅଣ୍ଡିରା ବାଛୁରୀଗୁଡ଼ିଙ୍କୁ ଘରୁ ବାହାର କରି ଦିଆଯାଉଛି। ରାଜଧାନୀ ଉପକଣ୍ଠ ଅଞ୍ଚଳ କ’ଣ, ଆଜି ପ୍ରାୟ ସବୁଆଡ଼େ ଏହି ଅବସ୍ଥା। ତେଣୁ ଆଜି ଗହ୍ମାପୂର୍ଣ୍ଣମୀରେ ଗୋପୂଜା ପରମ୍ପରା ହଜିଗଲାଣି। ସେଦିନର ଦେବତା ଆଜି ଅଲୋଡ଼ା ବୋଝ।
ହଜିଗଲା ଗହ୍ମାପୁନେଇଁରେ ଗୋପୂଜା ପରମ୍ପରା
ଏକ ଲମ୍ବା ଅତୀତର କଥା ନୁହେଁ। ପାଖାପାଖି ୩୦/୪୦ ବର୍ଷ ପୂର୍ବର କଥା। ସେତେବେଳେ ଗହ୍ମାପୂର୍ଣ୍ଣମୀରେ ଘରେଘରେ ଗୋମାତା ପୂଜା ଥିଲା ଏକ ମୁଖ୍ୟ ପରମ୍ପରା। ସକାଳୁ ସକାଳୁ ବଳଦ ଓ ଗାଈଙ୍କୁ ଗାଧୋଇଦେବା ପରେ ତାଙ୍କ ଶିଙ୍ଘରେ ପଇତା...
/sambad/media/media_files/2025/08/11/untitled-2-2025-08-11-06-13-58.jpg)